ସମୁଦ୍ର ପାଣି ଏତେ ଲୁଣିଆ ହୋଇଥାଏ ଯେ ଜଣେ ମଣିଷକୁ ଯେତେ ଶୋଷ ଲାଗିଲେ ମଧ୍ୟ ସେ ଏହି ପାଣିକୁ ପିଇ ପାରି ନଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏକ ଲିଟର ସମୁଦ୍ର ପାଣିରେ କେତେ ଲୁଣ ଥାଏ ? ତେବେ ଆଜି ଏହି ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ ଜଣାଇବୁ ।
ସମୁଦ୍ର ପାଣିରେ ଅନେକ ପ୍ରକାରର ଖଣିଜ ପଦାର୍ଥ ଦ୍ରବୀଭୂତ ହୋଇଛି, ଯେଉଁଥିରୁ ସର୍ବାଧିକ ପରିମାଣ ହେଉଛି ସୋଡିୟମ୍ କ୍ଲୋରାଇଡ୍, ଯାହାକୁ ଆମେ ସାଧାରଣ ଲୁଣ ବୋଲି କହିଥାଉ । ଏକ ଲିଟର ସମୁଦ୍ର ପାଣିରେ ହାରାହାରି ୩୫ ଗ୍ରାମ ଲୁଣ ଦ୍ରବୀଭୂତ ହୋଇଥାଏ । ଅର୍ଥାତ୍ ଯଦି ଆପଣ ଏକ ଲିଟର ସମୁଦ୍ର ଜଳକୁ ଫୁଟାଇବେ ତେବେ ସେଥିରୁ ପ୍ରାୟ ଏକ ଚାମଚ ଲୁଣ ପାଇବେ ।
ଏବେ ପ୍ରଶ୍ନ ଆସୁଛି ଯେ ସମୁଦ୍ର ପାଣିରେ ଲୁଣ କେଉଁଠୁ ଆସେ ? କୁହାଯାଏ ଯେ ଯେତେବେଳେ ବର୍ଷା ଜଳ ପଥର ଉପରେ ପଡେ ପଥରରେ ଦ୍ରବୀଭୂତ ଥିବା ଖଣିଜ ପଦାର୍ଥକୁ ବର୍ଷା ଜଳ ନେଇଯାଏ । ଏହି ଜଳ ନଦୀ ଦେଇ ସମୁଦ୍ରରେ ପହଞ୍ଚେ ଏବଂ ଖଣିଜ ପଦାର୍ଥ ସମୁଦ୍ର ପାଣିରେ ମିଶି ଯାଏ । ଏହା ବ୍ୟତୀତ ଆଗ୍ନେୟଗିରି ଉଦଗୀରଣ ସମୟରେ ଅନେକ ପ୍ରକାରର ଖଣିଜ ପଦାର୍ଥ ମଧ୍ୟ ସମୁଦ୍ରରେ ପହଞ୍ଚେ । କୁହାଯାଏ ଯେ ଭୂତଳରୁ ବାହାରୁଥିବା ଅନେକ ପ୍ରକାରର ଖଣିଜ ପଦାର୍ଥ ସମୁଦ୍ରରେ ମିଶିଥାଏ ।
କିନ୍ତୁ ସମୁଦ୍ରର ସମସ୍ତ ସ୍ଥାନରେ ଲୁଣର ପରିମାଣ ସମାନ ନଥାଏ । କେତେକ ସମୁଦ୍ରରେ ଅଧିକ ଲୁଣ ଥିବାବେଳେ କେତେକରେ କମ୍ ଥାଏ । ଉଦାହରଣ ସ୍ୱରୂପ ମୃତ ସାଗରରେ ଲୁଣର ପରିମାଣ ବହୁତ ଅଧିକ ଥାଏ ଯେଉଁଥିପାଇଁ ଏଥିରେ କୌଣସି ଜୀବ ବସବାସ କରନ୍ତି ନାହିଁ । ସାମୁଦ୍ରିକ ଜୀବମାନଙ୍କ ପାଇଁ ସମୁଦ୍ର ଜଳ ଲୁଣିଆ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନେକ ସାମୁଦ୍ରିକ ଜୀବ ବଞ୍ଚିବା ପାଇଁ ଲୁଣିଆ ଜଳ ଆବଶ୍ୟକ କରନ୍ତି । ଏଥିସହ ସମୁଦ୍ରର ଲୁଣି ଅଂଶ ସମୁଦ୍ରର ତାପମାତ୍ରା ଏବଂ ଘନତ୍ୱକୁ ପ୍ରଭାବିତ କରିଥାଏ, ଯାହା ସମୁଦ୍ର ସ୍ରୋତ ଚଳାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।