ଦିନେ କ୍ଷେତରେ ହସି ଉଠୁଥିଲା ଅଳସି, ଏବେ ଲୋପ ପାଇଯିବ କି ଏହି ତୈଳ ଜାତୀୟ ଚାଷ?

ଲମତାପୁଟ: ଓଡ଼ିଶାର କୋରାପୁଟ ଜିଲ୍ଲା । ବିଭିନ୍ନ ଚାଷକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହିଥାଏ । ସେଥି ମଧ୍ୟରୁ ଲମତାପୁଟ ବ୍ଲକ ଅନ୍ୟତମ । ଏହି ବ୍ଲକରେ ବିଭିନ୍ନ ପ୍ରକାର ଶସ୍ୟ ଚାଷ କରିଆସୁଛନ୍ତି ଅଞ୍ଚଳବାସୀ । ଯେମିତି କି ସେଥି ମଧ୍ୟରେ ଧାନ,ମାଣ୍ଡିଆ,ସୁଆଁ, ଅଳସି । କିନ୍ତୁ ଏବେ ଏହି ଚାଷ ମାନଙ୍କ ମଧ୍ୟରୁ ଅଳସି ଚାଷ ହଜିଯିବାକୁ ବସିଲାଣି । ଦିନ ଆସିବ ଆଉ ଦେଖିବାକୁ ମିଳିବ ନାହିଁ ଅଳସି ଚାଷ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ।

ଦିନ ଥିଲା ଅଞ୍ଚଳରେ ସବୁ ଗାଁ ହସି ଉଠୁ ଥିଲା କ୍ଷେତରେ ଅଳସି ଚାଷ । ଗାଁ ମାନଙ୍କରେ ପ୍ରଚୁର ପରିମାଣରେ ଏକର ଏକର ଜମିରେ ଅଳସି ଚାଷ ଦେଖିବାକୁ ମିଳୁଥିଲା । ଏହି ଅଞ୍ଚଳରୁ ବାହାର ରାଜ୍ୟକୁ ଟନ୍ ଟନ୍ ଅଳସି ବାହାର ରାଜ୍ୟକୁ ରପ୍ତାନି ହେଉଥିଲା । ତା ସହିତ ଲୋକେ ହାଟ ବଜାରରେ ବିକ୍ରି କରି ନିଜର ଦୈନନ୍ଦିନ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରୁଥିଲେ ।

ଯାହାର ବେଶି ଅମଳ ହେଉଥିଲା ସେ ବେପାରୀଙ୍କୁ ବିକ୍ରି କରି ବେଶ୍ କିଛି ଟଙ୍କା ରଖୁଥିଲେ । ତା ସହିତ କିଛି କିଛି ଗାଁ ମାନଙ୍କରେ ଚାଷୀ ମାନେ ଦେଶୀ ପଦ୍ଧତିରେ ତେଲ କାଢି ରଖୁଥିଲେ ଗୋଟେ ବର୍ଷ ପାଇଁ । କାରଣ ଏହି ତେଲ କୌଣସି ବିନା ରାସାୟନିକ ପ୍ରକ୍ରିୟାରେ ହେଉଥିଲା । ଆଉ ଏହି ତେଲ ଦେହ ପାଇଁ ବହୁତ୍ ହିତକାରକ । ତେଣୁ ଏହି ତେଲ ଏହି ଅଞ୍ଚଳରେ ବେଶ୍ ଲୋକ ପ୍ରିୟ ଥିଲା । କିନ୍ତୁ ଏବେ ତାହା ସମ୍ପୂର୍ଣ୍ଣ ହଜି ଯିବାକୁ ବସିଲାଣି ।

ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି କି, ପ୍ରଥମେ ଆମକୁ ଉପଯୁକ୍ତ ବିହନ ମିଳୁନାହିଁ, ବିକ୍ରି କଲେ ସଠିକ୍ ମୂଲ୍ୟ ମିଳୁ ନାହିଁ, ବେଶି ଦିନ ରଖିଲେ ଓଜନ କମି ଯାଉଛି, ଆଗ ଭଳି ଜମି ମଧ୍ୟ ଉର୍ବର ନାହିଁ ତେଣୁ ଚାଷ କଲେ ମଧ୍ୟ ଉତ୍ପାଦନ ଠିକ୍ ହେଉ ନାହିଁ, ତେଣୁ ବାଧ୍ୟ ହୋଇ ଏହି ଚାଷ ଛାଡ଼ିବା ପାଇଁ ପଡୁଛି । ତେଣୁ ଆମେ ସରକାର କୁ ଗୁହାରି କରୁଛୁ କି ଶସ୍ୟ ଭଣ୍ଡାରରେ ବିହନ ରଖି ଆମକୁ ଉପଯୁକ୍ତ ବିହନ ଯୋଗାଇ ଦିଅନ୍ତୁ । ତା ସହିତ ବିକ୍ରି କଲେ ମାଣ୍ଡିଆ ଭଳି ସଠିକ୍ ମୂଲ୍ୟ ଦିଅନ୍ତୁ । ତେବେ ଦେଖିବାକୁ ବାକି ରହିଲା କି ଏହି ଚାଷ ପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ କେବେ ଦୃଷ୍ଟି ପଡିବ ଓ ପୁଣି ଥରେ ଅଞ୍ଚଳରେ ଅଳସି ଖେତ ହସି ଉଠିବ ତାକୁ ହିଁ ଅପେକ୍ଷା ।