ସରିଗଲା ଦୁର୍ଗା ପୂଜା, ନିଜ ମା’କୁ ଅବହେଳା କରୁଥିବା ଲୋକେ ପ୍ରତିମା ଭିତରେ କଣ ଖୋଜିଲେ ଓ କଣ ପାଇଲେ ?

ଦୁଇ ବର୍ଷର କରୋନା କଟକଣା ହଟିଗଲା ପରେ ଏଥର ଦୁର୍ଗାପୂଜାକୁ ଖୁବ୍‌ ମନଭରି ଉପଭୋଗ କରିଛନ୍ତି ଲୋକେ । ଏମିତିକି ପ୍ରବଳ ବର୍ଷା ସତ୍ତ୍ୱେ ନା ଆୟୋଜନ ନା ଦର୍ଶକ କାହାର ବି ଉତ୍ସାହ କମି ନଥିଲା । ମଣ୍ଡପ ଗୁଡ଼ିକରେ ପ୍ରତିଦିନ ପ୍ରବଳ ଭିଡ଼ ଦର୍ଶାଇ ଦେଉଥିଲା କି କେତେ ଉତ୍କଣ୍ଠାରେ ଲୋକେ ଅପେକ୍ଷା କରିଲେ ଏ ବର୍ଷର ଦଶହରାକୁ । ସେ ମଣ୍ଡପରେ ଦୈନିକ ପୂଜା ବେଳେ ହେଉ କି ଦଶହରା ରାବଣ ପୋଡ଼ି ଅବା ଭସଣୀ ଉତ୍ସବ, ସବୁଠାରେ ଅସମ୍ଭବ ଲୋକ ଗହଳିରେ ଫାଟି ପଡ଼ିଥିଲା ବିଭିନ୍ନ ସ୍ଥାନ ।

ସେହିପରି ପୂଜାକୁ ପ୍ରବଳ ବର୍ଷା ଭିଜାଇ ଦେଇଥିଲେ ମଧ୍ୟ ସାଜସଜ୍ଜା ମଧ୍ୟ କମିନଥିଲା । ପ୍ରତିଯୋଗିତାମୂଳକ ଭାବେ ଆୟୋଜକମାନେ ନିଜର ସାମର୍ଥ୍ୟ ଦର୍ଶାଇ ବିଶାଳ ତୋରଣ ସାଙ୍ଗକୁ ଆକର୍ଷଣୀୟ ମେଢ଼ ସବୁ ପ୍ରସ୍ତୁତ କରିଥିଲେ । ରାଜ୍ୟ ଓ ରାଜ୍ୟ ବାହାରର କାରିଗରମାନେ ମାସ ମାସ ଧରି ତୋରଣ ତିଆରିରେ ଲାଗିଥିଲେ । ଆଉ ତାଙ୍କ ସହିତ ମୂର୍ତ୍ତି କାରିଗରମାନେ ମଧ୍ୟ ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତିକୁ ଜୀବନ୍ତ ଭାବେ ଗଢ଼ିବାରେ ଲାଗି ପଡ଼ିଥିଲେ । ମୂର୍ତ୍ତି, ମେଢ଼ ଏବଂ ତୋରଣ ସହିତ ଆଲୋକ ସଜାରେ ଚମକି ଉଠିଥିଲା ପୂଜା ମଣ୍ଡପ ସବୁ । ଲୋକେ ଖୁବ୍‌ ଉପଭୋଗ କରିଥିଲେ ଏଥର ପୂଜାକୁ ।

DIPA

ହେଲେ ଏସବୁ ଭିତରେ ସୋସିଆଲ ମିଡିଆରେ ଗୋଟିଏ ଫଟୋ ଓ ଧାଡ଼ିଏ ଲେଖା ଆମକୁ ବହୁତ ପ୍ରଭାବିତ କରିଥିଲା । ହୁଏତ ଅନେକ ଲୋକଙ୍କୁ ମଧ୍ୟ ଏହି ଲେଖାଟି ଟିକେ ଭାବିବାକୁ ବାଧ୍ୟ କରିଥିବ । ଲେଖାଟି ହେଉଛି ‘ପ୍ରତିମାରେ ନୁହେଁ, ପ୍ରତି ମା’ରେ ରହିଛନ୍ତି ଦୁର୍ଗା’ । ଏହି ଲେଖା ସହିତ ଜଣେ ବୃଦ୍ଧା ଭିକାରୁଣୀଙ୍କୁ ଭିକ ମାଗୁଥିବା ଫଟୋ ରହିଛି । ଆଉ ପରୋକ୍ଷରେ ଯେମିତି କହୁଛି, ଆମେ କେବଳ ଆମର ଖୁସି ଏବଂ ମନୋରଞ୍ଜନ ପାଇଁ ପୂଜା ସବୁର ଆୟୋଜନ କରୁଛୁ । ହେଲେ ବାସ୍ତବତାକୁ ଆଖି ବୁଜି ଦେଉଛୁ ।

ସେଇ ପୁରାଣର କଥା କହୁଛୁ କି ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଏବଂ ନ୍ୟାୟର ବିଜୟ ସ୍ୱରୂପ ଆମେ ପାଳୁଛୁ ଦଶହରା । ରାବଣ ପୋଡ଼ି ରାମଙ୍କର ଜୟଗାନ କରୁଛୁ । ହେଲେ ରାବଣ ପୋଡ଼ିରେ ଯଦି ବାଣ ଫୁଟନ୍ତାନି, ଆତସବାଜି ହୁଅନ୍ତାନି ତାହା ହେଲେ କଣ ଆମେ ପୂଜା ମଣ୍ଡପ ନିକଟରେ ଭିଡ଼ ଲଗାନ୍ତେ ? ଯେଉଁ ମଣ୍ଡପରେ ବିଶେଷ ସାଜସଜା ହୁଏନି ଆମେ କଣ ସେଠାକୁ ଯାଉ ? ଆଉ ଯଦି ସେଠାକୁ ଯାଉ ତେବେ କେତେ ସମୟ ସେଠାରେ ରହୁ ? ଏକଥା ଆମେ ନିଜ ମନକୁ ପଚାରିଲେ ତାର ଉତ୍ତର ପାଇଯିବା । ଯେଉଁଠି ଭଲ ସାଜସଜ୍ଜା ହୋଇଥାଏ ସେଇଠି ଆମର ମନ ଲାଗିଯାଏ । ଆମେ କେବେ ଭାବିଛନ୍ତି କି ଯେଉଁ ମଣ୍ଡପରେ ଅତ୍ୟନ୍ତ ନିଷ୍ଠାର ସହ ପୂଜା କରାଯାଏ ସଠି ବସି ମା’ଙ୍କୁ ଟିକେ ଧ୍ୟାନ କରିବା କି ? ହୁଏତ ନା ।

LIGHT-1

ଶକ୍ତି ରୁପିଣୀ ମା ଦୁର୍ଗା ମହିଷାସୁରକୁ ମାରି କେବଳ ଏ ଧରାପୃଷ୍ଠକୁ ନୁହେଁ ସ୍ୱର୍ଗର ଦେବତାମାନଙ୍କୁ ମଧ୍ୟ ତାର ଅତ୍ୟାଚାରରୁ ମୁକ୍ତ କରିଥିଲେ । ହେଲେ ଏବେ ତ ଘରେ ଘରେ ଅସୁର । ନିଜ ସ୍ୱାର୍ଥ ପାଇଁ ନିଜ ଜନ୍ମ କଲା ମା’କୁ ବି ମାରିବାକୁ ପଛାଉ ନାହାନ୍ତି । ଯେଉଁ ନାରୀ ଶକ୍ତିକୁ ଆମେ ପୂଜା କରୁଛୁ ତାକୁ ଖିନ୍‌ଭିନ୍‌ କରିବାର ମଉକା ଖୋଜୁଛୁ । ମାତୃଶକ୍ତିର ମର୍ଯ୍ୟାଦା କ୍ଷୁଣ୍ଣ କରି ଆମେ ରାମ ବନି ଯାଉଛୁ ନା ରାବଣ ? ଏ ଉତ୍ତର ମଧ୍ୟ ଆପଣମାନଙ୍କ ପାଖରେ ରହିଛି । ହେଲେ ଏହି କଥାକୁ ଆମେ ସ୍ମରଣ ନକରି, ମାଟିର ପ୍ରତିମା ପାଖରେ ମୁଣ୍ଡ ନୁଆଁଇ, ଦୀପ ଧୂପ ଜାଳି ଭାବୁଛୁ କି କିଛି ପୁଣ୍ୟ ହାସଲ କରିଗଲୁ । ଜୀବନ୍ତ ମାତୃଶକ୍ତିକୁ ଭୁଲି ପ୍ରତିମାରେ ଖୋଜୁଛି ମା’ଙ୍କୁ । ମନରେ ଲୋଭ ରହିଛି, କାଳେ କିଛି ଚମତ୍କାର କରିଦେବେ ମୃଣ୍ମୟୀ ପ୍ରତିମା । ଆମର ଭାଗ୍ୟ ବଦଳାଇ ଦେବେ ।

ହେଲେ ପ୍ରକୃତି ସହ ତୁଳନୀୟ ଏଇ ମାତୃଶକ୍ତି ହିଁ ଆମକୁ ରକ୍ଷା କରୁଛି । ଯାହା ଆମେ ହୁଏତ ବୁଝିବାକୁ ଅକ୍ଷମ । ଠିକ୍‌ ପ୍ରକୃତିକୁ ନଷ୍ଟ କରି ବିନାଶକୁ ଡାକି ଆଣିଲା ଭଳି ଏ ମଣିଷ ଜାତି ମାତୃଶକ୍ତିର ସଠିକ୍‌ ଆକଳନ କରିବକୁ ସମର୍ଥ ହେଉ ନାହିଁ । ଯାହା ତାର ବିନାଶର ଆଉ ଏକ କାରଣ ହେବାକୁ ଯାଉଛି । ଆହୁରି ମଧ୍ୟ ବର୍ତ୍ତମାନର ମା ବି ନିଜ ଶକ୍ତି, କର୍ତ୍ତବ୍ୟ ଏବଂ ପ୍ରକୃତିର ଧାରାକୁ ନବୁଝିଲେ ଆଗାମୀ ପିଢ଼ି କେବଳ ଧ୍ୱଂସ ରାସ୍ତାରେ ହିଁ ଚାଲିବ । ତେଣୁ କେବଳ ପୁରୁଷ ନୁହେଁ ନାରୀ ମଧ୍ୟ ପ୍ରତି ମା’ରେ ମା ଦୁର୍ଗାଙ୍କୁ ଖୋଜିବା ଦରକାର । ଖାଲି ତାମସିକ ପୂଜାରେ କେବଳ ବାହ୍ୟ ସୁଖ ସିନା ମିଳିବ ହେଲେ ଅନ୍ତର ଭିତର ଶୂନ୍ୟ ରହିଯିବ । ଏହାକୁ ହୁଏତ କିଛି ଲୋକ ଭାଷଣବାଜି ବୋଲି କହି ପାରନ୍ତି ହେଲେ ସେମାନେ ସତ୍ୟକୁ ମୁହଁ ମୋଡ଼ିବା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ପ୍ରମାଣିତ ହେବ ।

 

 

Leave A Reply

Your email address will not be published.