ସୁବର୍ଣ୍ଣପୁରରେ ପାଳିତ ହୋଇଛି ପ୍ରସିଦ୍ଧ ନାଗବାଚା ଯାତ୍ରା

ସୁବର୍ଣ୍ଣପୁର(କେନ୍ୟୁଜ): ଯନ୍ତ୍ର,ମନ୍ତ୍ର,ତନ୍ତ୍ରର ସହର ହେଉଛି ସୁବର୍ଣ୍ଣପୁର । ଜିଲ୍ଲାରେ ତନ୍ତ୍ର ପୂଜାର ରହିଛି ଏକ ଭିନ୍ନ ସ୍ୱତନ୍ତ୍ରତା ।ଏପରି ଏକ ତନ୍ତ୍ର ପୂଜା ହେଉଛି ସୁବର୍ଣ୍ଣପୁର ଜିଲ୍ଲାର କାନପୁର ଗାଁର ନାଗବାଚା ଯାତ୍ରା ।ଏଠାରେ ଦେବୀ ପାର୍ବତୀ ଏବଂ ଭଗବାନ ଶିବଙ୍କୁ ଉପାସନା କରି ନାଗଦେବତାଙ୍କୁ ପୂଜା କରାଯାଏ । ମାଙ୍କ ଆର୍ଶିବାଦ ଲାଭ କରି ଲୋକଙ୍କୁ ବିଷଧର ସର୍ପ ଦଂଶନ ହେଉ ଅବା ବିଶାକ୍ତ ଜୀବଜନ୍ତୁ ଆକ୍ରମଣକରିଥାଉ ଏସବୁର ଉପଚାର ଏଠାରେ ଖୁବ ସହଜରେ ମିଳିଯାଏ।। ଆସ୍ଥା ଓ ବିଶ୍ୱାସରେ ଲୋକଙ୍କ ଦୁଃଖ ଦୂର ହେବାସହ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି ।ତେଣୁ ଏଠାରେ ଅନେକ ଭକ୍ତ ସମାଗମ ହୋଇଥାଏ ।

ନାଗବାଚାର ଏହି ଯାତ୍ରା ବଡ଼ ଆଡମ୍ବରରେ ପାଳନ ହୋଇଥାଏ। ଭୋଗରାଗ ନେଇ ଢୋଲ,ମହୁରୀର ତାଳେ ତାଳେ ନାଗ ଦେବତାଙ୍କୁ ସାଙ୍ଗରେ ଧରି ବିରାଟ ପଟୁଆରରେ ବାହାରିଥାନ୍ତି ଭକ୍ତ । ଗାଁ ପରିକ୍ରମା କରିବା ସହିତ ଗାଁ ମୁଣ୍ଡରେ ଥିବା ଦେମୁଳ ପଡିଆକୁ ଯାଇ ସେଠାରେ ନାଗ ଦେବତାଙ୍କୁ ପୂଜାର୍ଚ୍ଚନା କରିବା ପରେ ବିନୁଆଁ ପୂଜା କରାଯାଇଥାଏ ।ପରେ ବିକଲ ପାଲି ,କାନପୁର ଗାଁକୁ ଯାଇ ନାଗ ଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।

ପ୍ରତ୍ୟେକ ଭକ୍ତ ନିଜ ଦୁଆର ମୁହଁରେ ଦୀପ ଜାଳି ନାଗ ଦେବତାଙ୍କ ଗୋଡ ଧୋଇଥାନ୍ତି । ଏଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କାନପୁର ଗାଁର । ଏଠାରେ ଆଖ ପାଖ ଗାଁର ଶହଶହ ଭକ୍ତ ସାମିଲ ହୋଇ ନିଜ ନିଜର ଗୁହାରି କରିଥାନ୍ତି । ବିଶ୍ୱାସ ରହିଛି ଏହି ସମୟରେ ନାଗ ଦେବତାଙ୍କ ପୂଜା କଲେ ମନସ୍କାମନା ପୂରଣ ହେବାସହ ପରିବାର ନିରୋଗୀ ହୋଇଥାଏ। ଲୋକଙ୍କ ପୂଜାପ୍ରତି ବିଶ୍ୱାସ ରହିଥିବାରୁ ଆଖ ପାଖ ଅଂଚଳର ମଧ୍ୟ ବହୁ ଭକ୍ତ ରୁଣ୍ଡ ହୋଇଥାନ୍ତି ।

ତିନିଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ନାଗବାଚା ଯାତ୍ରା ପ୍ରତିବର୍ଷ ନାଗ ଚତୁର୍ଥିରେ ବଡ ଆଡମ୍ବରରେ ପାଳିତ ହୋଇଥାଏ । ଚଳିତବର୍ଷ ୨୫ବର୍ଷରେ ପଦାର୍ପଣ କରିଥିବା ଏହି ନାଗବାଚା ଯାତ୍ରାକୁ ବଡ ଧୂମଧାମରେ ପାଳନ କରିଛନ୍ତି ଗାଁ ଲୋକେ । ଗମ୍ଭିରା ବିଜେ ପରେ ପ୍ରତିଟି ବରୁଆ ଦେହରେ ନାଗ ଦେବତା ଆର୍ବିଭାବ ହୋଇଥାନ୍ତି । ଗମ୍ଭିରାରେ ନିଜ ନିଜର ପରକ୍ରମ ଦେଖାଇ ଦେବୀ ର୍ପାର୍ବତୀ ଏବଂ ଭଗବାନ ଶିବଙ୍କ ଆର୍ଶିବାଦ ନେଇ ଦୈବିକୃପା ଲାଭ କରିଥାନ୍ତି । ନିଶା ପୂଜା ସହ ରାତିରେ ଶିବଙ୍କ ବିଷ ଲଡୁ ଭକ୍ଷଣ କରି ବିଷଧର ସର୍ପ କାମୁଡାରେ ଲୋକଙ୍କୁ ମାଗଣାରେ ଔଷଧ ଦେଇଥାନ୍ତି । ନାଗବାଚା ପୂଜା କରିବାଦ୍ୱାରା ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦୂର ହେବା ସହ ମନୋବାଞ୍ଛା ପୂରଣ ହେଉ ଥିବାରୁ ଏହି ଦିନରେ ଲୋକଙ୍କ ଆସ୍ଥା ବଢୁଥିବା ଶୁଣିବାକୁ ମିଳିିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.