ନୂଆ ଖାଇରେ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶାର ସାରା ସହର, ଧୁମଧାମରେ ପାଳନ ହେଉଛି ନୂଆଖାଇ

ନୂଆଖାଇରେ ଉତ୍ସବ ମୁଖର କଳାହାଣ୍ଡି, ମାଣିକେଶ୍ୱରୀଙ୍କ ପୀଠରେ ଧୁମଧାମରେ ପାଳନ ହେଉଛି ନୂଆଖାଇନୂଆଖାଇ, ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ। ଯେଉଁଦିନ ଏଠାକାର ସମସ୍ତ ଦେବୀ ପୀଠରେ ନୂଆ ଅନ୍ନ ଭୋଗ ଓ ବସ୍ତ୍ର ଲାଗି ହେବା ସହିତ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଖାଇ ଏହି ପର୍ବକୁ ବଡ ଉତ୍ସାହର ସହ ପାଳନ କରନ୍ତି।

ଏହି ପର୍ବ ପାଇଁ ପ୍ରାୟ ୪୦ ଦିନ ପୂର୍ବରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ତେବେ ଏହି ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିରମାନଙ୍କରେ ଏ ପର୍ବ ପର୍ଯ୍ୟାୟ କ୍ରମେ ପାଳନ କରାଯାଏ। କହିବାକୁ ଗଲେ ସମଗ୍ର ପଶ୍ଚିମ ଓଡ଼ିଶାରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଏହି କୃଷି ଭିତ୍ତିକ ପର୍ବ ପାଳନ କରାଯିବା ସହ ନୂଆଖାଇ ପର୍ବକୁ ବେଶ୍‌ ଧୁମ୍‌ ଧାମ୍‌ରେ ପାଳନ କରାଯାଏ। ତେବେ ଦଶମୀ ତିଥିରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଠାରେ ନବାନ୍ନ ଭୋଗ ଲାଗି ହୋଇଥାଏ। ଭାଦ୍ରବ ଶୁକ୍ଲ ପକ୍ଷ ଦଶମୀ ତିଥି ସକାଳ ୯ ଟା୧୫ ମିନିଟ୍‌ରୁ ୧୦ଟା ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ଲାଗି କରାଯାଇଛି।

folk dance
Picture credit – knewsodisha

ଏହା ପରେ ଭବାନୀପାଟଣାବାସୀଙ୍କ ସମେତ, ଗଡ଼ଜାତ ଅଂଚଳ, ଥୁଆମୂଳ ରାମପୁର, କରଲାପାଟ, ମହୁଲପାଟଣା, ଲାଞ୍ଜିଗଡ଼, ମଦନପୁର ରାମପୁର, ଜୟପାଟଣା, ଭଳି ଅଞ୍ଚଳବାସୀ ଦଶମୀ ତିଥିରେ ନବାନ୍ନ ଭକ୍ଷଣ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ଏକ ନିର୍ଦ୍ଦିଷ୍ଟ ତିଥିରେ ନୂଆଖାଇ ପର୍ବ ପାଳନ କରାଯାଇଥାଏ। ଜିଲ୍ଲାରେ ପ୍ରଥମେ କେସିଙ୍ଗା ବ୍ଲକର ପଥରଲାନ୍‌, ବାହାଦୁରପଦର ଅଞ୍ଚଳବାସୀ ସପ୍ତପୁରୀ ଅମାବାସ୍ୟା ପ୍ରତିପଦା ଦିନ ପ୍ରଥମେ ନବାନ୍ନ ଭକ୍ଷଣ କରିଥାନ୍ତି। ତେବେ ପଶ୍ଚିମ ଓଡିଶା ସହ ଜିଲ୍ଲାର ଗ୍ରାମାଞ୍ଚଳରେ ପଞ୍ଚମୀ ତିଥିରେ ନବାନ୍ନ ଭକ୍ଷଣ କରି ଆସୁଛନ୍ତି ।
ପୁଣି ଗଡ଼ଜାତ ଅଞ୍ଚଳରେ ଦଶମୀ ତିଥିରେ ଏହି ପର୍ବ ପାଳନ କରିବାର ପରମ୍ପରା ରହିଛି। ମା’ ମାଣିକେଶ୍ୱରୀଙ୍କ ପୀଠରେ ବର୍ଷ ତମାମ ବ୍ରାହ୍ମଣ ସମ୍ପ୍ରଦାୟର ସେବାୟତମାନେ ପୂଜା କରିଥାନ୍ତି । ହେଲେ କେବଳ ଦଶମୀ ତିଥିରେ ନୂଆଖାଇ ସମୟରେ ଆଦିବାସୀ ସମ୍ପ୍ରଦାୟର ନାଗଝରି ଗାଁର ସେବାୟତମାନେ ମା’ଙ୍କୁ ପୂଜା କରି ନବାନ୍ନ ଭୋଗ ଲାଗି କରନ୍ତି । କୁରେଇ ପତ୍ରରେ ଚୂଡ଼ା, ଗୁଡ଼ ଭଳି ବିଭିନ୍ନ ନୈବେଦ୍ୟ ଭୋଗ ଲଗାଇଥାନ୍ତି।

ମା’ଙ୍କ ଠାରେ ନବାନ୍ନ ଲାଗି ପରେ ଲୋକମାନେ ଘରକୁ ଭୋଗ ନେଇ ନିଜ ନିଜ ଇଷ୍ଟ ଦେବୀଙ୍କୁ ପୂଜା କରି ନୂଆଖାଇ ଥାନ୍ତି। କେବଳ ସେତିକି ନୁହେଁ ନୂଆ ଖାଇରେ ପଶ୍ଚିମ ଓଡିଶାର ଅନେକ ମଣ୍ଡପରେ ଓ ଦେବା ଦେବୀଙ୍କ ପୀଠରେ ବିଭିନ୍ନ ପାରମ୍ପରିକ ଓ ସାଂସ୍କୃତିକ ଉତ୍ସବ ମଧ୍ୟ ଅନୁଷ୍ଠିତ ହୁଏ। ତେବେ ସବୁଠୁ ଅଧିକ ଭିଡ଼ ଜମେ ମା ମାଣିକେଶ୍ୱରୀଙ୍କ ପୀଠରେ। ଭକ୍ତମାନେ ଦୂର ଦୂରାନ୍ତରୁ ମା’ଙ୍କ ଆଶୀର୍ବାଦ ନେବାକୁ ଛୁଟି ଆସନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.