ଏବେ ପାଠ୍ୟକ୍ରମରେ ସାମିଲ ହେବ ଇମୋଜି, କଥା ବଦଳରେ ଷ୍ଟିକର ପରିପ୍ରକାଶ କରିବ ଭାବନା

ସମୟ ସହ ଲେଖାପଢ଼ା ଓ ଭାବନାକୁ ପରିପ୍ରକାଶ କରିବା ଢଙ୍ଗରେ ମଧ୍ୟ ପରିବର୍ତ୍ତନ ଘଟିଛି। ଆଜିକାଲି ଲୋକମାନେ ଲମ୍ବା ଚଉଡ଼ା ବାକ୍ୟ ଲେଖିବାକୁ ଆଉ ପସନ୍ଦ କରୁନାହାନ୍ତି। ସମୟ ବଞ୍ଚାଇବା ପାଇଁ ଏବେ ଶବ୍ଦ ପରିବର୍ତ୍ତେ ଇମୋଜି ବା କାର୍ଟୁନ ଭଳି ଚିତ୍ର ବ୍ୟବହାର କରୁଛନ୍ତି। କୌଣସି ପୋଷ୍ଟରେ କମେଣ୍ଟ ଦେବାକୁ ହେଲେ ଆଗରୁ ଲୋକମାନେ ଲମ୍ବା ବାକ୍ୟ ଲେଖୁଥିଲେ। କିନ୍ତୁ ଏବେ ବାକ୍ୟର ସ୍ଥାନ ଷ୍ଟିକର ଓ ଇମୋଜି ନେଇ ସାରିଲେଣି।

ଧୀରେ ଧୀରେ ଇମୋଜି ଆମ ଭାଷାରେ ରୂପାନ୍ତରିତ ହୋଇସାରିଲାଣି। ଜନ୍ମ ଦିନ ହେଉ ଅବା ହସ କାନ୍ଦର କଥା, ଗୋଟିଏ ଇମୋଜି ଜଣାଇ ଦେଉଛି ପୂରା ମନର ଭାବନା । ଏକ ରିପୋର୍ଟ ମୁତାବକ, ସାରା ଦୁନିଆରେ ପ୍ରତିଦିନ ପ୍ରାୟ ୯୦ କୋଟି ଲୋକ ବିଭିନ୍ନ ସୋସିଆଲ ମିଡିଆରେ ୩,୧୭୮ ପ୍ରକାରର ଇମୋଜି ବ୍ୟବହାର କରୁଛନ୍ତି। ଏହି ଟ୍ରେଣ୍ଡକୁ ଏବେ କେତେକ ବିଶ୍ୱବିଦ୍ୟାଳୟ ପାଠପଢ଼ାରେ ମଧ୍ୟ ସାମିଲ କରିବା ଆରମ୍ଭ କରିଦେଲେଣି। କଲେଜ ଏବେ ଇମୋଜିକୁ ନିଜ କୋର୍ସରେ ମିଶାଉଥିବା ଦେଖିବାକୁ ମିଳିଛି।

ବ୍ରିଟେନ୍‌ର ଓପନ ୟୁନିଭର୍ସିଟିର ଡ. ଫିଲିପ ସର୍ଜେଣ୍ଟଙ୍କ ଅନୁସାରେ ୨୦୧୫ ମସିହାରେ ଅକ୍ସଫୋର୍ଡ ଡିକ୍ସନାରୀକୁ ଓ୍ଵାର୍ଡ ଅଫ୍‌ ଦ ଇୟର ଭାବେ ଚୟନ କରାଯାଇଥିଲା। ଏ ଅବସରରେ ଶବ୍ଦ ମାଧ୍ୟମରେ ଖୁସି ବ୍ୟକ୍ତ କରିବା ପରିବର୍ତ୍ତେ ଅକ୍ସଫୋର୍ଡ ଖୁସି ଥିବା ଲୁହ (Face with tears of Joy) ଥିବା ଇମୋଜି ବ୍ୟବହାର କରିଥିଲା। ସାରା ଦେଶରେ ଏହି ଇମୋଜିର ଲୋକପ୍ରିୟତା ଏବେ ବଢ଼ିଗଲା ଯେ ଏବେ ଜୁଲାଇ ୧୭ ତାରିଖକୁ ବିଶ୍ୱ ଇମୋଜି ଦିବସ ଭାବେ ପାଳନ କରାଯାଉଛି।

ଇମୋଜିର ଅର୍ଥ ଏବେ ଅଧ୍ୟୟନର ବିଷୟ ପାଲଟିଛି। ୧୦ ବର୍ଷ ପୂର୍ବରୁ ଇମୋଜି ଭାଷାକୁ ବରବାଦ କରି ଦେବା ଆଶଙ୍କା ପ୍ରକାଶ ପାଇଥିଲା। ମାତ୍ର କ୍ରମେ ଏହାର ବିକାଶ ହେଉଛି। ୧୦ ବର୍ଷ ପୂର୍ବରୁ ମାତ୍ର ୬୨୫ଟି ଇମୋଜିର ପ୍ରଚଳନ ହେଉଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ତିନି ହଜାରରୁ ଊର୍ଦ୍ଧ୍ୱ ହୋଇସାରିଲାଣି। ତଥାପି କିଛି ଲୋକ ଇମୋଜିର ପ୍ରକୃତ ଅର୍ଥ ବୁଝି ପାରିନାହାନ୍ତି।

ଏହାସହ ପଢନ୍ତୁ: ଜାତକ ନାହିଁ ତ ଆଦୌ ଚିନ୍ତା କରନ୍ତୁ ନାହିଁ, ଜନ୍ମ ତାରିଖରୁ ଏହି ଉପାୟରେ ଜାଣନ୍ତୁ ଭବିଷ୍ୟତ

ବ୍ରିଟେନ୍‌ ୟୁନିଭର୍ସିଟି ପ୍ରଥମ ଥର ପାଇଁ ନିଜ କୋର୍ସରେ ଇମୋଜିକୁ ସ୍ଥାନିତ କରିଛି। କିଙ୍ଗସ୍‌ କଲେଜ ଲଣ୍ଡନ, ଏଡିନ୍‌ବର୍ଗ, କାର୍ଡିକ ପ୍ରମୁଖ ଅନ୍ୟ ବିଶ୍ୱବିଦ୍ୟାଳୟ ଓ କଲେଜରେ ଭିନ୍ନ ଭିନ୍ନ ପାଠ୍ୟକ୍ରମରେ ଇମୋଜି ଓ କାର୍ଟୁନ୍‌କୁ ସାମିଲ କରାଯାଇଛି।

ଏକ ସର୍ଭେ ଅନୁସାରେ, ଭାରତରେ ପାଞ୍ଚଟି ଇମୋଜିକୁ ସବୁଠାରୁ ଅଧିକ ବ୍ୟବହାର କରାଯାଉଛି। ଏଥିରେ ଖୁସି ସହ ଲୁହ ଥିବା ଇମୋଜି ଅଧିକ ଲୋକପ୍ରିୟ। ଏଥିସହ ଆଖିରେ ହାର୍ଟ ଥିବା, ହସହସ ମୁହଁ, ହାର୍ଟ, ନମସ୍କାର ଇମୋଜି ଅଧିକ ବ୍ୟବହାର କରାଯାଉଛି।

ଇମୋଜିର ପ୍ରଚଳନ ବଢ଼ିବା ସହ ଏହାର ଖରାପ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି। ଖାସ୍‌ କରି ପିଲାଙ୍କ ଉପରେ ଏହାର କୁପ୍ରଭାବ ପଡ଼ୁଛି। ପିଲାମାନେ ଇମୋଜି ବ୍ୟବହାର କରିବା ଦ୍ୱାରା ଭାଷା ଓ ବ୍ୟାକରଣରେ ଦୁର୍ବଳ ହୋଇ ଯାଉଛନ୍ତି। ସେମାନଙ୍କଠାରେ ନିଜ କଥା କହିବା ଓ ବୁଝିବା କ୍ଷମତା ହ୍ରାସ ଘଟୁଥିବା ଦେଖିବାକୁ ମିଳୁଛି।

ତେବେ ସମୟ ସହ ଅନେକ କିଛି ବଦଳିଯାଏ । କିଛି କଥାକୁ ଆମେ ରୋକିବାକୁ ସକ୍ଷମ ହେଉ ତ ଆଉ କିଛି କଥାକୁ ଆମେ ସାମନା କରିବାକୁ ବାଧ୍ୟ ହେଉ । ଏବେ ଦେଖିବାର କଥା ଇମୋଜିକୁ ସାରା ବିଶ୍ୱ କିଭଳି ଭାବେ ଗ୍ରହଣ କରୁଛି । ଆଂଶିକ ନା ସମ୍ପୂର୍ଣ୍ଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.