କେବେ ଦେଖିଛନ୍ତି କି ଭାରତ ମାତା ମନ୍ଦିର? ସ୍ୱାଧୀନତା ପୂର୍ବରୁ ଏଠାରେ ପୂଜା ପାଉଛନ୍ତି ଭାରତ ମାତା

କଣ୍ଟାମାଳ: ଆଜି ଦେଶ ପାଳୁଛି ୭୮ ତମ ସ୍ୱାଧୀନତା ଦିବସ । ଆଜିର ଦିନରେ ଦେଶ ସ୍ୱାଧୀନତା ଦିବସ ପାଳନ କରିବା ସହ ମନେ ପକାଉଛି ସେହି ବୀର ପୁରୁଷ ଓ ସ୍ଵାଧୀନତା ସଂଗ୍ରାମୀଙ୍କୁ ଯେଉଁମାନେ ଆମକୁ ଏହି ସ୍ୱାଧୀନତା ଦେଇଛନ୍ତି । ଏହି ଅବସରରେ ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ କେବେ ବି ଶୁଣିନଥିବେ । ଆପଣ ଅନେକ ମନ୍ଦିର, ମସଜିଦ ଏବଂ ଚର୍ଚ୍ଚ ଦେଖିଥିବେ କିନ୍ତୁ ଆପଣ କେବେ ଭାରତ ମାତା ମନ୍ଦିର ଦେଖିଛନ୍ତି କି?
ତେବେ ଏପରି ଏକ ମନ୍ଦିର ରହିଛି ଆମ ଓଡ଼ିଶାର ବୋୖଦ୍ଧ ଜିଲ୍ଲା ଗୋଛାପଡା ପଞ୍ଚାୟତର ବନପାଲି ଗାଁରେ । ଯେଉଁ ମନ୍ଦିରରେ ପ୍ରତିଦିନ ରାମଧୁନ ଗୀତ, ନାମ ସଂକୀର୍ତ୍ତନ ସହ ପୂଜାର୍ଚ୍ଚନା କରାଯାଏ । ଦେଶ ସ୍ଵାଧୀନ ହେବା ପୂର୍ବରୁ ଅର୍ଥାତ ୧୯୪୨ ମସିହାରେ ଏହି ମନ୍ଦିରରେ ପୂଜା ପାଉଛନ୍ତି ଭାରତ ମାତା । ଦେଶ ପରାଧୀନ ଥିବା ସମୟରେ ଗଡ଼ଜାତ ଆନ୍ଦୋଳନ ସମୟରେ ଗାଁର କିଛି ସ୍ଵାଧୀନତା ସଂଗ୍ରାମୀ ପ୍ରଜା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ସେହି ସମୟରେ ଗାଁର କିଛି ସ୍ୱାଧୀନତା ସଂଗ୍ରାମୀ ଏହି ଭାରତ ମାତାଙ୍କ ମନ୍ଦିର ନିର୍ମାଣ କରିଥିଲେ ଓ ପୂଜା କରୁଥିଲେ ।
ସେହିଦିନଠାରୁ ଏଠାରେ ଭାରତ ମାତା ପୂଜା ପାଇ ଆସୁଛନ୍ତି । ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ଏହି ମନ୍ଦିରରେ ପୂଜା ହେବା ସହ ସନ୍ଧ୍ୟାରେ ରାମଧୁନ ଗୀତ ସହ ନାମ ସଂକୀର୍ତନ ହୋଇଥାଏ । ସେତେବେଳର ସେହି ପ୍ରଜା ଆନ୍ଦୋଳନ ସମୟର ଏହି ଭାରତ ମାତାର ମନ୍ଦିର ବେଶ ସ୍ୱତନ୍ତ୍ର ସ୍ମୁତି ବହନ କରୁଛି । ବନପାଲି ଗାଁଲୋକେ ପ୍ରତ୍ୟେକ ଦିନ ଏକତ୍ରିତ ହୋଇ ହୋଇ ସେଦିନର ଗାଥା ମନେ ପକାଇବା ସହ ଜାତୀୟ ସଙ୍ଗୀତ ଗାନ କରିଥାନ୍ତି । କିନ୍ତୁ ୧୯୪୨ ମସିହାରେ ସ୍ଥାପିତ କରାଯାଇଥିବା ଏହି ଭାରତ ମାତାଙ୍କ ମନ୍ଦିର ଜିଲ୍ଲା ପ୍ରଶାସନ ଦୃଷ୍ଟି ଆଢୁଆଳରେ ରହିଯାଇଛି ।
ସରକାର ମନ୍ଦିର ପାଇଁ କେବଳ ଘର ଖଣ୍ଡିଏ ଯୋଗାଇ ଦେଇଛନ୍ତି । କିନ୍ତୁ ଏଠାରେ ଅନ୍ୟ କୌଣସି ସୁବିଧା ନାହିଁ । ଏଠାରେ ଏକ ମନଲୋଭା ମିନି ପାର୍କ ସହ ଲାଇଟ ବ୍ୟବସ୍ଥା ସହ ମନ୍ଦିର ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ପ୍ରତିବର୍ଷ ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ତାରିଖରେ ଏଠାରେ ଜାତୀୟ ସଙ୍ଗୀତ ଗାନ ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଥାଏ । ଗଡ଼ଜାତ ଆନ୍ଦୋଳନ ସମୟର ମୂକସାକ୍ଷୀ ଏହି ଭାରତ ମାତାଙ୍କ ମନ୍ଦିର ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଏହା ସ୍ୱାଧୀନତା ଆନ୍ଦୋଳନ ସମୟର ଗାଥା ବହନ କରିବା ସହ ଆହୁରି ଲୋକପ୍ରିୟ ହୋଇପାରନ୍ତା ।