ସୁନ୍ଦରଗଡ(କେନ୍ୟୁଜ୍): ହକିର ଗଡ ସୁନ୍ଦରଗଡ। କୁହାଯାଏ ହକିର ଏନ୍ତୁଡିଶାଳ ହେଉଛି ଏହି ସୁନ୍ଦରଗଡ। ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏହି ଜିଲ୍ଲାରୁ ଅନେକ ତାରକା ବାହାରି ଉଭୟ ପୁରୁଷ ଓ ମହିଳା ଦଳରେ ପ୍ରତିନିଧିତ୍ଵ କରିଛନ୍ତି। ଏହି ଖେଳାଳୀଙ୍କୁ ତୃଣମୁଳ ସ୍ତରରେ ତାଲିମ ଦେଇଥିବା ବ୍ୟକ୍ତି ଯିଏକି ହକି ପାଇଁ ନିଜକୁ ସମର୍ପିତ କରିଦେଇଛନ୍ତି ତାଙ୍କୁ ଅନେକ ହୁଏତ ଜାଣିନଥିବେ ମାତ୍ର ପ୍ରକୃତରେ ସେ ହେଉଛନ୍ତି ଦ୍ରୋଣାଚାର୍ଯ୍ୟ।
ଭାରତୀୟ ମହିଳା ହକି ଦଳରେ ପ୍ରତିନିଧିତ୍ବ କରିଥିବା ସୁନ୍ଦରଗଡ ମାଟିର ଝିଅ ଲିଲିମା ମିଂଜ, ଅନୁପା ବାର୍ଲା,ପୁନମ ଟପ୍ପୋ,ଜୀବନ କେଶରୀ ଟପ୍ପୋ,ନିକିତା ଟପ୍ପୋ,ପୁନମ ବାର୍ଲା,ଫିଲିସିଅ। ଟପ୍ପୋ,ଦିପ୍ତି ମନିକା ଟପ୍ପୋ,ସୁମିତ ଟପ୍ପୋ,ସୁଶିଲା ଖାଲଖୋଙ୍କ ସମେତ ୬୦ରୁ ଊର୍ଦ୍ଧ୍ବ ହକି ଖେଳାଳୀ ଯେଉଁମାନେ ଭାରତୀୟ ସିନିଅର, ୧୪ ବର୍ଷରୁ କମ,୧୭ ବର୍ଷରୁ କମ ଉଭୟ ମହିଳା ଓ ପୁରୁଷ ଦଳରେ ପ୍ରତିନିଧିତ୍ଵ କରିଛନ୍ତି ।
ତେବେ ସେମାନଙ୍କୁ ଏହି ସ୍ତରରେ ପହଂଚାଇବା ବ୍ୟକ୍ତି ଜଣକ ହେଉଛନ୍ତି ରାଜଗାଙ୍ଗପୁର ବ୍ଲକ କୁକୁଡା ପଂଚାୟତ ଗିର୍ଜାପଡା ନିବାସୀ ଡୋମିନିକ ଟପ୍ପୋ। ବୟସ ପ୍ରାୟ ୭୧ ବର୍ଷ। ସକାଳ ହେବା ମାତ୍ରେ ହକି ଷ୍ଟିକ ଧରି ଆସିଯାନ୍ତି ପଡିଆକୁ। ଆଖପାଖର ପିଲାଙ୍କୁ ହକି ଖେଳର ବିଭିନ୍ନ କୌଶଳ ସମ୍ପର୍କରେ ଶିକ୍ଷା ଦାନ କରିଥାନ୍ତି। ତେବେ ଡୋମିନିକଙ୍କ କାହାଣୀ କୌଣସି ଫିଲ୍ମ କାହାଣୀ ଠାରୁ କମ ନୁହେଁ,ହକି ପ୍ରତି ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପି ଦେଇଥିବା ଡୋମିନିକ ଏଥିପାଇଁ ନିଜର ସର୍ବସ୍ଵ ହରାଇସାରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାର ଏହି ଅଂଚଳର ଲୋକଙ୍କ ଆର୍ଥିକ ଅବସ୍ଥା ଏତେ ସ୍ଵଛଳ ନଥିବାରୁ ପିଲାଙ୍କୁ ହକି ଷ୍ଟିକ ଠାରୁ ଆରମ୍ଭ କରି ଟିସାର୍ଟ,ଜୋତା ଆଦି ଯୋଗାଇଦେଇଥାନ୍ତି।
ନିଜେ ହକି ଖେଳିବାକୁ ବାହରିଥିଲେ ମାତ୍ର ସେ ସମୟରେ କୌଣସି କାରଣରୁ କ୍ରୀଡା ଛାତ୍ରାବାସରେ ତାଙ୍କୁ ସିଟ ମିଳିନଥିଲା ସେହି ଦିନ ସେ ପ୍ରତିଜ୍ଞା କରିଥିଲେ ମୁଁ ଖେଳିପାରିଲି ନାହିଁ ମାତ୍ର ହକି ଖେଳାଳୀ ସୃଷ୍ଟି କରିବି। ଏଣୁ ସାଇକେଲରେ ଗାଁଗାଁ ବୁଲି ପିଲାଙ୍କୁ ଡାକି ଅ।ଣି ଶିକ୍ଷା ଦେଲେ ଏଥିପାଇଁ ତାଙ୍କର ଥିବା ପ୍ରାୟ ୭ଏକର ଜମିକୁ ମଧ୍ୟ ବନ୍ଧା ପକାଇଦେଇଛନ୍ତି। ବର୍ତ୍ତମାନ ସେ ରହୁଥିବା ଘରକୁ ଦେଖିଲେ ସହଜରେ ତାଙ୍କର ପରିସ୍ଥିତି ଅନୁମାନ କରିହେବ। ଝାଟିମାଟିର ଛପର ଘର। ତାଙ୍କ ପୁଅ ଡ୍ରାଇଭର ଭାବେ କାମ କରନ୍ତି । ସେଠାରୁ ଯାହା କିଛି ମିଳେ ସେଥିରେ ପରିବାର ଚଳେ। ତେବେ ଘରର ଏଭଳି ପରିସ୍ଥିତି, ଜମି ବନ୍ଧା ପଡିଥିଲେ ମଧ୍ୟ ତାଙ୍କ ମନରେ ଦୁଃଖ ନାହିଁ , ସେ ଶିଖାଇଥିବା ପିଲାଙ୍କ ଖେଳ ଦେଖିଲେ ବହୁତ ଖୁସି ଲାଗେ ବୋଲି କହନ୍ତି ଡୋମିନିକ।
ବୟସର ଅପରାହ୍ନରେ ପହଂଚିଥିବା ଡୋମିନିକଙ୍କ ଆଖିକୁ ବର୍ତ୍ତମାନ ଭଲ ଦେଖାଯାଉନଥିଲେ ମଧ୍ୟ ପଡିଆ ଭିତରେ ବଲ ଖୁବ ସୁନ୍ଦର ଭାବରେ ଦେଖାଯାଏ ବୋଲି କହନ୍ତି। ତାଙ୍କ ପରିସ୍ଥିତି ସମ୍ପର୍କରେ ସମସ୍ତେ ଜାଣିଛନ୍ତି। ଏଣୁ କାହାରିକୁ କିଛି କହିବେ ନାହିଁ ବୋଲି କହିବା ସହ ତାଙ୍କ ମୁଣ୍ଡରେ କେବଳ ହକି ରହିଛି ବଂଚି ଥିବା ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ ବୋଲି କହିଛନ୍ତି ଡୋମିନିକ।
ଆଦିବାସୀଙ୍କ ସଂସ୍କୃତିରେ ରହିଛି ଏହି ହକି ଖେଳ। ପିଲା ଚାଲିବା ଆରମ୍ଭ କରିବା ମାତ୍ରେ ତା ହାତରେ ହକି ଷ୍ଟିକ ଧରାଯାଏ, ଆଉ ସେହି ଆବଡା ଖାବଡା ପଡିଆରେ ପିଲାମାନେ ଆରମ୍ଭ କରିଥାନ୍ତି ଏହି ଖେଳ। ଏବେ ପରିସ୍ଥିତି ବଦଳିଛି ଆବଡାଖାବଡା ପଡିଆ ଛାଡି ପିଲାମାନେ ଆଷ୍ଟ୍ରୋଟର୍ଫରେ ଖେଳ ଶିଖୁଛନ୍ତି। ଜିଲ୍ଲାରେ ହକିର ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ୧୭ଟି ଯାକ ବ୍ଲକରେ ଟର୍ଫ ନିର୍ମାଣ କରିଛନ୍ତି ଆଉ ପିଲାମାନେ ଏଠାରେ ଖେଳ ଶିଖୁଛନ୍ତି। ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ହକି ଖେଳାଳୀ ଗଢିବାରେ ନିଜ ଜୀବନ ସଂଘର୍ଷରେ ହାରି ପଡିନାହାନ୍ତି ଡୋମିନିକ। ସେ କୌଣସି ଗୁଣରେ ଦ୍ରୋଣାଚାର୍ଯ୍ୟ ଠାରୁ କମ ନୁହନ୍ତି। ଏଣୁ ସରକାରୀ ସ୍ତରରେ ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବୁଦ୍ଧିଜିବୀ।
ହକି ତାରକା ସୃଷ୍ଟି କରିବାରେ ଡୋମିନିକଙ୍କ ପ୍ରମୁଖ ଭୂମିକା ରହିଛି, ସ୍ଵାର୍ଥପର ଦୁନିଆରେ ନିଜ କଥା ଚିନ୍ତା ନକରି ଯେଭଳି ଭାବରେ ସେ ହକି ପାଇଁ ନିଜକୁ ସମ୍ପର୍ଣ୍ଣ ଭାବରେ ସମର୍ପି ଦେଇଛନ୍ତି ଏଣୁ ନିଶ୍ଚିତ ଭାବରେ ସେ ଜଣେ ସମ୍ମାନର ବ୍ୟକ୍ତିତ୍ଵ। ଏଭଳି ଜଣେ ବ୍ୟକ୍ତିତ୍ଵଙ୍କୁ କେନ୍ୟୁଜ ପକ୍ଷରୁ ସଲାମ।