ପ୍ରଥମେ ମାସ୍କ ମେକ୍ଅପ୍ ନେଲା, ଆଉ ଏବେ ହେଲ୍ମେଟ୍ ନେବ ହେୟାର ଷ୍ଟାଇଲ୍

ଭୁବନେଶ୍ୱର (ତୃଷ୍ଣା ପ୍ରିୟଦର୍ଶିନୀ): ରାତି ପାହିଲେ ପାଦ ଥାପିବ ନୂଆବର୍ଷ। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ୨୦୨୦ ଯେଭଳି କଷ୍ଟ ଦେଉଛି ଲୋକମାନେ ତ୍ରାହି ତ୍ରାହି ଡାକିଲେଣି। ଏଣୁ ସମସ୍ତେ ଆଶା କରୁଛନ୍ତି ନୂଆବର୍ଷ ଆସିବ ନୂଆ ଆଶା ଆକାଂକ୍ଷା ନେଇ। ମାତ୍ର ଏ ନୂଆ ନିୟମ ନୂଆ ବର୍ଷରେ ବି ଲୋକଙ୍କୁ ଟିକେ ଶାନ୍ତିରେ ରହିବାକୁ ଦେବ ନାହିଁ ଭଳି ଲାଗୁଛି। କାରଣ ନୂଆ ବର୍ଷ ନ ଆସୁଣୁ ସରକାର ଆଣିସାରିଲେଣି ବିଭିନ୍ନ ନିୟମ।
ଜାନୁଆରୀ ପହିଲାରୁ ବଦଳୁଛି ଅନେକ ନିୟମ। ଏହି ନିୟମ ମଧ୍ୟରେ ଟ୍ରାଫିକ୍ ନିୟମ ବି ରହିଛି। ନୂଆବର୍ଷଠାରୁ ହେଲମେଟ୍ ଚେକିଂ କଡ଼ାକଡ଼ି ହେବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି। ପୂର୍ବରୁ ବାଇକ ଚାଳକ ହେଲ୍ମେଟ୍ ପିନ୍ଧିବା ନିୟମ ଥିବା ବେଳେ ଏବେ ପଛରେ ବସିବା ଲୋକ ବି ହେଲମେଟ୍ ପିନ୍ଧିବେ। ନୂଆବର୍ଷଠାରୁ ଟ୍ରାଫିକ୍ ତରଫରୁ ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ। ଆଉ ଯିଏ ଏହି ନିୟମ ନ ମାନିବ ସେ ମୋଟା ଅଙ୍କର ତଣ୍ଡ ଗଣିବ।
ତେବେ ପଛ ଲୋକ ବି ହେଲମେଟ୍ ପିନ୍ଧିବା କଥା ଶୁଣିବା ପରେ କିଛି ଲୋକ ବାଇକ୍ ପଛରେ ସାଙ୍ଗ ସାଥୀ କିମ୍ବା ରାସ୍ତା ମଝିରୁ ଚିହ୍ନା ଲୋକଙ୍କୁ ବି ନେବାକୁ ଡରିଲେଣି। କାରଣ ରାସ୍ତାରେ କୋଉଠି କିଏ ଦେଖା ହେବ ତାହା କେହି ଜାଣନ୍ତି ନାହିଁ। ଆଉ ଏଭଳି ସ୍ଥିତିରେ ଯଦି ମାନବିକତା ଦେଖାଇବ ତେବେ ମଲ। କାରଣ ଧରାପଡ଼ିଲେ ପକେଟ୍ରୁ ପଇସା ତ ଯିବ ଯିବ ତେଣେ ଇଜ୍ଜତ ବି ଯିବ। ଏଣୁ ଏବେ ଠୁ କିଛି ଲୋକ ଆଉ କାହାକୁ ପଛରେ ବସେଇବେନି ବୋଲି ମନସ୍ଥ କରିସାରିଲେଣି।
ତେବେ ଝିଅ ତଥା ଯୁବତୀଙ୍କ ପାଇଁ ଏହି ଟ୍ରାଫିକ୍ ନିୟମ ଅଧିକ ଅଡ଼ୁଆ ସୃଷ୍ଟି କରିବ। କାରଣ କରୋନା ଯୋଗୁ ପୂର୍ବରୁ ହିଁ ସେମାନଙ୍କ ମେକ୍ଅପ୍ ଯାଇଛି। ମାସ୍କ ପିନ୍ଧୁଥିବାରୁ କିଛି ଯୁବତୀ ଲିପ୍ଷ୍ଟିକ୍ ଲଗାଇବା ଛାଡ଼ିସାରିଲେଣି। ଆଉ ଯାହା ହେୟାର ଷ୍ଟାଇଲ୍ ଟିକକ କରୁଥିଲେ ଏ ଟ୍ରାଫିକ୍ ହେଲମେଟ୍ ଯୋଗୁ ସେତକ ବି ଯିବ। ଡ୍ରେସ୍ ପିନ୍ଧୁଥିବା ଝିଅଙ୍କର ତ ଗୋଟେ ପ୍ରକାରର ଚଳିବ। କିନ୍ତୁ ଯେଉଁମାନେ ଶାଢ଼ି ପିନ୍ଧୁଛନ୍ତି, ସେମାନେ ଓଢ଼ଣା ନ ଦେଇ ଏବେ ହେଲମେଟ୍ ପିନ୍ଧିବେ। ଏହା ଜାଣିବା ପରେ କିଛି ସ୍ତ୍ରୀ ଆଉ ସ୍ୱାମୀଙ୍କ ବାଇକ୍ ପଛରେ ବସିବେନି ବୋଲି ବି ରୋକ୍ଠୋକ୍ ଶୁଣାଇ ଦେଇଥିବା ଦେଖାଯାଇଛି। ଏଣୁ ମୁହଁରେ କହୁନଥିଲେ ବି ମନେ ମନେ ବିଭାଗକୁ ବହେ ଶୋଧିସାରିଲେଣି ମହିଳାମାନେ।
ତେବେ ଇଚ୍ଛା ନଥିଲେ ବି ଆମକୁ ଏହି ନିୟମ ମାନିବାକୁ ପଡ଼ିବ। କାହିଁକିନା ସୁରକ୍ଷା ଆଗ। ଏଣୁ ଆମେ ସମସ୍ତେ କାଲିଠାରୁ ଟ୍ରାଫିକ୍ ନିୟମ ମାନିବା ଓ ନିଜକୁ ସୁରକ୍ଷିତ ରଖିବା। ନୂଆବର୍ଷ ପାଇଁ ଏହା ସମସ୍ତଙ୍କ ସଂକଳ୍ପ ହେବା ଦରକାର।