ମୟୁରଭଞ୍ଜରେ ଥିବା ମହାଭାରତ ସମୟର ମନ୍ଦିରରେ ମା’ କିଚେକେଶ୍ୱରୀଙ୍କ ଦୁର୍ଗା ପୂଜା

ଦେଶର ସବୁ ଶକ୍ତି ପୀଠରେ ପୂଜା ପାଉଛନ୍ତି ଜଗତ ଜନନୀ ମା’ ଦୁର୍ଗା। ପୁଣି ଆମ ଓଡ଼ିଶାର ସବୁ ମନ୍ଦିରରେ ମଧ୍ୟ ଜୋରସୋରରେ ଚାଲିଛି ଏହି ପୂଜା। ଠିକ୍ ସେମିତି ପୁରାତନ ଶକ୍ତି ପୀଠ ଭାବେ ବେଶ ଜଣାଶୁଣା ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚେକେଶ୍ୱରୀ ମନ୍ଦିର। ହଜାର ହଜାର ବର୍ଷ ପୁରୁଣା ମନ୍ଦିରରେ ଚାଲିଛି ଦୁର୍ଗା ପୂଜା। ସବୁଠୁ ବଡ଼ କଥା ହେଲା ଏଠାରେ ଖୁବ୍ ନିଆରା ଢଙ୍ଗରେ ପାଳନ କରାଯାଏ ଦୁର୍ଗା ପୂଜା।

ମୟୁରଭଞ୍ଜ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ହେଉଛିନ୍ତି ମା’ କିଚେକେଶ୍ୱରୀ। ମା’ ଙ୍କ ମନ୍ଦିର ମୟୁରଭଞ୍ଜ ଜିଲ୍ଲାର ଖିଚିଂ ଠାରେ ଅବସ୍ଥିତ। ଖୀଚିଂ ମନ୍ଦିରଟି ବିଶ୍ୱରେ ଏକ ମାତ୍ର ମନ୍ଦିର ଅଛି ଯାହାକି ସମ୍ପୂର୍ଣ୍ଣ କଳା ମୁଗୁନି ପଥରେ ନିମାର୍ଣ କରାଯାଇଛି। ଏହି ମନ୍ଦିରଟି ୯୨୦ ରୁ ୯୨୬ ଖ୍ରୀଷ୍ଟାବ୍ଦରେ ର୍ନିମାଣ କରାଯାଇଥିବାର ସରକାରୀ ଭାବେ ଘୋଷଣା କରାଯାଇଛି ।

କଳାପାହାଡ଼ ଆକ୍ରମଣ ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ଯୟ ହେଉ ମନ୍ଦିରଟି ଭାଙ୍ଗି ଯାଇଥିଲା। ମୟୁରଭଞ୍ଜ ରାଜ୍ଯର ତତ୍କାଳୀନ ମହାରାଜା ୧୯୩୪ ମସିହାରେ ପୁନର୍ବାର ସେହି ସ୍ଥାନରେ ମା’ କିଚେକେଶ୍ୱରୀ ମନ୍ଦିର ର୍ନିମାଣ କରାଇ ୧୯୪୨ ମସିହାରେ ଶେଷ କରିଥିଲେ। ସେହି ଦିନ ଠାରୁ ଏଠାରେ ପୂଜା ପାଇ ଆସୁଛନ୍ତି ମା’ କିଚେକେଶ୍ୱରୀ ଠାକୁରାଣୀ। ବର୍ଷ ତମାମ ଭକ୍ତ ଓ ପର୍ଯ୍ଯଟକଙ୍କ ଭିଡ଼ ଜମିଥାଏ ଏହି ସ୍ଥାନରେ ଦେଶ ସ୍ୱାଧୀନତା ପୂର୍ବରୁ ମୟୁରଭଞ୍ଜ ରାଜାଙ୍କ ଦାୟିତ୍ୱରେ ଥିଲା ଏହି ମନ୍ଦିରଟି। ପରବର୍ତ୍ତୀ ସମୟରେ ଦେଶ ସ୍ୱାଧୀନ ହେବା ପରେ ଏହା ରାଜ୍ଯ ସରକାରଙ୍କ ଦେବତ୍ତର ବିଭାଗରେ ଦାୟିତ୍ବରେ ଅଛି ଏହି ମନ୍ଦିରଟି। ଖିଚିଂ ମନ୍ଦିରକୁ ବିଶେଷ କରି ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ୧୨ଶହ ବର୍ଷ ପୂରାତନ ମନ୍ଦିରରେ ବର୍ଷ ମଧ୍ୟରେ ଦୁଇଟି ବଡ଼ ପୂଜା କରାଯାଇଥାଏ । ଗୋଟିଏ ଦୁର୍ଗା ପୂଜା ହେଉଥିବା ବେଳେ ଆଉ ଗୋଟିଏ ହେଉଛି ବାସନ୍ତୀଙ୍କ ଦୁର୍ଗା ପୂଜା। ଏବେ ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ହେଇ ପଡିଛି ମନ୍ଦିର। ଏଠାରେ ରାଜାଙ୍କ ସମୟରୁ ପ୍ରଚଳିତ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ।

ପ୍ରତକ୍ଷ ଦେବୀ ଭାବେ ବେଶ ପରିଚିତ ମା’ କିଚେକେଶ୍ୱରୀ। ଐତିହାସିକ ମତ ଅନୁଯାୟୀ ୧୨ ଶହ ବର୍ଷ ପୁରୁଣା ମନ୍ଦିର କହୁଥିବା ବେଳେ ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି ଏହା ହେଉଛି ମହାଭାରତ ସମୟର ମନ୍ଦିର । ରାଜାଙ୍କ ସମୟରୁ ବ୍ଯବହାର କରୁଥିବା ପାଟ ଖଣ୍ଡାଗୁଡିକ ଭଣ୍ଡାର ଘରେ ରଖାଯାଇଛି। ମହା ସପ୍ତମୀ ଦିନ ପୂଜାର୍ଚ୍ଚନା କରିବା ପାଇଁ ଭଣ୍ଡାର ଘରୁ ବାଜା ବଜେଇ ଓ ପୂଜାର୍ଚ୍ଚନା କରିବା ପରେ ମନ୍ଦିରକୁ ଅଣାଯାଇ ମା’ଙ୍କ ନିକଟରେ ସ୍ଥାପନ କରାଯାଇଥାଏ।

ସକାଳେ ସୂର୍ଯ୍ଯ ପୂଜା କରିବା ସହିତ ଚଣ୍ଡୀ ପୂଜାର୍ଚ୍ଚନା ହେଇଥାଏ। ପୁଣି ସନ୍ଧ୍ୟା ସମୟରେ ଆଳତୀ ସରିବା ପରେ ମା’ଙ୍କୁ ମହାସ୍ନାନ କରିବା ପରେ ଷୋଳଶ ଉପଚାର ପୂଜାର୍ଚ୍ଚନା କରାଯାଇଥାଏ।ଏଥି ସହିତ ବେଳବରଣୀ ପୂଜା ,ଗୁପ୍ତପୂଜା , ନିଶାପୂଜା ,ନବପତିକାର ,ନମାତୃକା, ପୂଜାର୍ଚ୍ଚନା କରିବା ସହିତ ବିଳମ୍ବିତ ରାତ୍ର ପର୍ଯ୍ଯନ୍ତ ଚଣ୍ଡି ପୂଜାର୍ଚ୍ଚନା କରାଯାଇଥାଏ।

ଏହି ପୂଜାର୍ଚ୍ଚନା ରେ ମା’ ଙ୍କ ଭୋଗ ଖେଜୁଡି, କ୍ଷୀରି, ଡାଳି , ବିଭିନ୍ନ ପ୍ରକାର ଫଳ ଲାଗିବା ସହିତ ମାଛ ଭୋଗ ସହିତ ଏବଂ ସୁରା ଭୋଗ ମଧ୍ୟ ଲାଗିଥାଏ। ଏଠାରେ ବ୍ରାହ୍ମଣ ମାନେ ମନ୍ତ୍ର ପୂଜାରେ ଚଣ୍ଡୀ ପୂଜା କରୁଥିବା ବେଳେ ଦେହୁରୀ ମାନେ ତନ୍ତ୍ର ପୂଜା କରିଥାନ୍ତି । ମା’ ହେଉଛନ୍ତି ଚାମୁଣ୍ଡା ମୂର୍ତ୍ତି ଯାହାଙ୍କୁ ଦୁର୍ଗାଙ୍କ ଅନ୍ଯ ଏକ ରୂପ ବୋଲି କୁହାଯାଏ। ଏହି ପୂଜା ମହା ସପ୍ତମୀ ଠାରୁ ଆରମ୍ଭ କରି ବିଜୟା ଦଶମୀ ପର୍ଯ୍ଯନ୍ତ କରାଯାଇଆସୁଛି। ପୂଜାର୍ଚ୍ଚନା ସମୟରେ ମହୁରୀ , ଶଙ୍ଖ, ଢୋଲ , ନାଗରା ପ୍ରଭୁତି ବଜାଇ ଥାଆନ୍ତି । ଦୁର୍ଗା ପୂଜା ସମୟରେ ମାଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏବୋଲୀ ବିଶ୍ୱାସ ରହିଛି । ତେବେ କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ଫିକା ପଡିଥିବା ଦୁର୍ଗାପୂଜା ଚଳିତ ବର୍ଷ ଅନୁମତି ମିଳିଥିବାରୁ ବେଶ ଧୁମଧାମରେ ପାଳନ କରାଯାଉଛି। ଯାହାପାଇଁ ଖୁବ୍ ଖୁସି ଅଛନ୍ତି ଶ୍ରଦ୍ଧାଳୁ।

Leave A Reply

Your email address will not be published.