ଜୀବନ ଯାଉ ଯାଉ ବଞ୍ଚିଗଲା, ପ୍ରସୂତୀଙ୍କୁ ନିଜେ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ନବରଙ୍ଗପୁର: ଜୀବନ ଯାଉ ଯାଉ ବଞ୍ଚିଗଲା । କଥାରେ ଅଛି ରଖେ ହରି ତ ମାରେ କିଏ । ସତରେ ଭାଗ୍ୟ ଯଦି ସାଥ ଦିଏ ମଲା ଲୋକ ବି ବଞ୍ଚିଯାଏ । ତେବେ ଆମେ ପ୍ରାୟତଃ ଡାକ୍ତରଙ୍କୁ ଭଗବାନଙ୍କ ଦ୍ଵିତୀୟ ଅବତାର ବୋଲି କହିଥାଉ । ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସନତ କୁମାର ରାଉତ । ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣେ ପ୍ରସୂତୀଙ୍କୁ ନୂଆ ଜୀବନ ଦେଇ ଏବେ ସେ ସବୁ ବର୍ଗରେ ପ୍ରଶଂସିତ ।

ଯାହା ଖବର ମିଳିଛି, ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଗୋରାମ୍ବା ଗାଁର ପାର୍ବତୀ ପନକା ନାମକ ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ ବେଦନା ହେଇଥିଲା । ତାଙ୍କୁ ପ୍ରଥମେ ଝରୀଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗର୍ଭସ୍ଥ ଶିଶୁର ସ୍ଥିତି ଭଲ ନଥିବାରୁ ସେଠାରେ ଡାକ୍ତର ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାର୍ବତୀ ଭର୍ତ୍ତି ହେବା ପରେ ଆରମ୍ଭ ହେଇଥିଲା ଚିକିତ୍ସା । ସେଠାରେ ଗର୍ଭସ୍ଥ ଶିଶୁଟି ନଷ୍ଟ ହେଇଯାଇଥିବା ଜଣାପଡିଥିଲା । ଶିଶୁଟି ନଷ୍ଟ ହେବା ଯୋଗୁ ପ୍ରବଳ ରକ୍ତ ସ୍ରାବ ହେଇଥିଲା । ତୁରନ୍ତ ରକ୍ତର ଆବଶ୍ୟକତା ପଡିଥିଲା ପାର୍ବତୀଙ୍କୁ ।

ତେବେ ସବୁଠାରୁ ବଡ କଥା ଏହା ଥିଲା କି, ପାର୍ବତୀଙ୍କର ରକ୍ତ ଗ୍ରୁପ୍ ବି ନେଗେଟିଭ ଥିଲା । ଯାହା ମିଳିବା କଷ୍ଟକର ହୋଇପଡିଥିଲା । ମହିଳାଙ୍କୁ କେମିତି ବଞ୍ଚେଇ ହେବ ସେଥିପାଇଁ ଚିନ୍ତା ବଢିଯାଇଥିବାବେଳେ, ପାର୍ବତୀଙ୍କର ମଧ୍ୟ ଝରୀଗାଁରୁ ଦୀର୍ଘ ୧୨୦ କିଲୋମିଟର ଦୂର ନବରଙ୍ଗପୁରରେ ନିଜର ବୋଲି କେହି ନ ଥିଲେ ରକ୍ତ ଦେବା ପାଇଁ କି ଯୋଗାଡ଼ କରିବା ପାଇଁ । ଏପଟେ ବିରଳ ରକ୍ତ ଗ୍ରୁପ ହୋଇଥିବାରୁ ରକ୍ତ ଭଣ୍ଡାରରେ ମଧ୍ୟ ସେହି ଗ୍ରୁପର ରକ୍ତ ମିଳିନଥିଲା । ମେଡିକାଲ ପରିସରରେ ରକ୍ତ ଯୋଗାଡ଼ ପାଇଁ ସମସ୍ତେ ବ୍ୟତିବ୍ୟସ୍ତ ହୋଇ ପଡିଥିଲେ ।

ଏତିକିବେଳେ ରକ୍ତର ଆବଶ୍ୟକତା ଖବର ପହଞ୍ଚିଥିଲା ଡାକ୍ତର ସନତ ରାଉତଙ୍କ ପାଖରେ । ଆଉ ସେ ମଧ୍ୟ କାଳ ବିଳମ୍ବ ନକରି ତୁରନ୍ତ ରକ୍ତ ଭଣ୍ଡାରରେ ପହଁଚି ପାର୍ବତୀଙ୍କୁ ରକ୍ତ ଦେଇ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚେଇ ଦେଇଥିଲେ । ଏପଟେ ପାର୍ବତୀଙ୍କ ରକ୍ତ ଯୋଗାଡ଼ ହୋଇସାରିଥିବା ଖବର ତାଙ୍କର ପରିବାର ଆଖିରେ ଲୁହ ଆଣିଦେଇଥିଲା ।

ଏକ ଅଜଣା ଜାଗାରେ ସବୁ ଭରଷା ତୁଟେଇ ସାରିଥିଲେ ପାର୍ବତୀଙ୍କ ପରିବାର । ଶେଷରେ କିନ୍ତୁ ଡାକ୍ତର ସନତ ରାଉତ ଦେବଦୂତ ସାଜି ନିଜେ ରକ୍ତ ଦାନ କରି ଜଣେ ପ୍ରସୂତୀ ମାଆର ଜୀବନ ବଞ୍ଚେଇ ଦେଲେ । ମାଆ ପେଟରେ ଛୁଆଟି ଆଖି ବୁଝିଦେଲା ଇଏ ଗୋଟିଏ ଦୁଃଖ ସତ କିନ୍ତୁ ପାର୍ବତୀଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଭାଙ୍ଗି ପଡ଼ିଥିବା ପରିବାର ଲୋକଙ୍କ ମୁହଁରେ ହସ ଫୁଟେଇଥିବା ଡାକ୍ତର ସନତ ରାଉତଙ୍କୁ ଏବେ ଜିଲ୍ଲା ବ୍ୟାପି ପ୍ରଶଂସା କରଯାଉଛି ।

ଆହୁରି ପଢନ୍ତୁ: ଶନିଙ୍କ ଜଳାଭିଷେକ ବେଳେ ଅଘଟଣ: ପୋଖରୀରେ ବୁଡି ଚାଲିଗଲା ନାବାଳକର ଜୀବନ