ମିଳୁନି ଆବାସ ଯୋଜନା, ପଲିଥିନି ତଳେ ଜୀବନ ବିତାଉଛନ୍ତି ସବାତନଙ୍କ ପରିବାର

ସୋର: ମିଳୁନି ଆବାସ ଯୋଜନା । ଭଙ୍ଗା ନଡା ଛପର ସହିତ ପଲିଥିନି ତଳେ ଜୀବନ ବିତାଉଛନ୍ତି ଏହି ପରିବାର । ଏପରି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଖଇରା ବ୍ଳକ ଗଗନଧୁଳି ପଞ୍ଚାୟତ ମଛଦା ଗ୍ରାମରେ । ଏହି ଗ୍ରାମର ବାହାଦୁର ମଲ୍ଲିକ । ସ୍ତ୍ରୀ, ୩ ଝିଅ ଏକମାତ୍ର ପୁଅକୁ ନେଇ ପରିବାର । ୩ ଝିଅଙ୍କ ମଧ୍ୟରୁ ଦୁଇ ଝିଅ ଭିନ୍ନକ୍ଷମ ଥିଲା ବେଳେ ଏକମାତ୍ର ପୁଅ ମଧ୍ୟ ଭିନ୍ନକ୍ଷମ । ଦୁଇ ଝିଅଙ୍କ ବିବାହ ପରେ ବାହାଦୁରଙ୍କର ପରିଣତ ବୟସରେ ମୃତ୍ୟୁ ଘଟିଥିଲା । ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀ ଚଞ୍ଚଳାଙ୍କର ମାନସିକ ବିକୃତ ଘଟିଲା । ଯାହାଫଳରେ ଏକମାତ୍ର ପୁଅ ସନାତନ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ ବାଙ୍ଗାଲୋରରେ ଦାଦନ ଖଟୁଛନ୍ତି । କହିବାକୁ ଗଲେ ପରିବାରରେ ଏକାବେଳକେ ୫ ଜଣ ଭିନ୍ନକ୍ଷମ ।

ଏପଟେ ଅବିବାହିତା ଭଉଣୀ ଜଣେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ମ୍ୟାଟ୍ରିକ ଠାରୁ ବିଏ ପର୍ଯ୍ୟନ୍ତ ପାଠ ପଢି ଉଚ୍ଚଶିକ୍ଷିତ ହୋଇଛନ୍ତି । ପରିବାର ସହିତ ନିଜ ଭାଇଙ୍କୁ ସାହାଯ୍ୟ କରିବା ପାଇଁ ଗାଁରେ ପିଲାମାନଙ୍କୁ ଟିଉସନ କରି ନିଜ ପାଗଳୀ ମା ସମେତ, ଭାଉଜ ଓ ତାଙ୍କର ଦୁଇ ଭିନ୍ନକ୍ଷମ ପୁଅଙ୍କର ଦେଖାଶୁଣା କରୁଛନ୍ତି । ସନାତନଙ୍କର ଦୁଇପୁତ୍ର ଆୟୁଷମାନ (୫) ଓ ଅଭିଷେକ (୩) ମଧ୍ୟ ଭିନ୍ନକ୍ଷମ । ପରିବାରର ବୋଝକୁ ଭାଇ ଭଉଣୀ ଉଭୟ ବହୁ କଷ୍ଟରେ ଚଳାଉଛନ୍ତି ।

ତଥାକଥିତ ଦଇବ ଦାଉ ସାଧିଲା ପରି ଗତ ଜୁନ ମାସରେ କାଳ ବୈଶାଖୀ ଯୋଗୁଁ ଘର ପାଖରେ ଥିବା ଏକ ଗଛ ଘର ଉପରେ ହିଁ ପଡି ଯାଇଥିଲା । ଯାହାଫଳରେ ଘର ଭିତରେ ଥିବା ଭିନ୍ନକ୍ଷମ ପରିବାର ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇ ଯାଇଥିଲେ । ଏପଟେ ୨୦୧୭-୧୮ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ତାଲିକାରେ ନାମ ରହିଥିଲା । ୨୦୨୩ ରେ ଆବାସ ବଣ୍ଟନର ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳିଥିଲା ବେଳେ ଏହି ପରିବାରକୁ କିନ୍ତୁ ମିଳିନଥିଲା । ଭତ୍ତା,ରାସନ କାର୍ଡ଼ରେ ଦୁଇ ସନ୍ତାନ ଓ ସ୍ତ୍ରୀ ଚଞ୍ଚଳାଙ୍କ ନାମ ସାମିଲ ପାଇଁ ଦାବି କରୁଥିଲେ ଆଜି ପର୍ଯ୍ୟନ୍ତ ସେମାନଙ୍କର ନାମ ଉଠିପାରିନାହିଁ । ଯାହାଫଳରେ ଭାଗ୍ୟକୁ ଆଦରି ସେହି ଦିନ ଠାରୁ ସେହି ଭଙ୍ଗାରୁଜା ଘରେ ପରିବାର ଚଳି ଆସୁଛନ୍ତି ।

ଏନେଇ ଖବର ପାଇ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ତାଙ୍କର ପୁତ୍ର ଯୁବନେତା ନୀଳମାଧବ ପଣ୍ଡା ଏବଂ ବହୁ ରାଜନେତା ଓ ସମାଜସେବୀ ଅସହାୟ ସନାତନଙ୍କ ଘରେ ପହଞ୍ଚି ସମସ୍ୟା ସମ୍ପର୍କରେ ବୁଝାସୁଝା କରିଥିଲେ । ଏ ବିଷୟରେ ବିଡ଼ିଓଙ୍କ ସହିତ ଆଲୋଚନା କରି ପରିବାରକୁ କିପରି ସରକାରୀ ସହାୟତା ମିଳିପାରିବ ସେନେଇ ଆଲୋଚନା କରିଥିଲେ । ଏ ବିଷୟରେ ବିଡ଼ିଓ ଅନନ୍ତ କୁମାର ହାଂସଦାଙ୍କୁ ପଚାରିବାରୁ ସେ ଏହି ପରିବାର ବିଷୟରେ ଅନୁଧ୍ୟାନ କରି ସରକାରଙ୍କ ନୀତି ନୀୟମ ଅନୁଯାୟୀ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି । ଏପଟେ ଏହି ଅସହାୟ ପରିବାରକୁ ସରକାରୀ ଓ ବେସରକାରୀ ମହଲରୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଇଛି । ତେବେ ଦେଖିବାକୁ ବାକି ରହିଲା କେବେ ମିଳୁଛି ଏହି ପରିବାରକୁ ସହାୟତା ।

 

You might also like