ଅକ୍ଷୟ ତୃତୀୟାରେ ନିଶ୍ଚୟ କରନ୍ତୁ ଏହି କାମ, ଦୂର ହୋଇଯିବ ଘରର ଆର୍ଥିକ ସଙ୍କଟ…ଜାଣନ୍ତୁ ଶୁଭ ମୁହୂର୍ତ୍ତ

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ଅତ୍ୟନ୍ତ ଶୁଭ ଦିନ ହୋଇଥାଏ। ଏହି ଦିନ ଦେବୀ ଉପାସନା କରିବା ଉଚିତ୍‌। ଏହାଦ୍ୱାରା ମାନସିକ ଏବଂ ଶାରୀରିକ ଶାନ୍ତି ପ୍ରାପ୍ତ ହୋଇଥାଏ। ଏହି ପବିତ୍ର ଦିନରେ ଆଭୂଷଣ ଏବଂ ସୁନାଚାନ୍ଦି କିଣିବାର ପ୍ରଥା ମଧ୍ୟ ରହି ଆସିଛି। ଏଥିପାଇଁ ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରେ ଉପାସନା, ଦାନ, ଜପ ଆଦି କରି ଏହାର ପୂର୍ଣ୍ଣଫଳ ନିଶ୍ଚୟ ପ୍ରାପ୍ତ କରନ୍ତୁ। ଆସନ୍ତୁ ଜାଣିବା, ଏହି ଦିନ କ’ଣ କଲେ ଶୁଭ ହୋଇଥାଏ।

ଅନଲାଇନ ନିବେଶ: ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ଅନଲାଇନ୍‌ ନିବେଶ କରନ୍ତୁ। ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରେ କରାଯାଇଥିବା ନିବେଶ କେବେ ବି ଘାଟା ହୋଇ ନ ଥାଏ କି ଏହାର କ୍ଷୟ ହୋଇ ନ ଥାଏ। ଭବିଷ୍ୟତରେ ଏହା ଲାଭ ପ୍ରଦାନ କରିଥାଏ।

ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ: ଦିନର ପ୍ରାରମ୍ଭରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ। ଆରୋଗ୍ୟତା ପ୍ରଦାନ କରୁଥିବା ସୂର୍ଯ୍ୟଦେବଙ୍କ କୃପାରୁ ଆପଣ ସବୁବେଳେ ନିରୋଗୀ ରହି ପାରିବେ। ଏଥି ସହିତ ଯଦି ଗାୟତ୍ରୀ ମନ୍ତ୍ର ଜପ କରିବେ, ତ ଏହା ଅତ୍ୟନ୍ତ ଲାଭକାରୀ ପ୍ରମାଣିତ ହେବ। ମାନ୍ୟତା ରହିଛି, ଏହି ଦିନ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ସୂର୍ଯ୍ୟ ଭଗବାନଙ୍କ କୃପା ପ୍ରାପ୍ତ ହୋଇଥାଏ।

ମା’ ଲକ୍ଷ୍ମୀଙ୍କୁ ଧ୍ୟାନ: ଆଦି ଶଙ୍କରାଚାର୍ଯ୍ୟଙ୍କ କନକଧାରା ସ୍ରୋତମ୍‌ ଶୁଣନ୍ତୁ କିମ୍ବା ମା’ ଲକ୍ଷ୍ମୀଙ୍କୁ ଧ୍ୟାନ କରନ୍ତୁ। ନିଜର ସମସ୍ତ ଇଚ୍ଛାକୁ ମା’ ଲକ୍ଷ୍ମୀଙ୍କ ସାମ୍ନାରେ ରଖନ୍ତୁ। ଏହା ଏକ ଫଳପ୍ରଦୀ ଉପାୟ। ଏହାଦ୍ୱାରା ମା’ ଲକ୍ଷ୍ମୀ ଆପଣଙ୍କ ମନୋକାମନା ପୂରଣ କରି ଥାଆନ୍ତି।

ଦାନ କରନ୍ତୁ: ଅକ୍ଷୟ ତୃତୀୟାରେ ଦାନ ଅବଶ୍ୟ କରନ୍ତୁ। ଏହି ଦିନ ଶୋଷିଲା ଲୋକଙ୍କୁ ଜଳ ଅର୍ପଣ କରନ୍ତୁ। ଜଳ ସମ୍ବନ୍ଧିତ ଦାନର ବି ମାନ୍ୟ ରହିଛି, ଯେପରି ଘଡ଼ି, ସୁରେଇ ଆଦି ପାତ୍ର ଅନ୍ୟକୁ ଦାନ କରନ୍ତୁ।

ଅକ୍ଷୟ ତୃତୀୟା-୨୦୨୨ର ଶୁଭ ମୁହୂର୍ତ୍ତ

ମେ’ ୩ ମଙ୍ଗଳବାର ପ୍ରାତଃ ୫ଟା ୧୯ରୁ ତୃତୀୟା ତିଥି ଆରମ୍ଭ ହୋଇ ମେ’ ୪ ସକାଳ ୭ଟା ୩୩ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଏହି ଦିନ ରୋହିଣୀ ନକ୍ଷତ୍ର ଯୋଗ ସୃଷ୍ଟି ହେଉଛି। ରୋହିଣୀ ନକ୍ଷତ୍ର ୩ ତାରିଖ ମଧ୍ୟାହ୍ନ ୧୨ଟା ୩୪ରୁ ୪ ତାରିଖ ଅପରାହ୍ନ ୩ଟା ୧୮ ମିନିଟ୍‌ ପର୍ଯ୍ୟନ୍ତ ରହିବ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥିରେ ପଡ଼େ। ଏହି ତିଥିକୁ ବହୁତ ଶୁଭ ବୋଲି ଧରାଯାଏ। ବିବାହ, ବ୍ରତ, ଗୃହ ପ୍ରବେଶ ଆଦି ନୂଆ କାର୍ଯ୍ୟ କରିବା ପାଇଁ ଅକ୍ଷୟ ତୃତୀୟା ଅତ୍ୟନ୍ତ ଶୁଭ ଦିନ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.