ଅନର୍ଗଳ ଇଂଲିଶ କହୁଥିବା ଏହି ଆଫ୍ରିକୀୟ ଶୁଆ ଗାଏବ, ଖୋଜି ଆଣିଲେ ମିଳିବ ୫ ହଜାର ଟଙ୍କା

ଉତ୍ତର ପ୍ରଦେଶ ପୋଲିସ ଅଲିଗଡ଼ରେ ଏକ ଆଫ୍ରିକୀୟ ଶୁଆର ସନ୍ଧାନରେ ଲାଗି ପଡ଼ିଛି। ଶୁଆଟି ଗ୍ରେ ରଙ୍ଗର ହୋଇଥିବା ବେଳେ ତା’ ଲାଞ୍ଜ ଲାଲ୍‌ ରଙ୍ଗର। ଶୁଆକୁ ଖୋଜି ଆଣିବା ପାଇଁ ମାଲିକ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛନ୍ତି। ସହରର ଜଣାଶୁଣା ଅର୍ଥପେଡିକ୍‌ ସର୍ଜନ ଡା. ଏସ୍‌.ସି. ଭର୍ସନେ ହେଉଛନ୍ତି ଶୁଆର ମାଲିକ। ସେ ଶୁଆ ନିଖୋଜ ହେବା ନେଇ କ୍ୱାର୍ସି ଥାନାରେ ଅଭିଯୋଗ କରିଥିବା ସର୍କଲ ଅଧିକାରୀ ଅନିଲ ସମାନିୟା ସୂଚନା ଦେଇଛନ୍ତି।

ଡା. ଭର୍ସନେ ଶୁଆର ଫଟୋ ସହିତ କିଛି ତଥ୍ୟ ଲେଖି ଏକ ନିଖୋଜ ପୋଷ୍ଟର ଛପାଇଛନ୍ତି। ପୋଷ୍ଟରରେ ଶୁଆର ସବୁ ଖାସିୟତ ଲେଖାଯାଇଛି। ଯେଉଁ ବ୍ୟକ୍ତି ଶୁଆର ସନ୍ଧାନ ପାଇବ, ତାକୁ ୫,୦୦୦ ଟଙ୍କା ପୁରସ୍କାର ରାଶି ମିଳିବ।

ମାଲିକଙ୍କ କହିବା ହେଲା, ମିଠୁ ନାମକ ଏହି ଶୁଆ ଇଂଲିଶ ବହୁତ ସ୍ପଷ୍ଟ ଭାବେ କହିଥାଏ। ସେ ବ୍ୟକ୍ତିର ନାଁ ଉଚ୍ଚାରଣ କରି ଡାକିଥାଏ ଏବଂ ସିଟି ବଜାଇଥାଏ। ଭର୍ସନେ କହିଛନ୍ତି ଯେ ‘ମିଠୁକୁ ମୋ ଝିଅ ସୌମ୍ୟା କିଣିଥିଲା, ଯିଏ ଏବେ ନିଜ ସ୍ୱାମୀ ସହିତ ଲଣ୍ଡନରେ ରହୁଛି। ଦୁଇଜଣ ସଫ୍ଟେଓ୍ଵୟାର ଇଞ୍ଜିନିୟର। ସୌମ୍ୟା ପକ୍ଷୀମାନଙ୍କୁ ବହୁତ ଭଲ ପାଇଥାଏ। ପାଖାପାଖି ଅଢ଼େଇ ବର୍ଷ ପୂର୍ବେ ଯେତେବେଳେ ସେ ବେଙ୍ଗାଲୁରୁରେ ରହୁଥିଲା, ସେହି ସମୟରେ ଏହି ଆଫ୍ରିକୀୟ ଶୁଆକୁ ଅନ୍‌ଲାଇନରେ କିଣିଥିଲା। ପରେ ସେ ଲଣ୍ଡନ ଚାଲିଯାଇଥିଲା। ଏବେ ସୌମ୍ୟା ଶୁଆକୁ ସେଠାକୁ ନେଇ ଯିବା ପାଇଁ କାଗଜପତ୍ର କାମ କରୁଛି।’

କୁହାଯାଉଛି କି, ସୌମ୍ୟା ଓ ଶୁଆ ଭିତରେ ଏତେ ଭଲ ପାଇବା ଥିଲା ଯେ ସେ ଏହାକୁ ପଞ୍ଜୁରୀରେ ରଖୁ ନ ଥିଲେ। ଏହାରି ଭିତରେ ପୋଲିସ ଅଧିକାରୀ କହିଛନ୍ତି, ‘ଏକ ପକ୍ଷୀକୁ ଖୋଜିବା ପାଖାପାଖି ଅସମ୍ଭବ। କାରଣ, ସେମାନେ ଗୋଟିଏ ଜାଗାରେ ରହି ନ ଥାଆନ୍ତି। ତଥାପି ଆମେ ପକ୍ଷୀ ବଜାର ଉପରେ ନଜର ରଖିଛୁ। ଯଦି କେହି ତାକୁ ବିକ୍ରି କରିବାକୁ ଚେଷ୍ଟା କରେ, ତ ଆମେ ତାକୁ ଧରିପାରିବୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.