ପୃଥିବୀ ଉପରେ ମାଡ଼ି ଆସୁଛି ବଡ଼ ବିପଦ, ଗ୍ଲେସିୟର ତରଳିବାରୁ ୟୁକେ-ଗ୍ରୀନଲ୍ୟାଣ୍ଡରେ ଆସିପାରେ ଭୟଙ୍କର ସୁନାମୀ

ପୃଥିବୀ ଉପରେ ମାଡ଼ି ଆସୁଛି ବଡ଼ ବିପଦ। ପୁଣିଥରେ ଆସିପାରେ ଭୟଙ୍କର ସୁନାମୀ। ଜଳବାୟୁ ପରିବର୍ତ୍ତନ ନେଇ ପ୍ରତିଦିନ ନୂଆ ନୂଆ ଭବିଷ୍ୟତବାଣୀ ଆସୁଥିବା ବେଳେ ଏବେ ଏଭଳି ସତର୍କ ସୂଚନା ଦେଇଛନ୍ତି ବିଶେଷଜ୍ଞ। ନିକଟରେ ଜଳବାୟୁ ପରିବର୍ତ୍ତନ ନେଇ ଏକ ଅଧ୍ୟୟନ ହୋଇଥିଲା। ଏହି ରିସର୍ଚ୍ଚରେ ଅଂଶଗ୍ରହଣ କରିଥିବା ଜଳବାୟୁ ଗବେଷକଙ୍କ କହିବାନୁସାରେ, ଯଦି ଆର୍କଟିକ୍‌ର ବରଫ ବା ଗ୍ଲେସିୟର ଏମିତି ହିଁ ତରଳୁଥିବ ତେବେ ଏହାର ପ୍ରଭାବ ୟୁକେ ଓ ଗ୍ରୀନ୍‌ଲ୍ୟାଣ୍ଡ ଉପରେ ପଡ଼ିବ। ବରଫ ପାହାଡ଼ ତରଳିଲେ ଆଗକୁ ଏହି ଦୁଇ ଦେଶରେ ଭୟଙ୍କର ସୁନାମୀ ଆସିପାରେ ବୋଲି ପରିବେଶବିତ୍‌ ସତର୍କ କରାଇଛନ୍ତି।

ଅଧ୍ୟୟନରେ କୁହାଯାଇଛି ଯେ ଆର୍କଟିକ ତରଳିବା ଯୋଗୁ ୟୁକେ ଓ ଗ୍ରୀନ୍‌ଲ୍ୟାଣ୍ଡ ପାଖରେ ଥିବା ମହାସାଗରର ଜଳସ୍ତର ପ୍ରତିବର୍ଷ ୨.୫ ସେମି ବଢ଼ୁଛି। ଏହି ବରଫର ଚାପରେ ସ୍ଥାନୀୟ ଅଞ୍ଚଳରେ ଏଭଳି ପରିବର୍ତ୍ତନ ଆସିବ, ଯାହାର ଫଳସ୍ୱରୂପ ଦେଶରେ ସୁନାମୀ ଆସିବ। ବିରାଟ ବିରାଟ ବରଫ ଖଣ୍ଡ ତରଳିବା ଯୋଗୁ ସ୍ଥାନୀୟ ସମୁଦ୍ର ତଳେ ଟେକ୍ଟୋନିକ ପ୍ଲେଟ୍ସକୁ ଏତେ ମାତ୍ରାରେ ପ୍ରଭାବିତ କରିବ, ଯାହା ଦ୍ୱାରା ସମୁଦ୍ର ତଳେ ଭୂମିକମ୍ପ ଆସିବ। ଫଳସ୍ୱରୂପ ଏକ ବିନାଶକାରୀ ସୁନାମୀ ଗ୍ରୀନ୍‌ଲାଣ୍ଡ ଓ ୟୁକେରେ ପ୍ରଳୟ ରଚିବ।

ଲଣ୍ଡନର ୟୁନିଭର୍ସିଟି କଲେଜର ଆର୍ଥ ସାଇନ୍ସର ପ୍ରଫେସର ବିଲ ମେଗବାୟର ଏହି ଚେତାବନୀ ଦେଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ଗାଏବ ହୋଇଯାଉଥିବା ବରଫର ଚାଦର ମହାସାଗରର ଟେକ୍ଟୋନିକ ପ୍ଲେଟ୍ସରେ ଅସ୍ଥିରତା ସୃଷ୍ଟି କରିବ। ଫଳରେ ଗ୍ରୀନ୍‌ଲାଣ୍ଡ ଆଖପାଖ ଅଞ୍ଚଳରେ ଭୟଙ୍କର ଭୂମିକମ୍ପ ହେବ। ଏହା ଦ୍ୱାରା ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ ବି ପ୍ରଭାବିତ ହେବ ବୋଲି ବିଲ୍‌ କହିଛନ୍ତି।

Leave A Reply

Your email address will not be published.