ନିଆରା ପରମ୍ପରା: ନଦୀ ମଝିରେ ମା’ଦୁର୍ଗତିନାଶିନୀଙ୍କ ମେଲାଣି ପର୍ବ

ରାଜନଗର: ଭିନ୍ନ ପରମ୍ପରା  । ନଦୀ ମଝିରେ ହେଲା ମେଲଣ । ଏବେ ସମଗ୍ର ରାଜ୍ୟରେ ଚାଲିଛି ଜଗତଜନନୀ ମା’ ଦୁର୍ଗତିନାଶିନୀଙ୍କର ମେଲାଣି ପର୍ବ । ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ମା’ଙ୍କ ମେଲାଣି ଉତ୍ସବକୁ ବେଶ ଧୁମଧାମରେ ନାଚ, ଗୀତ ଓ ଭକ୍ତି ଭାବର ସହ ପାଳନ କରୁଛନ୍ତି । ତେବେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତିକୁ ଶୋଭାଯାତ୍ରାରେ ନେଇ ବିଭିନ୍ନ ନଦୀ ନାଳରେ ବିସର୍ଜନ କରାଯାଉଛି । କିନ୍ତୁ କେନ୍ଦ୍ରାପଡା ଜିଲ୍ଲାର  ରାଜନଗର ଅଞ୍ଚଳରେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାରେ ରାଜାରାଜୁଡା ଶାସନ ସମୟରୁ ଏହା ପ୍ରଚଳିତ ହୋଇଆସୁଛି । ପ୍ରଚଳିତ ପରମ୍ପରାକୁ ସମ୍ମାନ ଜଣାଇ ବିଜୟା ଦଶମୀ ପର ଦିନ ଭିନ୍ନ ଓ ନିଆରା ଢଙ୍ଗରେ ଦୁର୍ଗତିନାଶିନୀଙ୍କର ହଂସୁଆ ନଦୀରେ ଚେପକେଳୀ ଖେଳି ବିସର୍ଜନ କରାଯାଇଥାଏ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ।

ରାଜନଗର ବଜାରରେ ପ୍ରତ୍ୟେକ ବର୍ଷ ୨୮ ଟି ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥାନ୍ତି । ୨୮ଟି ମେଢ଼ରୁ ଆଜି ୪ଟି ମେଢ଼କୁ ହାଂସୁଆ ନଦୀରେ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ଚାପ ଡଙ୍ଗାରେ ବିଜେ କରାଇ ନୌକା ବିହାର କରାଇ ବିସର୍ଜନ କରାଇଥିଲେ । ଏପରି ଏକ ନିଆରା ଭସାଣି ଦୀର୍ଘ ଦୁଇ ଶହ ବର୍ଷ  ପୁରୁଣା ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା । ତତ୍କାଳୀନ କନିକା ରାଜା ଭୁଜବଳ ଭଞ୍ଜଦେଓଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ମେଳଣକୁ ସ୍ଥାନୀୟ ଲୋକେ କନିକା ରାଜା ଓ ରାଜ ପରିବାରକୁ ସାମ୍ମାନ ଜଣାଇ ଏହି ପରମ୍ପରାକୁ ବଜାୟ ରଖିଛନ୍ତି ।

ପ୍ରଜା ଓ ଅଞ୍ଚଳକୁ ବ୍ୟାପିଥିବା ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ମା’ଙ୍କର ପୂଜା ଆରମ୍ଭ ହୋଇଥିଲା ଏଠାରେ ।ରାଜାଙ୍କ ରାଜତ୍ୱ ସମୟରେ ରାଜନଗରରେ ଗମନାଗମନର ସୁବିଧା ସ୍ଥଳ ପଥରେ ନଥିବାରୁ କନିକା ରାଜା ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରି ହଂସୁଆ ନଦୀରେ ଡଙ୍ଗାରେ ମା’ଙ୍କୁ ସାତ ଥର ନାବକେଳି କରି ହଂସୁଆ ନଦୀରେ ବିସର୍ଜନ କରୁଥିଲେ । ଯଦିଓ ରାଜା ରାଜୁଡା ଅମଳ ଆଉ ନାହିଁ, ତଥାପି ସ୍ଥାନୀୟ ଲୋକେ ରାଜାଙ୍କ ଦ୍ଵାରା ପ୍ରଚଳିତ ପରମ୍ପରା ଓ ଐତିହ୍ୟକୁ ଉଜ୍ଜିବିତ କରି ରଖିଛନ୍ତି ।

ପୂର୍ବରୁ କେବଳ ମେଢ଼ ଥାନପତି ମା’ଦୁର୍ଗା ଯାହାକି ରାଜା ଭୁଜବଳ ଭଞ୍ଜଦେବଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା । ସେହି ମେଢ଼ ନାବକେଳି କରି ହଂସୁଆ ନଦୀରେ ବିସର୍ଜନ କରାଯାଉଥିଲା । ପ୍ରାୟ ଦୁଇ ଦଶନ୍ଦି ହେବ ପ୍ରତ୍ୟେକ ବର୍ଷ ଥାନପତି ଦୁର୍ଗା ମେଢ଼ ସହ ସାରଳା ମେଢ଼, ଗଙ୍ଗାମାତା ଓ ବନଦୁର୍ଗା ଏହି ମେଳଣରେ ସାମିଲି ହୋଇଥାନ୍ତି । ହଂସୁଆ ନଦୀରେ ୭ଘେରା ନାବକେଳି କରି ଏକ ସଙ୍ଗେ ବୁଲିବା ପରେ ବିସର୍ଜନ ହୋଇଥାନ୍ତି ।

ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଗୋପାଳ ଜାତିର ପୁରୁଷ ମାନେ ଏହି ୪ଟି ମେଢ଼କୁ ପୂଜା ମଣ୍ଡପରୁ କାନ୍ଧେଇ ଆଣିଥାନ୍ତି, ହଂସୁଆ ନଦୀ ପାଖକୁ ଡଙ୍ଗାରେ ନାବକେଳି କରିବା ପାଇଁ। ଜିଲ୍ଲାରୁ ହଜାର ହାଜର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଏହି ମେଲଣରେ ସାମିଲ୍ ହୋଇଥାନ୍ତି ହଂସୁଆ ନଦୀ କୂଳରେ ଏପରି ଏକ ନିଆରା ଭସାଣି ଉତ୍ସବ ଦେଖିବା ପାଇଁ । ୪ଟି ମେଢ଼ ନଦୀ ମଝିରେ ନୌକା ବିହାର କରିବା ସହ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ଡଙ୍ଗାରେ ନାଚିବା ବେଶ ମନୋରମ ହୋଇଥାଏ । ତେବେ ଚଳିତବର୍ଷ ପୁଣି ଥରେ ନଦୀରେ ମେଲଣ ଅନୁଷ୍ଠିତ ହୋଇଥିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ନଦୀ ରେ କୌଣସି ଅଘଟଣ ଯେପରି ନ ହୁଏ ସେଥିପ୍ରତି ସ୍ଥାନୀୟ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।