ଜାଣିଛନ୍ତି କି ମକ୍ ଡ୍ରିଲ୍ କଣ ? କାହିଁକି କେନ୍ଦ୍ର ସରକାର ନେଲେ ଏଭଳି ନିଷ୍ପତି…

ପହଲଗାମ ନରସଂହାର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଆଉ ଯୁଦ୍ଧ ସମ୍ଭାବନା ବି ବଢ଼ିଛି । ତେବେ ମେ ୭ରେ ଅଥାର୍ତ ଆସନ୍ତା କାଲି ପ୍ରତିରକ୍ଷା ପ୍ରସ୍ତୁତି ଡ୍ରିଲ କରିବେ କିଛି ରାଜ୍ୟ । ମକ୍ ଡ୍ରିଲ୍ ପାଇଁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ । ଯୁଦ୍ଧ ସମୟରେ କି ପଦକ୍ଷେପ ନେବାକୁ ହେବ ତାକୁ ନେଇ ହେବ ଏହି ମକ୍ ଡ୍ରିଲ । ଏୟାର ରେଡ୍ ୱାର୍ଣ୍ଣିଂ ସାଇରନ୍ ବାଜିଲେ କଣ କରିବାକୁ ହେବ, ତା ଉପରେ ମକ୍ ଡ୍ରିଲ ହେବ ।
ସେହିପରି ସାଧାରଣ ନାଗରିକ, ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ । ଯୁଦ୍ଧ ସମୟରେ ସେମାନେ ନିଜକୁ କିଭଳି ରକ୍ଷା କରିବେ ସେନେଇ ତାଙ୍କୁ ତାଲିମ ଦିଆଯିବ । ରାତିରେ କିଭଳି ସହରକୁ ସଂପୂର୍ଣ୍ଣ ଅନ୍ଧାର କରାଯିବ, ସେନେଇ ମକ ଡ୍ରିଲ ହେବ । ସେହିପରି ଆବଶ୍ୟକ ସ୍ଥଳେ ଲୋକଙ୍କୁ ଖାଲି କରାଯିବ । ଏହି ପ୍ଲାନିଂ କିଭଳି ହେବ, ମକଡ୍ରିଲ ବେଳେ ତାର ରିହରସଲ କରାଯିବ ।
ରବିବାର ରାତିରେ ପଞ୍ଜାବ ଫିରୋଜପୁରରେ ବ୍ଳାକ୍ ଆଉଟ ମକ୍ ଡ୍ରିଲ ହୋଇଥିଲା । ଏହା ପୂର୍ବରୁ କେବଳ ୧୯୭୧ ଯୁଦ୍ଧ ବେଳେ ଏଭଳି ମକ୍ ଡ୍ରିଲ ହୋଇଥିଲା । ପହଲଗାମ ଆକ୍ରମଣ ପରେ ଦୁଇ ଦେଶ ଯୁଦ୍ଧ ପ୍ରସ୍ତୁତି କରୁଥିବା ବେଳେ ବିଭିନ୍ନ ରାଜ୍ୟକୁ ମକ୍ ଡ୍ରିଲ କରିବାକୁ କୁହାଯାଇଛି ।
ସମାନ ଭାବେ ଓଡ଼ିଶାରେ ମଧ୍ୟ ମକଡ୍ରିଲ୍ ହେବ । ପ୍ରତିରକ୍ଷା ଦୃଷ୍ଟିକୋଣରୁ ଓଡ଼ିଶା ବେଶ ଗୁରୁତ୍ବ ବହନ କରୁଛି । ବାଲେଶ୍ବର ଚାନ୍ଦିପୁରରେ ରହିଛି ITR କ୍ଷେପଣାସ୍ତ୍ର ଘାଟି । ଧାମରାରେ ଅଛି ଅବଦୁଲ କାଲାମ ହ୍ବିଲର ଦ୍ବୀପ । ସୁନାବେଡ଼ାରେ ରହିଛି ମିଗ୍ ବିମାନ କାରଖାନା । ତେଣୁ ପ୍ରତିରକ୍ଷା ଦୃଷ୍ଟିକୋଣରୁ ଓଡ଼ିଶା ବି ଗୁରୁତ୍ବ ବହନ କରୁଛି । ଏସବୁ ସ୍ଥାନରେ ସୁରକ୍ଷା ଦୃଷ୍ଟିକୋଣରୁ ମକଡ୍ରିଲ କରାଯିବାର ସୂଚନା ରହିଛି ।
ତେବେ ଏହି ମକ୍ ଡ୍ରିଲ୍ କଣ ଆସନ୍ତୁ ଜାଣିବା । ଯଦି କୌଣସି ଜରୁରୀକାଳୀନ ପରିସ୍ଥିତି ଉପୁଜେ ତେବେ ଆମ ଦେଶର ନାଗରିକମାନଙ୍କୁ କିପରି ରକ୍ଷା କରାଯାଇପାରିବ ସେନେଇ ଏକ ଅଭ୍ୟାସ କରାଯିବ, ଯାହାକୁ ମକ୍ ଡ୍ରିଲ୍ କୁହାଯାଉଛି । ଏଥିରେ ଆକାଶ ପଥରୁ ଆକ୍ରମଣ ହେଲେ କଣ କରିବେ, ବ୍ଲାକଆଉଟ୍ ହେଲେ କଣ କରିବେ ଏବଂ ନିଜକୁ ସୁରକ୍ଷା ଦେବା ପାଇଁ ଅନ୍ୟ କେଉଁ ଉପାୟ ଆପଣାଇ ପାରିବେ ସେସବୁ ମକ୍ ଡ୍ରିଲରେ ସାମିଲ ରହିଛି । ନାଗରିକଙ୍କ ସୁରକ୍ଷାକୁ ନଜରରେ ରଖି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ମକ୍ ଡ୍ରିଲ୍ କରିବାକୁ କୁହାଯାଇଛି ।
ଜଣେ ନାଗରିକ କିପରି କଠିନ ପରିସ୍ଥିତିରେ କେବଳ ନିଜକୁ ନୁହେଁ ବରଂ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରିପାରିବ ସେନେଇ ମକ୍ ଡ୍ରିଲ୍ ରେ ଉପାୟ ଜଣାଇ ଦିଆଯିବ । ଏହି ମକ୍ ଡ୍ରିଲ୍ ଯୁଦ୍ଧ କିମ୍ବା ବିପର୍ଯ୍ୟୟ ଭଳି ପରିସ୍ଥିତିରୁ ବାହାରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଏହା ଏକ ଅତ୍ୟାବଶ୍ୟକ ଅଭ୍ୟାସ ଯାହାକୁ ସମସ୍ତେ ଗମ୍ଭୀରତାର ସହ ନେବା ଉଚିତ ।
ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ଅସନ୍ତୋଷ ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି । ଏବଂ ଯୁଦ୍ଧ ଆଶଙ୍କାକୁ ନେଇ ଏଭଳି ମକ୍ ଡ୍ରିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ ।
Also Read: ମକ୍ ଡ୍ରିଲ ପାଇଁ କିଛି ରାଜ୍ୟକୁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ, ଯୁଦ୍ଧ ପାଇଁ ମେ ୭ରେ ମକ୍ ଡ୍ରିଲ