ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ବାପା ମା’, କିନ୍ତୁ ମନୋଜର ପତ୍ତା ମିଳୁନି

ଭଦ୍ରକ: ମା’ ଆଖିରୁ ବୋହି ଯାଉଛି ଧାର ଧାର ଲୁହ । ପୁଅର ଖୋଜ ଖବର ମିଳୁନି । ଆଉ ପୁଅକୁ ଟିକେ ଦେଖିବା ପାଇଁ ଆକୁଳ ହୋଇ ଅନେଇ ବସିଛି ମା’ । ମା’ ହୋଇ ପୁଅକୁ କେମିତି ବା ନ ଝୁରିବ । ପୁଅର ଫଟୋ ଧରି ପୋଲିସ ଷ୍ଟେସନ ବାହାରେ ଅପେକ୍ଷା କରିଛି । ତା ପୁଅକୁ କାଳେ କିଏ ଖୋଜି ଆଣିଦେବ । ପୁଅ ଯାଇଥିଲା କର୍ଣ୍ଣାଟକ ରାଜ୍ୟକୁ କାମ କରିବା ପାଇଁ । ଗୋଟିଏ ମାସ ଘରକୁ ଟଙ୍କା ପଠାଇଲା କିନ୍ତୁ ତା ପରେ ପୁଅର ଖୋଜ ଖବର ନାହିଁ ।  ପୁଅ ନିଖୋଜ ହେବା ନେଇ ପାଖ ଫାଣ୍ଡିକୁ ଅଭିଯୋଗ କରିବା ପାଇଁ ଯାଇଥିଲା ମା’ । କିନ୍ତୁ ପୋଲିସ ରଖୁନାହିଁ ଏତଲା ।

ଏଭଳି ଏକ ଦୁଃଖଦ ଘଟଣା ଦେଖାଯାଇଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଅଣ୍ଡିଆ ଗାଁରେ । ତେବେ ଗାଁର ସମ୍ପଦ ଦାସଙ୍କ ପୁଅ ମନୋଜ ଦାସ ନିଖୋଜ ଥିବା ନେଇ ଘର ଲୋକ ଅଭିଯୋଗ ଆଣିଛନ୍ତି । ମନୋଜ ଘରେ ଥିଲା ବେଳେ ଗାଁର ଦୁଇ ଜଣ ବ୍ୟକ୍ତି ମନୋଜଙ୍କ ଘରେ ପହଞ୍ଚିଥିଲେ । କର୍ଣ୍ଣାଟକର ହୁବୁଲି ସହରର ଏକ ଶୀତଳ ଭଣ୍ଡାରରେ ମନୋଜକୁ କାମ ଦେବେ କହିଥିଲେ । ପୁଅକୁ କର୍ଣ୍ଣାଟକ ପଠାଇଲେ ସେ ସେଠାରେ କାମ କରି ଭଲ ଦରମା ପାଇବ ବୋଲି ପ୍ରତିଶୃତି ଦେଇ ମନୋଜଙ୍କୁ ଗତ ଡିସେମ୍ବର ମାସରେ ଘରୁ ନେଇ ଯାଇଥିଲେ ଗାଁର ଦୁଇ ଜଣ ବ୍ୟକ୍ତି ।

ତେବେ ମନୋଜ ସେଠାରେ କାମ କରି ଗତ ଫେବୃଆରୀ ମାସ ୧୦ ତାରିଖରେ କିଛି ଟଙ୍କା ଘରକୁ ପଠାଇଥିଲା । କିନ୍ତୁ ତା ପର ଦିନ ମନୋଜଙ୍କୁ କାମ ପାଇଁ ନେଇଥିବା ଦୁଇ ଜଣ ଲୋକ ଫୋନ କରି ମନୋଜ କର୍ଣ୍ଣାଟକର ସେହି କମ୍ପାନୀରେ ନଥିବା ତାଙ୍କ ମା’ଙ୍କୁ ଜଣାଇଥିଲେ । କିନ୍ତୁ ମନୋଜ ଘରକୁ ଆସି ନଥିଲା । ତେବେ ମନୋଜକୁ କେହି ଅପହରଣ କରି ନେଇଥିବା କହି ମନୋଜଙ୍କ ମା’ ସ୍ଥାନୀୟ କେନ୍ଦୁଆପଦା ଫାଣ୍ଡିରେ ଅଭିଯୋଗ କରିବା ପାଇଁ ଯାଇଥିଲେ । କିନ୍ତୁ ପୋଲିସ ଏତଲା ରଖିନଥିବା ମନୋଜଙ୍କ ବୃଦ୍ଧ ବାପା ମା’ ଅଭିଯୋଗ କରିଛନ୍ତି । ଏପରିକି କାମ ପାଇଁ ଘରୁ ଡାକି ନେଇଥିବା ଦୁଇ ବ୍ୟକ୍ତି ମଧ୍ୟ ମନୋଜଙ୍କ ବାପା ମା’ଙ୍କୁ ବିଭିନ୍ନ ପ୍ରକାର ଧମକ ଦେଉଥିବା ମନୋଜଙ୍କ ମା’ ଅଭିଯୋଗ କରିଛନ୍ତି ।

ନିରୁପାୟ ହୋଇ ମନୋଜଙ୍କ ବାପା ମା’ ଶେଷରେ ଭଦ୍ରକରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାପାଳ ଓ ଅତିରିକ୍ତ ଏସପିଙ୍କୁ ଭେଟି ଗୁହାରି କରି ନ୍ୟାୟ ଦେବାକୁ ନିବେଦନ କରିଛନ୍ତି । ମନୋଜ ଗୋଟିଏ ମାସର ଟଙ୍କା ପଠାଇବା ପରେ କୁଆଡ଼େ ଗଲେ । ତାଙ୍କ ସହ କିଛି ଅନ୍ୟାୟ ହୋଇନି ତ? ଏ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରାଗଲେ ହିଁ ମନୋଜଙ୍କ ସନ୍ଧାନ ମିଳିବ । ଏପଟେ ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ବାପା ମା’ ।

Also Read:ଷ୍ଟେସନରୁ ନିଖୋଜ ଯୁବତୀଙ୍କ ସହ କିଏ କରିଛି ନିର୍ଭୟାକାଣ୍ଡ ? ପୋଲିସ୍ କରୁଛି ତନାଘନା