ଆମ ଦେଶ ଭାରତକୁ, ଋୁଷି ମୁନୀଙ୍କ ଭୂମି ବା ଦେବଭୂମି ଭାବେ ସମସ୍ତେ ଜାଣନ୍ତି। ଏଠି ପ୍ରତିମା ପୂଜାକୁ ବହୁତ ଗୁରୁତ୍ୱ ଦିଆଯାଏ। ପ୍ରତ୍ୟେକ ମନ୍ଦିର ପଛରେ ରହିଛି କିଛି କିମ୍ବଦନ୍ତୀ ଏବଂ କାହାଣୀ। ଏ ଦେଶରେ ପୁରାଣ ଠାରୁ ଆରମ୍ଭ କରି ରାଜା ରାଜୁଡ଼ାଙ୍କର ରହିଛି ଅନେକ କାହାଣୀ। ଆମ ଓଡ଼ିଶାରେ ମଧ୍ୟ ଏମିତି କେତେ କେତେ ସ୍ଥାନ ରହିଛି ଯାହାର ଇତିହାସ କିମ୍ବା କିମ୍ବଦନ୍ତୀ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତା ସହିତ ମନ୍ଦିରର ଠାକୁର ଓ ସେଠାକାର ଇତିହାସ ଅତ୍ୟନ୍ତ ସ୍ୱତନ୍ତ୍ର । ସେମିତି ଏକ ସ୍ଥାନ ରହିଛି ବୌଦ୍ଧ ଜିଲ୍ଲାରେ। ପ୍ରାକୃତିକ ବିଭବ ଓ ଐତିହ୍ଯରେ ଭରପୂର ବୌଦ୍ଧ ଜିଲ୍ଲାର ଏହି ଅନନ୍ଯ ପର୍ଯ୍ଯଟନସ୍ଥଳୀ। ଯାହାକି କେବଳ ପର୍ଯ୍ଯଟକଙ୍କୁ ଆକୃଷ୍ଟ କରୁଛି ତାହା ନୁହେଁ, ଶ୍ରଦ୍ଧାଳୁ ମଧ୍ୟ ଛୁଟି ଆସନ୍ତି ଏଠାକୁ ।
ଏହା ଜାଗାର କିମ୍ବଦନ୍ତୀ ଏବଂ ଇତିହାସ ଅତି ପ୍ରାଚୀନ। ଏଭଳି ଏକ ପର୍ଯ୍ଯଟନସ୍ଥଳୀ ରହିଛି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଉମା ପଂଚାୟତର ରେଘାମୁଣ୍ଡା ଠାରେ। ତାର ନାଁ ହେଉଛି ଦେଢଶୁର-ଭାଇବୋହୂ ଭୀମ ପାହାଡ। ପାହାଡର ୫୦ ଫୁଟ ଉଚ୍ଚତାରେ ରହିଛି ଏହି ଦୁଇ ପଥର। ଯାହାକି ଦେଖିବାକୁ ବେଶସୁନ୍ଦର ଲାଗୁଥିବା ବେଳେ ଉପରକୁ ଯିବାର ମଜା ନିଅନ୍ତି ପର୍ଯ୍ଯଟକ। ଏହି ସ୍ଥାନର ଉନ୍ନତୀକରଣ ପାଇଁ ରାଜ୍ଯ ସଂସ୍କୃତି ବିଭାଗ ୧ କୋଟି ଟଙ୍କାର ଅନୁଦାନ ଦେବା ପରେ ବଦଳିଛି ଏଠାକାର ରୂପରେଖ । ଆଜି ଆମେ ରେଘାମୁଣ୍ଡର ଦେଢଶୁର ଭାଇ ବୋହୂ ଭୀମ ପାହାଡ଼ ବିଷୟରେ ଆପଣଙ୍କୁ କହିବୁ।

କିମ୍ବଦନ୍ତୀ ଅନୁଯାୟୀ ପଂଚୁପାଣ୍ଡବ ଯେତେବେଳେ ଅଜ୍ଞାତବାସ କରୁଥିଲେ ସେତେବେଳେ ଏହି ପାହାଡରେ ରହି ଗୁପ୍ତ ଭାବେ ଶୈବ ଉପାସନା କରୁଥିଲେ। ବର୍ତ୍ତମାନ ମଧ୍ୟ ଏଠାରେ ଏକ ଶୈବପୀଠ ରହିଛି ଯାହାକି ଗୁପ୍ତେଶ୍ୱର ବାବା ନାମରେ ପ୍ରସିଦ୍ଧି ଲାଭ କରିଛି । ପଂଚୁପାଣ୍ଡବ ଏଠାରେ ରହୁଥିବାର ଅନେକ କୀର୍ତ୍ତିର ଛାପ ଏବେବି ଏଠାରେ ରହିଛି। ବନବାସ ସମୟରେ ଦ୍ରୌପଦୀ ହଳଦୀ ଲଗାଉଥିବା ବେଳେ ତାହାର ଛିଟା ଚିହ୍ନ ବର୍ତ୍ତମାନ ମଧ୍ୟ ପଥରରେ ରହିଥିବା କୁହାଯାଉଛି ଏବଂ ହଳଦିଆ ରଙ୍ଗ ଛାପ ରହିଛି। ପୁଣି ପାଣ୍ଡବମାନେ ଏଠାରେ ଗୋପାଳନ ଓ ବାଦୁଡି ପାଳନ କରୁଥିବାର ଏକ କିମ୍ବଦନ୍ତୀ ରହିଛି ବର୍ତ୍ତମାନ ଗୁମ୍ଫା ଭିତରେ ରହିଥିବା ବାଦୁଡି ଗୁମ୍ଫା ଓ ଗାଈ ଗୁହାଳ ଏହାର ପ୍ରମାଣ ଦେଉଛି।
ସେହିଭଳି ମହାବଳି ଭୀମ ପାହାଡ ଉପରକୁ ଚଢିବାର ପାଦ ଚିହ୍ନ ଓ ବାଡିର ଭାରା ଛାପ ଆଜିବି ରହିଛି । ଆଉ ଗୋଟିଏ କଥା ହେଉଛି ଏହି ପାହାଡ଼ର ନାମକରଣ। କାହିଁକି ଏହାକୁ ଦେଢ଼ଶୁର-ଭାଇବୋହୂ ପାହାଡ଼ କୁହାଯାଏ। ତାକୁ ନେଇ ଏକ କାହାଣୀ ରହିଛି। ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ଦେଢଶୁର ଓ ଭାଇବୋହୂ ହେଉଛି ଅଛୁଆଁ ସମ୍ପର୍କ। ତେବେ ପଂଚୁପାଣ୍ଡବ ରହୁଥିବା ବେଳେ ଥରେ ତାଙ୍କର ନଜର ପଡ଼ିଲା ଏକ ଘଟଣା ଉପରେ। ବର୍ଷା ହେଉଥିବା ସମୟରେ ପାହାଡ ଉପରେ ଏକ ଗଛ ମୂଳେ ଜଣେ ଦେଢଶୁର ସହ ଭାଇବୋହୂ ଏକାଠି ଆଶ୍ରୟ ନେଇଛନ୍ତି । ଏମାନଙ୍କୁ ଦେଖି ପଞ୍ଚୁପାଣ୍ଡବମାନେ ତାଙ୍କୁ ଅଭିଶାପ ଦେଇଥିଲେ। ଆଉ ସେହି ଦେଢ଼ଶୁର ଭାଇବୋହୂ ସେଠାରେ ପଥର ପାଲଟି ଗଲେ।
ସେବେଠୁ ଏହି ପାହାଡର ନାଁ ହୋଇଛି ପଂଚୁପାଣ୍ଡବ-ଦେଢଶୁର-ଭାଇବୋହୂ ପାହାଡ଼ ବୋଲି ନାମକରଣ ହୋଇଛି ବୋଲି ଲୋକେ ମାନୁଛନ୍ତି। ତେବେ ଏହି ଦେଢଶୁର ଭାଇ ବୋହୁ ପଥର ଦୁଇଟି ମଧ୍ୟ ଆଶ୍ଚର୍ଯ୍ୟ ଠାରୁ କମ୍ ନୁହେଁ। ଏ ଦୁଇ ପଥର ପରସ୍ପରକୁ ଛୁଇଁ ନାହାନ୍ତି ଓ ଝୁଲନ୍ତା ଅବସ୍ଥାରେ ଅଛନ୍ତି। ଯେତେ ଝଡ ତୋଫାନ ହେଲେ ମଧ୍ୟ ପଥର ଦୁଇଟି ସେମିତି ସ୍ଥିର ରହିଛନ୍ତି, ଏଠାରେ ଛୋଟ ବଡ଼ ପାଞ୍ଚଟି ପାହାଡ଼ ରହିଛି। ଯାହାକୁ ପଞ୍ଚୁ ପାଣ୍ଡବ ପାହାଡ଼ କୁହାଯାଏ।
ତେବେ ଅନ୍ଯ ସମୟ ଅପେକ୍ଷା ଶ୍ରାବଣ ମାସରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ ଏହି ସ୍ଥାନରେ। ମନୋରମ ପ୍ରାକୃତିକ ଦୃଶ୍ୟ ସହ ପ୍ରଭୁଙ୍କ ଆସ୍ଥାନ ସମସ୍ତଙ୍କୁ ଆକର୍ଷିତ କରିଥାଏ। ପୁଣି ପାହାଡ଼ରେ ଏହି ପଥର ଦୁଇଟିକୁ ଦେଖିବାକୁ ପାହାଡ଼ର ୫୦ ଫୁଟ ଉପରକୁ ମଧ୍ୟ ଲୋକେ ଯାଇଥାନ୍ତି। ତେବେ ଏହା ଉପରକୁ ଯିବା ସହଜ କଥା ନୁହେଁ । ଏଠାରେ ବିପଦ ମଧ୍ୟ ରହିଛି । ୫୦ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ଅତିଥିଶାଳା, ପର୍ଯ୍ଯଟନ ଭିତ୍ତିଭୂମିକୁ ଦ୍ୱିଗୁଣିତ କରିଥାଏ । ମନ୍ଦିରର ଉନ୍ନତିକରଣ କାର୍ଯ୍ଯ ଚାଲୁ ରହିଛି । ତଥାପି ଏଠାରେ ଅନେକ ସମସ୍ଯା ମଧ୍ୟ ରହିଛି।ଏଠାରେ ଗୁପ୍ତ ରୂପେ ପୂଜା ପାଉଛନ୍ତି ପ୍ରଭୁ ଶିବ ଶଙ୍କର। ସେଥି ପାଇଁ ତ ଏଠାକୁ ଛୁଟୁଛି ଭକ୍ତଙ୍କ ଭିଡ।