ନକଲି ପୋଲିସ ଡିଏସପିକୁ ବାନ୍ଧିଛି ଅସଲି ପୋଲିସ, କମିଶନରେଟ୍ ପୋଲିସ୍ ମାଡ଼ି ବସିଲା

ଥାଟ୍ ପୂରା ପୋଲିସିଆ । କେହି ବାରି ବି ପାରିବେନି ତାଙ୍କ ଠାଣି ଦେଖି । ହେଲେ ସାରୁ ଭିତରେ ଅଛି ମାରୁ । ଏକଥା ଶୁଣି ଝଟକା ଲାଗିଲାନା ? ନକଲି ପୋଲିସ ଡିଏସପିକୁ ବାନ୍ଧିଛି ଅସଲି ପୋଲିସ l ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ଏମିତି କେମିତି ସମ୍ଭବ ହୋଇପାରେ ? ତାହା ପୁଣି ଖୋଦ୍ ରାଜଧାନୀ ଭୁବନେଶ୍ବରରେ ? ….ସବୁଠୁ ବଡ଼ କଥା ହେଲା ପୋଲିସକୁ ଚକମା ଦେଇ ଠକୁଥିଲେ ଲୋକଙ୍କୁ । ନିଜକୁ DSP କହି ଅନେକ ଲୋକଙ୍କୁ ଚାକିରି କରିଦେବେ ବୋଲି ଲୋଭ ଦେଖାଉ ଥିଲେ । ଲୋକେ ମଧ୍ୟ ନକଲି ପୋଲିସ ବାବୁଙ୍କୁ ଅସଲି ବୋଲି ବିଶ୍ବାସ କରି ତାଙ୍କ ପାଲରେ ପଡ଼ି ଯାଉଥିଲେ । ଏବେ ସହିଦ ନଗର ଥାନା ପୋଲିସ ହେପାଜତରେ ଏଇ ନକଲି ଡିଏସପି ।
ନିଜକୁ DSP ବୋଲାଉଥିବା ଏ ଯୁବକଙ୍କ ନାଁ ହେଉଛି ମାନସ ରଞ୍ଜନ ସେନାପତି । ଘର ଭଦ୍ରକ ବାସୁଦେବପୁର ଅଞ୍ଚଳରେ। ସେ ଭୁବନେଶ୍ବର ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୂଦନ ନଗରରେ ରହୁଥିଲେ l ନକଲି ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଚାକିରି ଦେବା ନାଁରେ ଠକୁଥିଲା। ସହିଦ ନଗର ଅଞ୍ଚଳରୁ ନାଇଟ ବ୍ଲକିଂ ଚେକିଂ ବେଳେ ଧରିଥିଲା ସହିଦନଗର ପୋଲିସ । ତା ନିକଟରୁ ପୋଲିସ ୟୁନିଫର୍ମ, ନକଲି ଆପଏଣ୍ଟମେଣ୍ଟ ଲେଟର, ୧୬ ହଜାର ଟଙ୍କା, ନକଲି ପୋଲିସ ଆଇକାର୍ଡ, କାର, ମୋବାଇଲ ଫୋନ ଜବତ ହୋଇଛି । ଖାଲି ସେତିକି ନୁହେଁ, ଏ ନକଲି ଅଫିସ ଠାରୁ ଦୁଇ ଲକ୍ଷ ନକଲି ନୋଟ ବି ମିଳିଛି । ତେଣୁ କେତେ ଚତୁର ଓ ଚାଲାକ ହୋଇଥିବେ ବାବୁ ଜଣକ ଏଥିରୁ ବୁଝି ନିଅନ୍ତୁ ।
ଏଥିରୁ ଜାଣନ୍ତୁ କେତେ ସାହସ ଏ ଠକଙ୍କର । ନକଲି ଡିଏସପି ଖାଲି ଏକା ନଥିଲେ । ନିଜର ନକଲି ସହଯୋଗୀ କନଷ୍ଟେବଳ ବି ରଖିଥିଲେ । ତାଙ୍କୁ ବି ଗିରଫ କରିଛି ପୋଲିସ୍ । ତାଙ୍କ ନାଁ ଆଶିଷ ସ୍ୱାଇଁ । ଘର ପିପିଲି ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏହି ଦୁଇଜଣ ପୋଲିସ ପରିଚୟ ଦେଇ ଅନେକ ଲୋକଙ୍କୁ ଚାକିରି କରାଇ ଦେବା ନାଁରେ ଠକୁଥିଲେ । ଉଭୟ ନାଇଟ ବ୍ଲକିଂ ଚେକିଂ ବେଳେ ପୋଲିସ ହାତରେ ଧରା ପଡ଼ିଗଲେ । ଅଭିଯୁକ୍ତ ଠାରୁ ମିଳିଥିବା ଏକ ନକଲି ପୋଲିସ୍ ପରିଚୟ ପତ୍ରରେ ସବ୍-ଇନ୍ସପେକ୍ଟର ଓ ଭଦ୍ରକରେ ପୋଷ୍ଟିଂ ବୋଲି ଲେଖା ଯାଇଛି । ଭଦ୍ରକର ତତ୍କାଳୀନ ଏସପି ଚରଣସିଂ ମୀନାଙ୍କ ଦସ୍ତଖତକୁ ମଧ୍ୟ ନକଲ କରାଯାଇଛି । ଏହି ପରିଚୟ ପତ୍ର ମିଳିବା ପରେ ପୋଲିସ୍ ଅଧିକ ତଦନ୍ତ ଚଳାଇଛି । ଏହାସହ ନକଲି ଟଙ୍କା ରାକେଟ ସହ ଏମାନେ ସମ୍ପୃକ୍ତ ଥିବା ସନ୍ଦେହ କରୁଛି ପୋଲିସ। ସେ ନେଇ ଅନ୍ୟ ଏକ ମାମଲା ରୁଜୁ କରାଯିବ ।
ତେବେ ଏହି ଅସଲି ଭଳି ଦିଶୁଥିବା ନକଲି ପରିଚୟ ପତ୍ର କେଉଁଠି ତିଆରି ହୋଇଛି ? ଏଥିରେ କେଉଁମାନେ ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ କରାଯାଉଛି । ଏହି ନକଲି ଅଫିସର କେତେ ଲୋକଙ୍କୁ ଠକିଛନ୍ତି ? ସେନେଇ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି ।
Also read:ବଦଳି ଯାଇଛି ଘଞ୍ଚଜଙ୍ଗଲ, ପାହାଡ଼ ଭିତରେ ଲାଲ ଗର୍ଜନ ଶୁଭୁଥିବା କୋରାପୁଟର ଚିତ୍ର