ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ କରପଡା ପଂଚାୟତର ବୃନ୍ଦାବନପଲ୍ଲୀ ଗାଁର ତାରିଣୀ ଗୌଡ଼ । ବୟସର ଅପରାହ୍ନରେ ପହଞ୍ଚି ଯାଇଥିଲେ ମଧ୍ୟ ଲୋକଙ୍କ ସେବା କରିବା ନିଶା ଅତୁଟ ରହିଛି । ବିଶେଷ କରି ଲୋକଙ୍କ ହାଡ଼ ଭାଙ୍ଗିଯିବା ସମସ୍ୟା ଏବଂ ଶରୀରରେ ରକା ହୋଇଗଲେ ଲୋକ ମାନେ ତାରିଣୀଙ୍କ ନିକଟକୁ ଆସିଥାନ୍ତି ତାରିଣୀ କୌଶଳ କ୍ରମେ ଠିକ କରିଦିଅନ୍ତି । ଏହିପରି କୋଡିଏ ବର୍ଷ ବୟସରୁ ଚିକିତ୍ସା ଆରମ୍ଭ କରିଥିବା ତାରିଣୀଙ୍କ ବୟସ ଶହେ ବର୍ଷରେ ପହଞ୍ଚି ଯାଇଛି ।
ଧଳା ଚୁଟି, ମଳିନ ଶରୀର, ବାଙ୍କୁଲି ବାଡ଼ି ଧରି ଜଣଙ୍କ ପରେ ଜଣଙ୍କ ଚିକିତ୍ସା କରୁଛନ୍ତି । ଚାଲୁ ଚାଲୁ କାହାର ପାଦ ମକଚି ଯାଇଛି ଆଉ ତାହାର ପାଦକୁ ଠିକ କରିଦେଉଛନ୍ତି, କାହାର ହାତ କିମ୍ବା କାହାର ଗୋଡ଼ର ଖଞ୍ଜା ଖସିଗଲେ ମଧ୍ୟ ଆସନ୍ତି ଭଲ ହୋଇ ଫେରି ଯାଆନ୍ତି ଏହିପରି ଅସାଧ୍ୟକୁ ଭଲ କରିଦେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କରପଡା ପଂଚାୟତ ବୃନ୍ଦାବନପଲ୍ଲୀ ଗାଁର ତାରିଣୀ ଗୌଡ଼ । ଗ୍ରାମବାସୀ କହନ୍ତି, ବହୁତ ବର୍ଷ ହେଲା ଆମ ଗାଁକୁ ଗଞ୍ଜାମ ଜିଲ୍ଲା ଓ ଓଡିଶାର ବିଭିନ୍ନ ସ୍ଥାନରୁ ହାଡ଼ର ଅସୁବିଧା ନେଇ ଆସୁଛନ୍ତି ଓ ଶରୀରରେ ରକା ହୋଇ ଆସୁଛନ୍ତି ତାରିଣୀ ସେହି ଲୋକଙ୍କ ଚିକିତ୍ସା କରି ଦେଉଛନ୍ତି । ଏପରିକି ଯଦି କେହି ଯାଇପାରିବେ ନାହିଁ ତାଙ୍କୁ ଗାଁରେ ରହିବାର ସୁବିଧା ମଧ୍ୟ କରିଦେଉଛୁ ।
ଦିନେ ତାରିଣୀ ମଇଁଷି ଚରାଉଥିଲେ ଏହି ସମୟରେ ପୋଡାବାଡ଼ି ଗାଁର ଜଣଙ୍କ ଠାରୁ ଏହି କୌଶଳ ଶିଖିବା ପରେ ଲୋକ ଭଲ ହେବା ପରେ ଧିରେ ଧିରେ ପ୍ରଚାର ହୋଇଗଲା । ଏହାପରେ ବିଭିନ୍ନ ଗାଁକୁ ଗାଁ ବୁଲି ମଧ୍ୟ ଚିକିତ୍ସା କରିଲେ ତାରିଣୀ, ଯେଉଁଠି ଆବଶ୍ୟକତାରେ ଚେର ମୂଳି ମଧ୍ୟ ଦେଲେ ତେବେ ରକା ରହିବା ଶରୀରର କେଉଁଠି ହାଡ଼ ଖସିଗଲେ କୌଶଳରେ ତାକୁ ଖଞ୍ଜି ଦିଅନ୍ତି ତାରିଣୀ । ଏପରି ଜୀବନ କାଳ ମଧ୍ୟରେ ଅନେକଙ୍କୁ ଭଲ କରିପାରିଛନ୍ତି । ଗାଁକୁ ରାସ୍ତା ନଥିଲା ସେତେବେଳେ ମଧ୍ୟ ଲୋକ ଆସିଥାନ୍ତି ଭଲ ହୋଇ ଯାଇଛନ୍ତି । ଶହେ ବର୍ଷରେ ପାଦ ଥାପିଥିବା ତାରିଣୀ କହିଥିବା ବେଳେ ଜୀବନରେ ଅର୍ଥର ଲାଳସା କରିନାହିଁ ବୋଲି କହିଛନ୍ତି ତାରିଣୀ । ଶରୀରରେ ବଳ ନାହିଁ କିନ୍ତୁ ମନବଳ ରହିଛି ତେଣୁ ଯିଏ ଅସୁବିଧାରେ ଆସୁଛି ତାକୁ ସୁସ୍ଥ କରି ପଠାଉଛନ୍ତି ତାରିଣୀ ସେଥିପାଇଁ ଜିଲ୍ଲାର ଅନେକ ତାଙ୍କ ହାତ ପାପୁଲିର ଯାଦୁକୁ ପ୍ରଂଶସା କରୁଛନ୍ତି ।