ସକାଳ ହେବା ମାତ୍ରେ ରବି ଓ ସରସା ଯୋଡ଼ି, ଟ୍ରଲି ଧରି ବାହାରି ପଡ଼ନ୍ତି ସହରର ପ୍ରମୁଖ ଅଳିଆ ଗଦlକୁ । ସତେ ଯେମିତି ସେମାନଙ୍କ ସବୁଦିନିଆ ଠିକଣା ହେଇ ଯାଇଛି ଏଇ ଜାଗାଟି । ହଁ ଆଜ୍ଞା, ସକାଳ ୮ଟାରୁ ପ୍ରାୟ ଦିନ ୧୧ଟା ପର୍ଯ୍ୟନ୍ତ ଏମନେ ଏ ଅଳିଆ ଗଦାରୁ ସେ ଅଳିଆ ଗଦା ବୁଲି ବିଭିନ୍ନ ଜିନିଷ ସଂଗ୍ରହ କରନ୍ତି । ଘରେ ଚୁଲି ଜଳିବ ପାଇଁ ଏଭଳି ସଂଘର୍ଷ କରିବାକୁ ପଡେ । ବୁଝି ପାରିଲେନି ବୋଧେ, କଥା ହେଉଛି କି ଆମ ପାଇଁ ଯେଉଁଟା ଅଳିଆ ବା ଅଦରକାରୀ ସେଇଟା ରବି ଓ ସରସା ପାଇଁ ଭାରି ଦରକାରୀ । ଜୀବନ ଓ ଜୀବିକା । ଗୁଜୁରାଣ ମେଣ୍ଟାଇବାରେ ବହୁତ ଦରକାରୀ ଅଳିଆର ଫିଙ୍ଗା ଯାଇଥିବା ଏହି ଜିନିଷ ସବୁ । ଯେମିତି ପ୍ଲାଷ୍ଟକ ବୋତଲ, ପ୍ଲାଷ୍ଟକ ଡବା, ଟିଣ ବୋତଲ । ଯାହା ସବୁ ଆମେ ବ୍ୟବହାର କରିବା ପରେ ଫିଙ୍ଗି ଦେଉଛୁ ।
ରବି ମୁଣ୍ଡା । ବୟସ ୩୦ । ସରସା ମୁଣ୍ଡା । ବୟସ ୭। ସମ୍ପର୍କରେ ଦାଦା ପୁତୁରା । ପରିବାର କହିଲେ ବୁଢା ବାପା ଓ ଆଉଜଣେ ଭାଇ । ଆଉ ୪ ଜଣଙ୍କ ଠିକଣା ହଉଛି ଶିଖରଚଣ୍ଡୀ ପାଖରେ ଥିବା ବସ୍ତି l ରବି ପଞ୍ଚମ ଯାଏ ପାଠ ପଢିଛି । ହେଲେ ପରିବାର ସ୍ଥିତି, ଆବଶ୍ୟକତାକୁ ଭିତରେ ସରସା ପାଠପଢାରେ ଯେମିତି ବେଡ଼ି ପଡି ଯାଇଛି । ଆଉ ସେପଟେ ଲାଲବତୀ ଗାଡ଼ିରେ ଖାକି ପୋଷାକ ପିନ୍ଧି ଯାଉଥିବା ବାବୁଙ୍କ ପରି ହେବାକୁ ସରସାର ଭାରି ଆଗ୍ରହ । ମାନେ ପୋଲିସ୍ ହେବାକୁ ଇଚ୍ଛା । ପେଟ ଚାଖଣ୍ଡେ ଓ ପରିସ୍ଥିତିକୁ ସରସା ଏତେ କାମ ବୟସରୁ ସତେ ଯେପରି ବୁଝି ଯାଇଛି । ଦାଦା ହାତକୁ ହାତ ମିଶେଇ ଅଳିଆରୁ ଗୋଟେଇ ଚାଲିଛି ଭଙ୍ଗା ଦଦାର ଜିନିଷ । ସରସା କେତେବେଳେ ପଛରୁ ଟ୍ରଲି ଠେଲୁଛି ତ କେତେବେଳେ ଟ୍ରଲିରେ ବସିବାକୁ ଦାଦା କହୁଛି । କିନ୍ତୁ ସଂଘର୍ଷ ଭିତରେ ଦୁଇ ଜଣଙ୍କ ମୁହଁରେ ତଥାପି ଖେଳି ଯାଉଛି ହସ । ଆଉ ସେମାନେ ଜାଣି ସାରିଛନ୍ତି କି ସଂଘର୍ଷ ହିଁ ଜୀବନ ଓ ଜୀବନ ମାନେ ସଂଘର୍ଷ ।
ଦାଦା ପୁତୁରା ହସ ଗପ ଭିତରେ ହାତ ଵି ଚାଲେ ଆଉ ଟ୍ରଲି ଲଦା ଯାଇଥିବା ଅଖା ବି ଫୁଲ୍ ହୁଏ । ଯେତେଟା ଅଖା ଫୁଲ ହବ ସେତେ ଟଙ୍କା ମିଳିବ। ଆଉ ଭଲରେ ଚୁଲିବି ଜଳିବ। ଦିନ ପ୍ରାୟ ୧୨ଟା ବେଳକୁ କବାଡି ଵାଲା ପାଖରେ ପହଂଚି ଯାଆନ୍ତି ଦାଦା ପୁତୁରା । ଆଉ ଦିନକୁ ପାଖାପାଖି ୮୦୦ ରୁ ୯୦୦ ଟଙ୍କା ରୋଜଗାର ହୁଏ । ଚାଳଚଞ୍ଚଳ ରାଜଧାନୀ, ବ୍ୟସ୍ତବହୁଳ ଜୀବନ । ତାରି ଭିତରେ ଏଭଳି ଜୀବନ ସଂଘର୍ଷ । ଦାରିଦ୍ର୍ୟ ତାଡନାରେ ବନ୍ଧା ପଡ଼ିଥିବା ଜୀବନର ଭବିଷ୍ୟତ ବୋଲି କିଛି ଅଛି କି ? ସେକଥା ଏମାନେ ଜାଣନ୍ତିନି କି ବୁଝନ୍ତିନି । ହେଲେ ସମ୍ପର୍କର ନିବିଡ଼ତା, ପ୍ରେମ ମଧୁରତା ତାହା ବୁଝିଛନ୍ତି ।