ମା’ଠାରୁ ବିପଦ ଆଭାସ ମିଳିବା କ୍ଷଣି ଭାଇବ୍ରେଟ ହୋଇଥାଆନ୍ତି ଅଣ୍ଡା, ପରସ୍ପରକୁ କରାନ୍ତି ସତର୍କ, ପଢ଼ନ୍ତୁ ଏହି ଆଶ୍ଚର୍ଯ୍ୟକର ରିପୋର୍ଟ
ଅଣ୍ଡା ବି ପରସ୍ପର ସହ କଥା ହୁଅନ୍ତି। ସ୍ପେନ୍ର ଭିଗୋ ୟୁନିଭର୍ସିଟିରେ କରାଯାଇଥିବା ଏକ ରିସର୍ଚ୍ଚରୁ ଏହା ଜଣାପଡ଼ିଛି। ଗବେଷଣା ମୁତାବକ, ମା’ଠାରୁ ବିପଦ ସଙ୍କେତ ମିଳିବା କ୍ଷଣି ଅଣ୍ଡା ଭାଇବ୍ରେଟ୍ ହୋଇ ଜଣେ ଆଉ ଜଣଙ୍କୁ ଆଲର୍ଟ କରାଇ ଥାଆନ୍ତି। ବିଶେଷଜ୍ଞମାନେ ଏହି ଗବେଷଣା ହଳଦିଆ ଗୋଡ଼ ଥିବା ଚଢ଼େଇ(ୟେଲୋ ବେଲିଡ୍ ଗଲ୍)ର ୯୦ଟି ଅଣ୍ଡା ଉପରେ କରିଥିଲେ।
ସାଉଣ୍ଡପ୍ରୁଫ୍ କୋଠରୀରେ ଦେଖାଦେଇ ନ ଥିଲା ପ୍ରଭାବ
ବିଶେଷଜ୍ଞମାନେ କହିଥିଲେ ଯେ ବିପଦର ଆଭାସ ମିଳିବା କ୍ଷଣି ଗୋଟିଏ ଅଣ୍ଡା ପାର୍ଶ୍ୱରେ ଥିବା ଆଉ ଗୋଟିଏ ଅଣ୍ଡାକୁ ସତର୍କ କରାଇଥାଏ। ଏହାକୁ ବୁଝିବା ପାଇଁ ଚଢ଼େଇ ଅଣ୍ଡା ଭିତରେ ଉତ୍ପନ୍ନ ହେଉଥିବା ଧ୍ୱନିର ଅଧ୍ୟୟନ କରାଯାଇଥିଲା।
ଏଥିପାଇଁ ବିଶେଷଜ୍ଞମାନେ ଅଣ୍ଡାକୁ ଦୁଇଟି ବିଭାଗରେ ବିଭକ୍ତ କରିଥିଲେ। ପ୍ରଥମ ବିଭାଗରେ ଚଢ଼େଇ ସହିତ ୨ଟି ଅଣ୍ଡାକୁ ବସାରେ ରଖାଯାଇଥିଲା। ଅନ୍ୟ ଏକ ବିଭାଗରେ ଚଢ଼େଇ ସହିତ ୨ଟି ଅଣ୍ଡାକୁ ସାଉଣ୍ଡପ୍ରୁଫ୍ କୋଠରୀରେ ରଖାଯାଇଥିଲା। ଏହାପରେ ଦୁଇଥର ଯାକ ଚଢ଼େଇକୁ ବିପଦର ଆଭାସ ଦିଆଯାଇଥିଲା। ଏହି ସମୟରେ ଦେଖାଯାଇଥିଲା ଯେ ପ୍ରଥମ ବିଭାଗରେ ଚଢ଼େଇ ଶବ୍ଦ କରି ଅଣ୍ଡାକୁ ଆଲର୍ଟ କରୁଛି। ଏହାପରେ ବସାରେ ରଖାଯାଇଥିବା ୨ଟି ଅଣ୍ଡା ଭିତରେ ଭାଇବ୍ରେଶନ ହେଉଛି। କିନ୍ତୁ ସାଉଣ୍ଡପ୍ରୁଫ୍ କୋଠରୀରେ ରଖାଯାଇଥିବା ଅଣ୍ଡା କୌଣସି ପ୍ରତିକ୍ରିୟା ଦେଇ ନ ଥିଲା।
ରିସର୍ଚ୍ଚ ମୁତାବକ, ବିପଦ ସ୍ଥିତିରେ ଅଣ୍ଡା ଅଧିକ ଭାଇବ୍ରେଟ ହୋଇଥାଏ। ଏଥିରେ ବଢ଼ୁଥିବା ଛୁଆ ଅନ୍ୟ ଛୁଆ ତୁଳନାରେ ବିଳମ୍ବରେ ଅଣ୍ଡାରୁ ବାହାରିଥାଆନ୍ତି। ବିପଦରେ ରହିବା ଏବଂ ବିଳମ୍ବରେ ଅଣ୍ଡାରୁ ବାହାରିବା କାରଣରୁ ଏହି ଚଢ଼େଇ ଛୁଆଙ୍କଠାରେ ଷ୍ଟ୍ରେସ୍ ହର୍ମୋନ୍ର ସ୍ତର ଅଧିକ ହୋଇଥାଏ।
କୁମ୍ଭୀର ଅଣ୍ଡାରେ ମଧ୍ୟ ଏମିତି ହୋଇଥାଏ
ବିପଦ ସ୍ଥିତିରେ ଏହି ଚଢ଼େଇ ଛୁଆ ଅଧିକ ଶବ୍ଦରେ ଚିଲ୍ଲାଇଥାଆନ୍ତି। ବିଶେଷଜ୍ଞଙ୍କ କହିବା ହେଲା, ଭ୍ରୁଣର ଏହି ଶବ୍ଦ ଭାଇବ୍ରେଶନ ରୂପରେ ଜଣେ ଆଉ ଜଣଙ୍କ ଭାଷା ରୂପେ କାମ କରିଥାଏ। ବିଶେଷ କରି ଚଢ଼େଇ ଏବଂ କୁମ୍ଭୀର ଅଣ୍ଡା ପରସ୍ପର ସହ କଥା ହୋଇଥାଆନ୍ତି। ଏମିତି କିଛିବର୍ଷ ପୂର୍ବେ କୀଟପତଙ୍ଗଠାରେ ମଧ୍ୟ ଦେଖାଯାଇଥିଲା।