ଚାକିରି କରାଇ ଦେବ କହି ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟୁଥିଲା ନକଲି ପୋଲିସ

ପ୍ୟାଣ୍ଟ୍, ସାର୍ଟ, ଟୋପି, ବ୍ୟାଚ୍ ଏମିତିକି ଆଇକାର୍ଡ଼ ସବୁକିଛି ଅବିକଳ ପୋଲିସ ଅଧିକାରୀଙ୍କ ପରି । ବାବୁ ଜଣକ ଏସବୁ ପିନ୍ଧି ବେଶ୍ ଥାଟରେ ବୁଲୁଥିଲେ ସହର ଭିତରେ । ଆଉ ନିଜକୁ ଜଣେ ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ଧାକ୍ ଜମାଇ ଥିଲେ । କେବଳ ସେତିକି ନୁହେଁ ହୋମଗାର୍ଡ ଭାବରେ ଚାକିରି କରେଇ ଦେବାକୁ କହି ଆଶାୟୀଙ୍କ ଠାରୁ ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଲୋକେ ମଧ୍ୟ ନକଲି ପୋଲିସ ବାବୁଙ୍କୁ ଅସଲି ବୋଲି ବିଶ୍ବାସ କରି ତାଙ୍କ ପାଲରେ ପଡ଼ି ଯାଉଥିଲେ ।
କିନ୍ତୁ ଚୋର ଘର ତ ସବୁଦିନେ ଅନ୍ଧାର ନଥାଏ । କେତେ ଦିନ ବା ଏଭଳି ଲୁଟ କରିଥାନ୍ତେ? ଠିକ ସେହିଭଳି ଏବେ ଏହି ନକଲି ପୋଲିସ ବାବୁଙ୍କ ସବୁ ଚାଲାକି ଧରା ପଡ଼ିଛି । ଏହି ଠକକୁ ଏବେ ଗିରଫ କରି କୋର୍ଟ ଚାଲାଣ କରିଛି କଟକ ବାଦାମବାଡ଼ି ଥାନା ପୋଲିସ । ଆଉ ପଦାରେ ପଡିଲା ନକଲି ପୋଲିସର ଅସଲି ଚେହରା । ହଁ ଆଜ୍ଞା, ଏ ବାବୁଙ୍କର ଏତେ ସାହସ ପୁଣି ଯେ ସେ କଟକ ଭଳି ଜାଗାରେ ନକଲି ପୋଲିସ ୟୁନିଫର୍ମ ପିନ୍ଧ ଅଫିସର ଠାଣିରେ ଲୋକଙ୍କୁ ଭୂତେଇ ଓ ଠକେଇ କରି ଚାଲିଥିଲେ । ଆଉ ଏବେ ଧରାପଡ଼ିଛନ୍ତି ।
ତେବେ ଗତ ଏପ୍ରିଲ ୧ ତାରିଖ ଦିନ ଥାନାରେ ଏହି ନକଲି ପୋଲିସ ନାଁରେ ଲିଖିତ ଅଭିଯୋଗ ହୋଇଥିଲା । କଟକ ସିଏନ୍ ବିଟି ବସଷ୍ଟାଣ୍ଡରେ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟରତ ଯୁବକ ଜିତଂଶୁ ଶେଖର ପରିଡ଼ା ଅଭିଯୋଗ କରିଥିଲେ । ଏହା ପରେ ମିଛ ପୋଲିସକୁ ଧରିବାରେ ସଫଳ ହୋଇଥିଲା ଅସଲି ପୋଲିସ । ଗିରଫ ଅଭିଯୁକ୍ତ କଟକରେ ରହୁଥିଲା । ପ୍ରାୟ ୩୦ରୁ ୪୦ ଜଣ ଲୋକଙ୍କୁ ଠକି ଥିବା ସୂଚନା ଦେଇଛନ୍ତି କଟକ ଡିସିପି । ଅଭିଯୁକ୍ତର ବ୍ୟାଙ୍କ୍ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଫ୍ରିଜ କରିଛି ପୋଲିସ ।
ଏହି ନକଲି ପୋଲିସ ବାବାଙ୍କ ନାଁ ଗୁଣ୍ଡିଚା ଦଳେଇ । ତିଗିରିଆ ଥାନା ଅଞ୍ଚଳରେ ତାଙ୍କ ଘର ବୋଲି ସୂଚନା ଦେଇଛି କମିଶନରେଟ ପୋଲିସ । ଅଭିଯୁକ୍ତର ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ । ହେଲେ ବୁଦ୍ଧି କିନ୍ତୁ ପ୍ରଖର । ତାଠାରୁ ଏକ ଲାପଟପ୍, ନକଲି ପୋଲିସ ପୋଷାକ, ଟୋପି, ନକଲି ପୋଲିସ ପରିଚୟ ପତ୍ର, ପାଞ୍ଚଟି ମୋବାଇଲ ଫୋନ, ରବର୍ ଷ୍ଟାମ୍ପ, ଚେକ୍ ବହି ଆଦି ଜବତ୍ କରିଛି ପୋଲିସ । ଯାହାକୁ ନେଇ ନିଜର ଠକ ସାମ୍ରାଜ୍ୟ ଚଳାଇଥିଲା ଗୁଣ୍ଡିଚା । ତେବେ କେବଳ ଯେ ପୋଲିସ ଚାକିରି ନୁହେଁ, ଆରଆଇ, ଅମିନ ଚାକିରି କରିବା ନାଁରେ ମଧ୍ୟ ଠକେଇ କରୁଥିଲା ଗୁଣ୍ଡିଚା ।
ୟୁନିଫର୍ମ ପିନ୍ଧି ଫଟୋ ଉଠାଇ ଚାକିରି କରାଇ ଦେବା ବାହାନାରେ ନିରୀହ ଲୋକଙ୍କ ଠାରୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା । ଅନ୍ୟପଟେ ଗୁଣ୍ଡିଚାକୁ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ପୋଲିସ ଆମ ରକ୍ଷକ । ଏଥିପାଇଁ ଅପରାଧୀମାନେ ପୋଲିସକୁ ଭୟ କରନ୍ତି । କିନ୍ତୁ ଏବେ ଅପରାଧୀ ପୋଲିସ ବେଶ ନେଇ ଲୋକଙ୍କୁ ଠକିବା ପାଇଁ ପ୍ଲାନ୍ କରୁଛନ୍ତି । ତେଣୁ ସାବଧାନ ଦର୍ଶକ ବନ୍ଧୁ, ଆପଣଙ୍କୁ କେହି ପୋଲିସ୍ ପୋଷାକ ପିନ୍ଧି ଅଯଥାରେ ଡରାଇଲେ କି ବଟି ମାଗିଲେ ପ୍ରଥମେ ନିଜେ ନିଶ୍ଚିତ ହୁଅନ୍ତୁ ସେ ଅସଲି ନା ନକଲି ପୋଲିସ୍ ।
Also read: ପ୍ରେମିକକୁ ଅପହରଣ କରି ଟଙ୍କା ମାଗିଲେ, ବନ୍ଧା ହେଲେ ମାଷ୍ଟରମାଇଣ୍ଡ ପ୍ରେମିକା