ବନ୍ୟା ପାଣିରେ କଲୋନୀକୁ ପଶି ଆସିଲା ୮ ଫୁଟ ଲମ୍ବ କୁମ୍ଭୀର, ଭାଇରଲ ହେଉଛି ଭୟଙ୍କର ଭିଡିଓ

ବର୍ଷା ଯୋଗୁଁ ଚାରିଆଡେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏମିତିରେ ବର୍ଷା ପାଣିରେ କେତେ ଜୀବଜନ୍ତୁ ଭାସିଯାଉଥିବା ଖବର ଆପଣ ନିଶ୍ଚିତ ଜାଣିଥିବେ। ହେଲେ କେବେ ଆପଣ ବନ୍ୟା ପାଣିରେ ଗାଁ ଦାଣ୍ଡକୁ କୁମ୍ଭୀର ପଶି ଆସିଥିବା ହୁଏତ ଜାଣିନଥିବେ। ଏମିତି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି।

ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଚାରିଆଡେ ବର୍ଷା ପାଣି ପଶୁଥିବାର ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ଏମିତିରେ ଶିବପୁରୀ ଜିଲ୍ଲାରେ ଏମିତି ଘଟଣା ଦେଖିବାକୁ ମିଳିଛି, ଯାହା ଲୋକଙ୍କ ଚିନ୍ତା ଆହୁରି ବଢାଇଦେଇଛି। ଏଠିକାର କଲୋନୀରେ ବର୍ଷା ପାଣି ସହିତ କୁମ୍ଭୀର ପଶିଯାଇଥିବା ଯୋଗୁଁ ସ୍ଥାନୀୟଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଭାଇରଲ ଭିଡିଓରେ ଆପଣ ଦେଖିପାରିବେ କି କିଭଳି କୁମ୍ଭୀର କଲୋନୀ ରାସ୍ତାରେ ପହଁରୁଛି। ବର୍ଷା ପାଣିରେ ରାସ୍ତା ଉବୁଡୁବୁ ରହିଥିବା ବେଳେ କୁମ୍ଭୀରକୁ ଲୋକେ ଛାତ ଉପରୁ ରହି ଦେଖୁଛନ୍ତି। ସମସ୍ତେ ରାସ୍ତାରେ କୁମ୍ଭୀର ଦେଖି ଆଶ୍ଚର୍ଯ୍ୟ ହୋଇପଡିଛନ୍ତି।
ଖବର ମୁତାବକ, ଏହି ଘଟଣା ବିଷୟରେ ପୋଲିସକୁ ଖବର ଦିଆଯିବା ପରେ ଏସଡିଓପି ଅଜୟ ଭାର୍ଗବ କହିଛନ୍ତି, କୁମ୍ଭୀରଟି ପୁରୁଣା ବସ୍‌ ଷ୍ଟାଣ୍ଡ ପାଖରେ ଥିବା ଏକ କଲୋନୀରେ ସକାଳରେ ଦେଖିବାକୁ ମିଳିଥିଲା। ଯାହା ପରେ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା।

କଲୋନୀବାସୀ ଭୟଭୀତ ହେବା ପରେ ମାଧବ ନ୍ୟାସନାଲ ପାର୍କର ଏକ ଉଦ୍ଧାରକାରୀ ଦଳ ଆସି ଅକ୍ଲାନ୍ତ ପରିଶ୍ରମ କରି କୁମ୍ଭୀରକୁ ଧରିଥିଲେ। ଏହି କୁମ୍ଭୀରର ଲମ୍ବ ୮ ଫୁଟ ରହିଥିଲା। ଯାହାକୁ ଧରାଯିବା ପରେ ସାଗର ହ୍ରଦରେ ଛଡାଯାଇଥିଲା। କୁମ୍ଭୀରଟି ପାର୍କ ପାଖରେ ଥିବା ନାଳ ଦ୍ୱାରା କଲୋନୀକୁ ବର୍ଷା ପାଣିରେ ଭାସି ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.