ବନ୍ୟା ସାରିଦେଲା ସବୁ, ବର୍ଷ ବର୍ଷ ବିତିଗଲା ପରେ ବି ଆସିକା ଓ ବେଲଗୁଣ୍ଠା ଲୋକେ କାନ୍ଦୁଛନ୍ତି ବାଲିଚର ଖେତକୁ ଦେଖି

ଭଞ୍ଜନଗର (କେନ୍ୟୁଜ୍‌) : ବାତ୍ୟା, ବନ୍ୟା ଆଉ ଆସିକା ଓ ବେଲଗୁଣ୍ଠା ବ୍ଲକ୍ । ଫାଇଲିନ୍, ତିତିଲି ଉଜାଡ଼ି ଦେଇଥିଲା ଏ ଅଞ୍ଚଳକୁ । ଯେଉଁଠି ଏବେବି ବାଲିଚର ତଳେ ଦବି ରହିଛି ଲୋକଙ୍କ ଆହାର ବା ଖେତ। କଣ ଏମାନଙ୍କ ଦୁର୍ଦ୍ଦଶା ବୁଝିବାକୁ କେହି ନାହାନ୍ତି ? ବର୍ଷ ବର୍ଷ ଧରି କଷ୍ଟ ସହୁଥିବା ଲୋକଙ୍କ କଥା ବୁଝିବାକୁ କ’ଣ କେହି ନାହାନ୍ତି ।

ଅକ୍ଟୋବର ମାସ ଆସିଲେ ଓଡ଼ିଶାବାସୀଙ୍କ ଛାତିର ପଶିଯାଏ ବାତ୍ୟାର ଭୟ । ଟିକିଏ ମେଘ ଘୋଟିଲେ କି ବର୍ଷା ପବନ ହେଲେ ଡର ଲାଗେ କାଳେ ବାତ୍ୟା ଆସିଯିବ ବୋଲି । କାରଣ ଏଇ ମାସରେ ପ୍ରାୟତଃ ବାତ୍ୟା ଉଜାଡ଼ି ଦେଇଛି ଓଡ଼ିଶାକୁ । ଗତ ବେଶ୍ କିଛି ବର୍ଷ ହେଲା ବାତ୍ୟା ଯେମିତି ବସା ବାନ୍ଧିଛି ଓଡ଼ିଶାରେ । ଏହା ଭିତରେ “ଫାଇଲିନ୍” ବାତ୍ୟା ଓ ବନ୍ୟା କୁ ପୂରିଛି ୯ ବର୍ଷ । ସେହିଭଳି “ତିତିଲି”କୁ ମଧ୍ୟ ୪ ବର୍ଷ ପୂରି ଗଲାଣି । ଗଂଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ଏହି ଦୁଇ ଦୁର୍ବିପାକ ଉଜାଡି ଦେଇଥିଲା ଲୋକଙ୍କ ଜୀବନ ଜୀବିକା

ଗୋଟିଏକୁ ୯ ବର୍ଷ , ଆଉ ଗୋଟିଏକୁ ୪ ବର୍ଷ ପୂରିଲା । ବର୍ଷ ସିନା ଅଲଗା ହେଲେ ଗୋଟିଏ ମାସରେ ଆସିଥିଲେ ଆଗ ପଛ ତାରିଖରେ । ପ୍ରଥମେ ଉଡେଇ ନେଲେ ଆଉ ତା’ପରେ ବୁଡ଼େଇ ଦେଲେ । ପ୍ରଭାବିତ ହେବାକୁ ଲାଗିଲା ଗୋଟିଏ ପରେ ଗୋଟିଏ ଅଞ୍ଚଳ। ଦୁର୍ବିସହ ହୋଇପଡ଼ିଲା ହଜାର ହଜାର ଲୋକଙ୍କ ଜୀବନ । ତ୍ରାହି ତ୍ରାହି ଡାକିଲେ ପିଲାଠୁ ବୟସ୍କ ।

ବିଗତ ଦିନରେ ହୋଇଥିବା ବାତ୍ୟା “ଫାଇଲିନ୍” ଏବଂ “ତିତିଲି” ଏବଂ ତା’ ପରର ବନ୍ୟାର ଛାତିଥରା ଘଟଣା । ଯାହାକି ଗଂଜାମ ଜିଲ୍ଲା ଆସିକା ଓ ବେଲଗୁଣ୍ଠା ବ୍ଳକର ହଜାର ହଜାର ଜନସାଧାରଣଙ୍କୁ ପ୍ରଭାବିତ କରିଥିଲା । ଏହି ଅକ୍ଟୋବର ମାସରେ ହିଁ ଉଭୟ ପ୍ରାକୃତିକ ବିପର୍ଯ୍ୟୟ ଭୟଙ୍କର ସ୍ଥିତି ରଚିଥିଲେ ।

୨୦୧୩ ଅକ୍ଟୋବର ୧୨ ତାରିଖ। ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିଲା “ଫାଇଲିନ୍” ର ପ୍ରକୋପ । ପ୍ରଶାସନର ଆଗୁଆ ପଦକ୍ଷେପ ଯୋଗୁଁ ଲୋକଙ୍କ ଜୀବନ ସିନା ସୁରକ୍ଷିତ ହୋଇଗଲା ହେଲେ ରାତି ପାହିବା ବେଳକୁ ସବୁକିଛି ଉଜୁଡି ଯାଇଥିଲା । ରାସ୍ତାକଡ଼ରେ ଓଲଟି ପଡିଥିଲା ବଡ଼ବଡ଼ ଗଛ ଓ ବିଜୁଳି ଖୁଣ୍ଟ । ଭୁଶୁଡି ପଡ଼ିଥିଲା ଚାଳଛପର ଘର । ଚାରିଆଡେ ଦେଖିବାକୁ ମିଳିଲା ଝଡ଼ ପରର ଉଜୁଡା ଦୃଶ୍ୟ । ବିଶେଷ କରି ଗଂଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଳକରେ, ଏହାର ପ୍ରଭାବ ମାତ୍ରାଧିକ ହୋଇ ପଡିଥିଲା ।

titili

ଖାଲି ସେତିକି ନଥିଲା, ବାତ୍ୟା ବେଳେ ପ୍ରବଳ ବର୍ଷା ହୋଇ ତା ପରଦିନ ବନ୍ୟା ପରିସ୍ଥିତି ଉତ୍କଟ ରୂପ ଧାରଣ କରିଥିଲା । “ବଡନଦୀ” ହିଡଭାଙ୍ଗି ବନ୍ୟା ପାଣି ଗୋଟିଏ ପରେ ଗୋଟିଏ ଗାଁକୁ ମାଡି ଗଲା । ପ୍ରାୟ ୧୦ ଫୁଟ ଉଚ୍ଚର ବନ୍ୟା ପାଣି ବେଲଗୁଣ୍ଠ ବ୍ଳକ୍ ଇଙ୍ଗିନାଠି ପଞ୍ଚାୟତର ୫ ଖଣ୍ଡ ଗାଁକୁ ବୁଡେଇ ଦେଲା। ଏକା ସାଂଗରେ “ବାତ୍ୟା” ଓ “ବନ୍ୟା” ସତେ ଯେମିତି ଡକାଡକି ହୋଇ ଆସିଥିଲେ ଏହି ଅଞ୍ଚଳକୁ ।

ତେବେ ଦିନେ କି ଦୁଇ ଦିନରେ କଷ୍ଟ ସରିଲା ନାହିଁ । ଦୀର୍ଘ ଦିନ ଧରି ବନ୍ୟାପାଣିରେ ବୁଡି ରହିଲା ଇଙ୍ଗିନାଠି ପଞ୍ଚାୟତର ମନ୍ଦାର, ଇଙ୍ଗିନାଠି, ରତଙ୍ଗ, ବଲାଡି ଓ ସାରିଆପଲ୍ଲୀ ଗାଁ । ପ୍ରଶାସନ ପକ୍ଷରୁ ସେହି ସମୟରେ ସବୁପ୍ରକାର ବ୍ୟବସ୍ଥା ହେଲା ସତ ହେଲେ ବନ୍ୟା ଓ ବାତ୍ୟାର କ୍ଷତଚିହ୍ନ ଏଯାଏଁ ଶୁଖି ପାରିନି । ଶହଶହ ଏକର ଚାଷଜମି ବାଲିଚର ହୋଇଗଲା । ଆଜି ପର୍ଯ୍ୟନ୍ତ ସେ ସବୁର ପୁନରୁଦ୍ଧାର ହୋଇ ପାରିନି । ସେହି ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ , ଇଙ୍ଗିନାଠି ପଞ୍ଚାୟତକୁ “ପୋଷ୍ୟ-ପଞ୍ଚାୟତ” ଘୋଷଣା ହେଲା । ପରବର୍ତ୍ତୀ ସମୟରେ ରାସ୍ତାଘାଟ, ଉନ୍ନୟନ ମୂଳକ କାର୍ଯ୍ୟ ଓ ଲୋକଙ୍କୁ କିଛି କିଛି ସହାୟତା ମିଳିଲା । ତଥାପି ଏତେ ବର୍ଷ ପରେ ମଧ୍ୟ ପ୍ରଭାବିତ ଲୋକଙ୍କ ସମସ୍ୟା ଏପର୍ଯ୍ୟନ୍ତ ସମାଧାନ ହୋଇପାରିନଥିବା ଅଭିଯୋଗ ହେଉଛି । ତା ସହିତ ପ୍ରତ୍ୟେକ ବର୍ଷ “ବଡନଦୀ” ରେ ବନ୍ୟା ଆସିଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଭୟ ଦିଗୁଣିତ ହୋଇଯାଏ ।

ଫାଇଲିନ୍ ର ୫ ବର୍ଷ ପରେ ଜିଲ୍ଲାକୁ ଆସିଥିଲା “ତିତିଲି” ବାତ୍ୟା । ଏହାର ପ୍ରଭାବ “ଫାଇଲିନ୍” ଠାରୁ ଯଦିଓ କମ୍ ରହିଥିଲା ହେଲେ ବନ୍ୟା” ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା ଜିଲ୍ଲାର ଆସିକା ବ୍ଳକ୍ ରେ । ୨୦୧୮ ଅକ୍ଟୋବର ୧୧ । ଆସିକା ସହର ସମେତ ତଳିଆ ଅଞ୍ଚଳରେ ମାଡି ଯାଇଥିଲା ବନ୍ୟାପାଣି । ଗୋଟିଏ ପଟେ “ଋଷିକୂଲ୍ୟା” ଅନ୍ୟପଟେ “ବଡନଦୀ” । ଆଉ ମଝିରେ ଆସିକା ସହର । ଦୁଇଦିନ ଧରି ଜଳବନ୍ଦୀ ହେଲା ସମୁଦାୟ ଅଞ୍ଚଳ । ପ୍ରଭାବିତ ହେଲେ ବସ୍ତିବାସିନ୍ଦାଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ଓ ସାଧାରଣ ଲୋକେ ।

୧୯୯୦ , ୧୯୯୯ , ୨୦୧୩ ଓ ୨୦୧୮ । ଏସବୁ ବର୍ଷରେ ପ୍ରୟଙ୍କାରୀ ବନ୍ୟା ପରିସ୍ଥିତି ସହ ଅଧିକାଂଶ ସମୟରେ ଛୋଟମୋଟ ବନ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି ଆସିକାବାସୀ । ବାରମ୍ବାର ସୃଷ୍ଟି ହେଉଥିବା ବନ୍ୟା ପାଇଁ ପ୍ରାକୃତିକ ବିପର୍ଯ୍ୟୟ ଯେତିକି ଦାୟୀ ତା’ଠୁ ଅଧିକ ଦାୟୀ ହେଉଛି ମନୁଷ୍ୟକୃତ ସମସ୍ୟା । ଏଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକୋ ଏପରିକି ଆସିକା ସହର ମଧ୍ୟରେ ରହିଥିବା “ଟିପିସର ନାଳ” ଏ ଅଞ୍ଚଳ ପାଇଁ ଦୁଃଖର କାରଣ ହୋଇଛି । ଏନେଇ ରାଜ୍ୟ ବିଧାନସଭା ଓ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଖୁବ୍ ଶୀଘ୍ର ଆସିକାର ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବ ବୋଲି ଆସିକା ବିଧାୟିକା କହିଛନ୍ତି । ସବୁ ଦୁର୍ବିପାକ ଦେଇ ଯାଇଥିବା କ୍ଷତି ଆକଳନ କରିବାକୁ କିମ୍ବା ସାହାଯ୍ୟ କରିବାକୁ କେହି ଆସୁନାହାନ୍ତି ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.