ୟାକୁ ହିଁ କୁହନ୍ତି ଉଦାରତା…ସ୍କୁଲ ପାଇଁ କମ୍‌ ପଡ଼ୁଥିଲା ଜାଗା; ଚାଷୀ ମାଗଣାରେ ଦାନ କରିଦେଲେ ନିଜ ୨୫ ଲକ୍ଷର ଜମି!

ମଧ୍ୟ ପ୍ରଦେଶର ଅଶୋକ ନଗର ଜିଲ୍ଲା ମହିଦପୁର ଗାଁ, ଏଠି ରୁହନ୍ତି ଚାଷୀ ବୃଜେନ୍ଦ୍ର ସିଂ ରଘୁବଂଶୀ, ଯାହାଙ୍କୁ ନେଇ ସାରା ଗାଁରେ ଚର୍ଚ୍ଚା। କାହିଁକି ନା, ବୃଜେନ୍ଦ୍ର ଏକ ଉଦାର କାମ କରି ସମସ୍ତଙ୍କ ପାଇଁ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ଖବର ମୁତାବକ, ସେ ନିଜ ଗାଁରେ ସିଏମ୍‌ ରାଇଜ୍‌ ସ୍କୁଲ ପାଇଁ ୪ ବିଘା ଜମି ଦାନ କରିଛନ୍ତି। ବୃଜେନ୍ଦ୍ର ଯେଉଁ ଜମି ଦାନ କରିଛନ୍ତି, ତାହାର ଦାମ୍‌ ପାଖାପାଖି ୨୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି।

ମିଡିଆ ରିପୋର୍ଟ ଅନୁସାରେ, ଗାଁରେ ଏକ ସ୍ୱୀକୃତିପ୍ରାପ୍ତ ସରକାରୀ ସ୍କୁଲ ଘର ନିର୍ମାଣ ପାଇଁ ୧୦ ବିଘା ଜମି ଆବଶ୍ୟକ ପଡ଼ୁଥିଲା। କିନ୍ତୁ ପ୍ରଶାସନ ପାଖରେ ୬ ବିଘାରୁ ଅଧିକ ଜମି ନ ଥିଲା। ଏମିତି ସ୍ଥିତିରେ ପ୍ରଶାସନ ସ୍କୁଲକୁ ଅନ୍ୟ କୌଣସି ଗାଁକୁ ନେଇଯିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଏ ନେଇ ଯେତେବେଳେ ବୃଜେନ୍ଦ୍ର ଜାଣିବାକୁ ପାଇଲେ, ତ ସେ ନିଷ୍ପତ୍ତି ନେଲେ ଯେ ଯାହା ବି ହେଉନା କାହିଁକି, ସେ ସ୍କୁଲକୁ ନିଜ ଗାଁରୁ ଯିବାକୁ ଦେବେ ନାହିଁ।

ଏହାପରେ ବୃଜେନ୍ଦ୍ର ବିଳମ୍ବ ନ କରି ପ୍ରଶାସନିକ ଅଧିକାରୀମାନଙ୍କୁ ଭେଟିଥିଲେ ଏବଂ ସରକାରୀ ଜମି ସନ୍ନିକଟ ନିଜର ୪ ବିଘା ଜମିକୁ ସ୍କୁଲ ପାଇଁ ମାଗଣାରେ ଦାନ କରିବେ ବୋଲି କହିଥିଲେ। ବୃଜେନ୍ଦ୍ରଙ୍କ ଦ୍ୱାରା ଜମି ଦାନର ଘୋଷଣା ପରେ ଜିଲ୍ଲା ପ୍ରଶାସନ ନିଜ କାମରେ ଲାଗି ପଡ଼ିଛି। ଆଶା କରାଯାଉଛି, ଖୁବ୍‌ ଜଲ୍‌ଦି ବୃଜେନ୍ଦ୍ରଙ୍କ ଗାଁକୁ ଏକ ନୂଆ ସ୍କୁଲ ମିଳିଯିବ। ତେବେ ସୂଚନାଥାଉ କି, ପାଖାପାଖି ୪୦ ବର୍ଷ ପୂର୍ବେ ବୃଜେନ୍ଦ୍ରଙ୍କ ପୂର୍ବଜ ନଥନ ସିଂ ରଘୁବଂଶୀ ମଧ୍ୟ ଏହିଭଳି ସ୍କୁଲ ପାଇଁ ଜମି ଦାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.