ଆଦର୍ଶ ବିଦ୍ୟାଳୟ ପକ୍ଷରୁ ସାଙ୍ଘାତିକ ଭୁଲ, ବଦଳିଲା ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର

ଉଦଳା: ପରୀକ୍ଷା ପ୍ରଶ୍ନପତ୍ର ରେ ସାଙ୍ଘାତିକ ତ୍ରୁଟି । ଗୋଟିଏ ବିଷୟରେ ପାଠ ପଢ଼ି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ରହିଥିଲେ ଛାତ୍ରଛାତ୍ରୀ । ହେଲେ ପରୀକ୍ଷାରେ ଆସିଲା ଅନ୍ୟ ପ୍ରଶ୍ନ । ୩ ଘଣ୍ଟା ପ୍ରଶ୍ନର ଉତ୍ତର ନ ଲେଖି ପାରି ପରୀକ୍ଷା ହଲରେ ବସିକି ଆସିଲେ ଛାତ୍ରଛାତ୍ରୀ । ଯାହା ଦ୍ୱାରା କି ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବାରୁ ବଞ୍ଚିତ ଥିବା ବେଳେ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ହଁ ଆଜ୍ଞା, ପରୀକ୍ଷାରେ ତ୍ରୁଟି ପୂର୍ଣ୍ଣ ପ୍ରଶ୍ନପତ୍ର । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଆଦର୍ଶ ବିଦ୍ୟାଳୟ ପକ୍ଷରୁ ହୋଇଛି ସାଙ୍ଘାତିକ ଭୁଲ। ବଦଳିଲା ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର। ଅଲଗା ପ୍ରଶ୍ନପତ୍ର ଦେଖି ଛାତ୍ରଛାତ୍ରୀଙ୍କ ହୋସ୍ ଉଡ଼ିଯାଇଥିଲା। ଜାଣିନଥିବା ସିଲାବସ ପାଠର ପ୍ରଶ୍ନ ଥିଲା । କଣ କରିବେ ଶେଷରେ କିଛି ଉତ୍ତର ନ ଲେଖି ଘରକୁ ଫେରିଥିଲେ । ଏଭଳି ଅଭାବନୀୟ ଘଟଣା ଖୁଣ୍ଟା ବ୍ଲକ ଟିଟିଆ ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ୨ ସିବିଏସଇ ପରୀକ୍ଷାରେ ଘଟିଛି । ଟିଟିଆ ଆଦର୍ଶ ବିଦ୍ୟାଳୟରେ ବଡ଼ସାହି ଆଦର୍ଶ ବିଦ୍ୟାଳୟର ୩୫ ଜଣ ଛାତ୍ରଙ୍କର ସିବିଏସଇ ଯୁକ୍ତ ୨ ପରୀକ୍ଷା ନିମନ୍ତେ ସେଣ୍ଟର ପଡିଥିଲା। ଆଜି ଇଂରାଜୀ ପରୀକ୍ଷା ରହିଥିଲା। ବଡ଼ସାହି ଆଦର୍ଶ ବିଦ୍ୟାଳୟର ୩୫ ଛାତ୍ରଛାତ୍ରୀ ଇଂରାଜୀର କୋର ବିଷୟ ପାଠ ପଢିଥିବା ବେଳେ ସେମାନେ ଆଜି ଇଂରାଜୀ କୋର ବିଷୟର ପରୀକ୍ଷା ଦେଇଥାନ୍ତେ । ହେଲେ ପିଲାଙ୍କ ନିମନ୍ତେ ଆସିଥିଲା ଇଂରାଜୀ ଇଲେକ୍ଟିଭ ପ୍ରଶ୍ନ। ତ୍ରୁଟି ପୂର୍ଣ୍ଣ ପ୍ରଶ୍ନପତ୍ର କେମିତି ହେଲା ? ତାହା ଏବେ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଏହି ଭୁଲ୍ କିଏ ଦାୟୀ ?
ମାନସିକ ସ୍ତରରେ ଛାତ୍ରଛାତ୍ରୀ ମାନେ ଆସିଥିଲେ ପରୀକ୍ଷା ଦେବା ପାଇଁ । ହେଲେ ପରୀକ୍ଷା ପ୍ରଶ୍ନପତ୍ର ଦେଖିବା ପରେ ତାଙ୍କ ମୁଣ୍ଡ ଗୋଲ୍ ହୋଇଯାଇଥିଲା। କାରଣ ଇଂରାଜୀ କୋର ଏବଂ ଇଲେକ୍ଟିଭ ୨ ଗୋଟି ସମ୍ପୂର୍ଣ୍ଣ ଭିନ୍ନ ସିଲାବସର ଥିଲା । ଯେଉଁଥି ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ହଲରେ ୩ ଘଣ୍ଟା ବସି ବସି ବାହାରି ଆସିଥିଲେ। ଯାହାକି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଏବେ ଅନ୍ଧାର କୁ ଠେଲି ହୋଇଯାଇଥିବା କହିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଅନ୍ୟପଟେ ଏହି ପ୍ରଶ୍ନପତ୍ର ତ୍ରୁଟିରେ ଆଦର୍ଶ ବିଦ୍ୟାଳୟ ବଡ଼ସାହିର ତ୍ରୁଟି ଅଛି ବୋଲି କହିଛନ୍ତି ସେଣ୍ଟର ପଡ଼ିଥିବା ଆଦର୍ଶ ବିଦ୍ୟାଳୟ ଟିଟିଆର ପ୍ରିନସିପାଲ। ତେବେ ଟିଟିଆ ଆଦର୍ଶ ବିଦ୍ୟାଳୟ ରେ ୬ ଗୋଟି ବିଦ୍ୟଳୟର ସେଣ୍ଟର ପଡିଥିବା ବେଳେ ବଡ଼ସାହି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ । ତେବେ ପରୀକ୍ଷା ଦେବାରୁ ବଂଚିତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଏହି ପରି ତ୍ରୁଟି ପୂର୍ଣ୍ଣ ପ୍ରଶ୍ନପତ୍ର ପାଇଁ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।