ଓମିକ୍ରନ୍ ପାଇଁ ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ଓ ଝିଅ ପୁଅକୁ ହତ୍ୟାକଲେ ଡାକ୍ତର

”ବହୁତ ହେଲା ଆଉ କରୋନାକୁ ସହି ହେବନାହିଁ। ଏ ଓମିକ୍ରନ୍‌ ସମସ୍ତଙ୍କୁ ମାରିବ । ମୁଁ ଆଉ ଶବ ଗଣିପାରିବି ନାହିଁ । କରୋନାର କରୁଣ ସ୍ୱର ଏବେ ବି ମୋ କାନରେ ଶୁଭୁଛି । କରୋନାର କରାଳ ରୂପ ମୋତେ ଆଜି ବି ଶାନ୍ତିରେ ବଞ୍ଚିବାକୁ ଦେଉନି। ଏବେ ଆଉ ମୋତେ ଏସବୁକୁ ଦେଖିବାକୁ ସାହସ ନାହିଁ ସେଥିପାଇଁ ମୁଁ ମୋ ପରିବାରକୁ ମାରିଦେବି। ମୋ ପରିବାର କଷ୍ଟ ପାଇବା ପୂର୍ବରୁ ମୁଁ ମାରିଦେବି।”

ହାତଲେଖା ଚିଠିରେ ଏସବୁ ଲେଖି ନିମିଷକେ ଭିତରେ ନିଜ ପରିବାରକୁ ଶେଷ କରିଦେଲେ ଜଣେ ଡାକ୍ତର। ସତରେ କେତେ ମାରାତ୍ମକ ଏ କରୋନା, କେତେ କେତେ ଲୋକଙ୍କର ଯେ ଜୀବନ ନେଇଛି ତାହା କେବଳ ଏ ଅଦୃଶ୍ୟ ରୋଗ ହିଁ ଜାଣିଛି। ସେଥିପାଇଁ ତ କରୋନା ସହ ଲଢ଼ି ଲଢ଼ି ମାନସିକ ଭାରସାମ୍ୟ ହରାଇ ବସିଲେ ଡାକ୍ତର । ଆଉ ଏଥିପାଇଁ ସେ ଯେଉଁ କାଣ୍ଡ କରିବସିଲେ ତାକୁ ନେଇ ଲୋକଙ୍କ ମନରେ ବେଶ୍‌ ଚାଞ୍ଚଲ୍ୟ ସୃଷ୍ଟି କରିଛି।

familyନୂଆ ଭାରିଏଣ୍ଟ୍ ଓମିକ୍ରନ୍‌ ଚିନ୍ତାରେ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରିଛନ୍ତି ଜଣେ ଡାକ୍ତର। ଉତ୍ତରପ୍ରଦେଶର କାନପୁର ସହରର କଲ୍ୟାଣପୁର ଅଞ୍ଚଳରେ ଏପରି ଘଟଣା ଘଟିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କାନପୁର ରାମା ମେଡିକାଲ କଲେଜରେ କାର୍ଯ୍ୟରତ ଡାକ୍ତର ସୁଶିଲ ସିଂହ। ୪୮ ବର୍ଷିୟା ପତ୍ନୀ,୧୮ ବର୍ଷର ପୁଅ ଓ ୧୫ ବର୍ଷର ଝିଅ ସହ ଇନ୍ଦ୍ରାନଗରରେ ଥିବା ଡିଭିନିଟି ଆପାର୍ଟମେଣ୍ଟରେ ୫୦୧ ନମ୍ବର ଫ୍ଲାଟରେ ରହୁଥିଲେ ଡାକ୍ତର ସୁଶିଲ। ଡାକ୍ତରଙ୍କ ସ୍ତ୍ରୀ ଚନ୍ଦ୍ରପ୍ରଭା ଶିବରାଜପୁର ଜୁନିୟର ହାଇସ୍କୁଲରେ ଶିକ୍ଷକତା କରୁଥିଲେ।

ଖୁବ୍ ହସଖୁସିରେ ବିତୁ ଥିଲା ସୁନାର ସଂସାର । ହେଲେ କରୋନା ହେବା ପର ଠାରୁ ସବୁ ବଦଳିଗଲା । କରୋନା ପାଇଁ ସେ ଏକଦମ୍‌ ବିଚଳିତ ହୋଇଗଲେ ଏବଂ ମାନସିକ ଭାରସାମ୍ୟ ହରାଇ ବସିଲେ। ଆଉ ଏଥିପାଇଁ ପତ୍ନୀଙ୍କୁ ହାତୁଡ଼ିରେ ପିଟି ହତ୍ୟା କରିବା ସହ ପୁଅ ଓ ଝିଅକୁ ତଣ୍ଟି ଚିପି ହତ୍ୟା କରିଛନ୍ତି । ତେବେ ହତ୍ୟାକାଣ୍ଡ ପରେ ଅପରାହ୍ନ ୫ଟା ୩୨ ମିନିଟରେ ଡାକ୍ତର ସୁଶିଲ ତାଙ୍କ ସାନଭାଇଙ୍କୁ ହ୍ଵାଟସଆପ ମେସେଜରେ ସୂଚନା ଦେଲେ। ସେଥିରେ ଲେଖାଥିଲା ମୁଁ ଡିପ୍ରେସନରେ ଚନ୍ଦ୍ରପ୍ରଭା, ଶେଖର ସ ଖୁସିକୁ ମାରିଦେଇଛି। ଏହା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରୁ ପୋଲିସ ଏକ ଡାଏରୀ ଉଦ୍ଧାର କରିଛି ।

murderଡାଏରୀର ୧୦ ଫର୍ଦ୍ଦରେ ନିଜ ବିଷାଦ ବଖାଣିଛନ୍ତି ଡାକ୍ତର । କରୋନା ସମୟରୁ ସେ ମାନସିକ ଚାପରେ ଥିଲେ ବୋଲି ଲେଖିଛନ୍ତି ଡାକ୍ତର। ସେ ଲେଖିଛନ୍ତି ‘ଆଉ କୋଭିଡକୁ ସହ୍ୟ କରିହେଉନି । କୋଭିଡ୍ ସମସ୍ତଙ୍କୁ ମାରି ପକାଇବ । ଏସବୁ ଦେଖି ହେବନି । ମୋର ଅସାବଧାନତା ହେତୁ ଏପରି ସ୍ଥାନରେ ଫସିଯାଇଛି, ଯେଉଁଠାରୁ ବାହାରିବା ଅସମ୍ଭବ। ମୋର ଆଉ ଭବିଷ୍ୟତ ବୋଲି କିଛି ନାହିଁ । ଏଣୁ ମୁଁ ପୂରା ହୋସରେ ଥାଇ ମୋ ପରିବାରକୁ ହତ୍ୟା କରିବାକୁ ଯାଉଛି । ଏଥିପାଇଁ ଅନ୍ୟ କେହି ଦାୟୀ ନୁହଁନ୍ତି ।

ସେ ଆହୁରି ମଧ୍ୟ ଲେଖିଛନ୍ତି ମୁଁ ବିରଳ ରୋଗରେ ପୀଡିତ । ପରିବାରକୁ ହତ୍ୟା କରିବା ବ୍ୟତୀତ ମୋର ଅନ୍ୟ କୌଣସି ବିକଳ୍ପ ନାହିଁ । ମୁଁ ମୋ ପରିବାରକୁ କଷ୍ଟରେ ଦେଖିପାରିବି ନାହିଁ । ତେଣୁ ମୁଁ ସମସ୍ତଙ୍କୁ ମୁକ୍ତ କରିବାକୁ ଯାଉଛି । ମୁଁ ମୋ ପଛରେ କାହାକୁ ଅସୁବିଧାରେ ଦେଖିପାରିବି ନାହିଁ । ମୋର ଆତ୍ମା ମୋତେ କେବେ କ୍ଷମା କରିବେ ନାହିଁ । ଅଲବିଦା।

ଡାକ୍ତର ସୁଶିଲଙ୍କ ମେସେଜ ଦେଖି ଏକଦମ୍‌ ବିଚଳିତ ହୋଇଯାଇଥିଲେ ସାନ ଭାଇ। ତୁରନ୍ତ ଭାଇର ଘରକୁ ଆସି ଦେଖନ୍ତି ତ ଘର ସାରା ରକ୍ତ ଜୁଡୁବୁଡୁରେ ଭାଉଜ ପୁତୁରା ଝିଆରୀଙ୍କ ପଡିଛି ଶବ। ତେବେ ଏ ଘଟଣା ସମ୍ପର୍କରେ ଅଭିଯୁକ୍ତଙ୍କ ଭାଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ । ମୃତଦେହ ଉଦ୍ଧାର କରିବା ସହ ଫେରାର ଅଭିଯୁକ୍ତ ଡାକ୍ତରକୁ ଖୋଜୁଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.