ସମସ୍ତଙ୍କ ପସନ୍ଦ ନଈ ମଉସାଙ୍କ ସୁଆଦିଆ ଜଳଖିଆ, ଖାଇବା ପାଇଁ ଜମେ ଗରାଖଙ୍କ ଭିଡ଼

ବୟସ ୯୦ ପରେ ହେବ । ଚମ ଧୁଡ଼ ଧୁଡ ହୋଇଗଲାଣି । ଆଖିକୁ ଆଉ ଭଲରେ ଦିଶୁନି କିନ୍ତୁ ହାତରେ ଏବେ ବି ଜୋର୍ ଅଛି । ଚାଳିଆ ଟୁଙ୍ଗୀର ଚୂଲି ମୁଣ୍ଡରେ ବସି ଥୁରୁ ଥୁରୁ ହାତରେ ବରା, ଆଳୁଚପ, ପିଆଜି ଓ ପାମ୍ପଡ ଭଳି ଅନେକ ସୁଆଦିଆ ଜଳଖିଆ ତିଆରି କରନ୍ତି ଲକ୍ଷ୍ମଣ ଦାସ । ସ୍ଥାନୀୟ ଅଞ୍ଚଳରେ ନଈ ଗୁଡ଼ିଆ ଭାବରେ ବେଶ୍ ପରିଚିତ । ନିଜ ହାତର ଯାଦୁରେ ଦୀର୍ଘ ସତୁରୀ ବର୍ଷରୁ ଅଧିକ ସମୟ ଧରି ଗରାଖଙ୍କୁ ସ୍ୱାଦିଷ୍ଟ ଜଳଖିଆ ଖୁଆଇ ବାନ୍ଧି ରଖିଛନ୍ତି ନଈ ମଉସା । ସକାଳେ ଓ ସନ୍ଧ୍ୟାରେ ମଉସାଙ୍କ ଦୋକାନରେ ଗରାଖଙ୍କ ଭିଡ଼ ଜମେ ।

ନଈ ମଉସାଙ୍କୁ ତର ନଥାଏ । ଥୁରୁ ଥୁରୁ ହାତରେ ଗରମ ଗରମ ବରା ପିଆଜି ତେଲ କଡ଼େଇରେ ପକାଇ ପରସି ଦିଅନ୍ତି ଗରାଖମାନଙ୍କୁ । କଟକ ଜିଲ୍ଲା ତିଗିରିଆ ବ୍ଲକ୍ ନୂଆପାଟଣା ବଡସାହିର ନଈ ମଉସାଙ୍କୁ କିଏ ବା ନଜାଣେ । ପୁର୍ବ ପୁରୁଷଙ୍କ ବ୍ୟବସାୟକୁ ଆଜି ବି ଜୀବିତ ରଖିଛନ୍ତି ନଈ ମଉସା । ପରିବାର ଲୋକ ବିରି ଚାଉଳ ସିନା ବାଟି ଦିଅନ୍ତି କିନ୍ତୁ ଗରାଖଙ୍କ ପସନ୍ଦ ନଈ ମଉସାଙ୍କ ହାତରେ ଛଣା ହେଇଥିବା ବରା ପିଆଜି । ନଈ ମଉସାଙ୍କ ତେଲ କଡ଼େଇର ବାସ୍ନା ଆଖ ପାଖରେ ବେଶ ପରିଚିତ ।

ମହରଗ ଯୁଗରେ ନଈ ମଉସାଙ୍କ କୋଡ଼ିଏ ଟଙ୍କାର ଜଳଖିଆ ଖାଇଦେଲେ ଆଉ କି ଭୋକ । ତାଙ୍କ ହାତ ତିଆରି ଗୋଟେ ପ୍ଲେଟ ଜଳଖିଆ ଖାଇଦେଲେ ଗୋଟେ ପହର ଆରାମରେ କଟିଯିବ ବୋଲି ସବୁଠି ଚର୍ଚ୍ଚା ହୁଏ । କେବଳ ସେତିକି ନୁହେଁ ନଈ ମଉସାଙ୍କ ଜଳଖିଆ ସାଙ୍ଗକୁ ଅଟା ତରକାରୀ ଫ୍ରୀ ଦିଅନ୍ତି । ଅଟା ତରକାରୀର ସେଇ ସ୍ଵାଦ ପାଇଁ ତ ଧାଇଁ ଆସନ୍ତି ଆଖ ପାଖରେ ଥିବା ଗରାଖମାନେ । କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ଅଟା ତରକାରୀ ଭାଗମାପ କେହି ବି ପାଇଲେନି ।

ସେ ଯାହାବି ହେଉ ନା କାହିଁକି ବୟସର ଅପରାହ୍ନରେ ନଈ ମଉସାଙ୍କ ହାତର ଯାଦୁ ଏବେ ବି ସମସ୍ତଙ୍କ ପସନ୍ଦ । ଆମେ ଆମ କେନ୍ୟୁଜ ପରିବାର ତରଫରୁ ନଈ ମଉସାଙ୍କ ଦୀର୍ଘାୟୁ କାମନା କରିବା ସହ ଆଗକୁ ସେ ଆହୁରି ଏମିତି ନିଜ ହାତ ତିଆରି ଜଳଖିଆ ଲୋକମାନଙ୍କୁ ପରସୁ ଥାଆନ୍ତୁ । ଏହା ହିଁ ଆମ କାମନା ।