ଦୋଳ ପୂର୍ଣ୍ଣମୀ ଦିନ ନଦୀକୁ ଗାଧେଇବାକୁ ଯାଇ ଆଉ ଫେରିନାହାନ୍ତି ଅର୍ଜୁନ, ଚିନ୍ତାରେ ପରିବାର ଲୋକେ

କଣିଁହା: ସେଦିନ ଥିଲା ଦୋଳ ପୂର୍ଣ୍ଣିମା । ନଦୀରେ ଗାଧୋଇବାପରେ ଘରେ ଆସି ଆଣ୍ଠୁଆ ଗୋପାଳଙ୍କୁ ପୂଜା କରିଥାନ୍ତେ । ପିଠାପଣା ଖୁସିବାସୀରେ ପରିବାରବର୍ଗଙ୍କ ସହ ପାଳନ କରିଥାନ୍ତେ ଦୋଳ ପୂର୍ଣ୍ଣିମା । କିନ୍ତୁ ହଠାତ ଘଟିଗଲା ଅଘଟଣ । ପ୍ରତ୍ୟେକ ଦିନ ଭଳି ୧୪ ତାରିଖ ଦିନ ସକାଳ ୭ଟାରେ ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଆସିଥିଲେ ଜଣେ ବୃଦ୍ଧ । କିନ୍ତୁ ଆଉ ଫେରିନଥିଲେ ଘରକୁ । ଗାଧୋଇବା ସମୟରେ ବୁଡି ଯାଇଥିଲେ ବ୍ରାହ୍ମଣୀ ନଦୀରେ । କିଛି ଦୂରରୁ ଜଣେ ମହିଳା ଜଣକୁ ବୁଡି ଯାଉଥିବା ଦେଖି ଚିତ୍କାର କରି କହିବାପରେ ଲୋକମାନେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ।

ନିଖୋଜ ବ୍ୟକ୍ତି ଜଣକ ହେଲେ ୬୪ ବର୍ଷୀୟ ଅର୍ଜୁନ କୁମାର ସାହୁ । ଖୋର୍ଦ୍ଧା ବୋଲଗଡ ଅଞ୍ଚଳରୁ ଆସି ୪୦ ବର୍ଷ ହେବ ରେଙ୍ଗାଳି ପ୍ରୋଜେକ୍ଟ ଅଞ୍ଚଳରେ ରହି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଆସୁଥିଲେ । ଗୋଟିଏ ପୁଅ, ଗୋଟିଏ ଝିଅ ଓ ସ୍ତ୍ରୀଙ୍କୁ ନେଇ ତାଙ୍କର ଥିଲା ଛୋଟ ପରିବାର । କିନ୍ତୁ ଏ ହସ ଖୁସିର ପରିବାରରେ ବୋଧ ହୁଏ କାହାର ନଜର ଲାଗିଗଲା । ନିମିଷକରେ ସବୁକିଛି ଓଲଟ ପାଲଟ ହୋଇଗଲା । ବୃଦ୍ଧ ଜଣକ ଗାଧୋଇବା ସମୟରେ ବୁଡି ନିଖୋଜ ହେବାର ୩ ଦିନ ବିତିଗଲାଣି ।

କିନ୍ତୁ ଆଜି ପର୍ଯ୍ୟନ୍ତ ବି ମିଳିପାରୁନି ବୃଦ୍ଧଙ୍କ ଖୋଜ ଖବର । ଅନୁଗୁଳ ଜିଲ୍ଲା କଣିଁହା ବ୍ଳକ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ଅଞ୍ଚଳରେ ବ୍ରାହ୍ମଣୀ ନଦୀରେ ଘଟିଛି ଏଭଳି ଏକ ଅଘଟଣ । ତେବେ ବୃଦ୍ଧ ଜଣକ ଭାସିଯାଉଥିବାର ଦେଖି ଅଗ୍ନିଶମ ବାହିନୀ ଏବଂ ରେଙ୍ଗାଳି ପୋଲିସକୁ ଖବର ଦେଇଥିଲେ ନଦୀକୂଳରେ ଉପସ୍ଥିତ ଥିବା ଲୋକ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି କରିଥିଲେ । କିନ୍ତୁ ଖୋଜିବାରେ ବିଫଳ ହୋଇଥିଲେ ଦମକଳ ବାହିନୀ ।

ଢେଙ୍କାନାଳରୁ ଓଡ୍ରାଫ ଟିମ୍ ଆସି ଏବେ ଖୋଜାଖୋଜି ଜାରି ରଖିଛନ୍ତି ହେଲେ । ୩ ଦିନ ହେବ ଏପର୍ଯ୍ୟନ୍ତ ମିଳିପାରିଲାନି ନିଖୋଜ ବ୍ୟକ୍ତିଙ୍କ କୌଣସି ଖବର । ଅନ୍ୟପଟେ ଦମକଳ ବାହିନୀ ଏବଂ ଓଡ୍ରାଫ ଟିମର କାଯ୍ୟକୁ ନେଇ ସନ୍ତୁଷ୍ଟ ନାହାନ୍ତି ପରିବାରବର୍ଗ ଓ ଅଞ୍ଚଳବାସୀ । ଦେଖିଥିବା ଲୋକଙ୍କ କହିବା ଅନୁଯାୟୀ ଯେଉଁ ସ୍ଥାନରେ ଅର୍ଜୁନ ବୁଡିଥିଲେ ସେହି ସ୍ଥାନରେ କିମ୍ବା ନଦୀର ପାଖାପାଖି ସ୍ଥାନ ଗୁଡିକରେ ଦମକଳ ବାହିନୀ ନଖୋଜି ଖୋଜୁଛନ୍ତି ଅଲଗା ସ୍ଥାନରେ ବୋଲି କୁହନ୍ତି ନିଖୋଜ ବ୍ୟକ୍ତିଙ୍କ ପୁଅ ଅଶୋକ ଓ ଅଞ୍ଚଳବାସୀ ।

ଯଦି NDRF ଟିମ୍ ଆସି ଖୋଜାଖୋଜି କରନ୍ତେ ତେବେ ମିଳି ପାରନ୍ତା ବୋଲି କହୁଛନ୍ତି ଅଞ୍ଚଳବାସୀ । ଏପଟେ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ କହିବା ଅନୁଯାୟୀ ଖୋଜିବାରେ କୌଣସି ପ୍ରକାର ବ୍ୟତିକ୍ରମ କରାଯାଇନାହିଁ । ତେବେ କେବେ ମିଳୁଛି ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ତାକୁ ହିଁ ସମସ୍ତଙ୍କ ଅପେକ୍ଷା ।

Also read: ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ, ବଲ ଆଣିବାକୁ ଯାଇ ବୁଡ଼ିଯାଇଥିଲେ