ପୁଅର ମୃତ୍ୟୁ ପରେ ପାଞ୍ଚ ଜଣଙ୍କ ପାଇଁ ଅଙ୍ଗଦାନ କଲେ ବାପା ମାଆ

ଜୀବନର କି ଅବା ଭରସା… ଆଜି ଅଛି କାଲିକି ନାହିଁ.. । ସତରେ ମୃତକୁ କେହି ରୋକି ପାରି ନାହିଁ କି ଜିତି ପାରି ନାହିଁ । ହେଲେ ସେଇ ମଣିଷ ସମସ୍ତଙ୍କର ମନେ ରହେ ଯିଏ ଭଲ କର୍ମ କରିଥାଏ ତାକୁ ମନେ ରଖନ୍ତି ଅନ୍ୟମାନେ । ତେବେ ଆମେ ଏବେ ଯେଉଁ ଯୁବକଙ୍କ କଥା କହିବାକୁ ଯାଉଛୁ ସେ ଏମିତି କିଛି କରି ନଥିଲେ ଯେଉଁଥି ପାଇଁ ତାଙ୍କୁ ଘର ବାହାର ଲୋକ ମନେ ରଖିବେ । କିନ୍ତୁ ମୃତ୍ୟୁ ପରେ ତାଙ୍କ ଦାନ ଏମିତି ହେଲା ଯେ ସେ ପାଞ୍ଚ ପାଞ୍ଚଟି ପରିବାର ପାଇଁ ଅମର ହୋଇଗଲେ । ….କେତେବେଳେ କାହା ଜୀବନରେ ଖରାପ ସମୟ ଆସି ପହଞ୍ଚେ ସେ ବିଷୟରେ କେହି ଆଗରୁ ଜାଣି ନଥାଏ । ଦୁର୍ଘଟଣା ଘଟିଗଲା ପରେ ବି ସହଜରେ ବିଶ୍ୱାସ କରିହୁଏ ନାହିଁ । ଚାହୁଁ ଚାହୁଁ କ୍ଷଣିକ ଭିତରେ ସବୁ କିଛି ଓଲଟ ପାଲଟ ହୋଇଯାଏ । ଖୁସି ବଦଳରେ ଲୁହରେ ଭିଜି ଯାଏ ପରିବାରର ପରିବେଶ । ଏମିତି ଏକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ପୁଅ ବିୟୋଗରେ ଆଖି ଲୁହକୁ ଓଠରେ ଚାପି ରଖି ଛାତିକୁ ପଥର କରି ବାପା ଜଣକ କରିଛନ୍ତି ଅଙ୍ଗଦାନ ଭଳି ମହତ କାର୍ଯ୍ୟ ।

ଏ ଦୁନିଆ ଛାଡ଼ି ପୁଅ ଚାଲିଗଲା ସତ । କିନ୍ତୁ ଅନ୍ୟମାନଙ୍କୁ ଦେଇ ଯାଇଛନ୍ତି ଅମୂଲ୍ୟ ଉପହାର । ଅଙ୍ଗଦାନ ଭଳି ମହତ କାର୍ଯ୍ୟ କରି ପୁଅ ଅମର ହୋଇ ଯାଇଛି । ପୁଅର ମୃତ୍ୟୁ ତାଙ୍କୁ ଯେତିକି ଦୁଃଖ ଦେଇଛି ତାର ଅଙ୍ଗଦାନ ତାଙ୍କୁ ସେତିକି ସନ୍ତୋଷ ଆଣି ଦେଇଛି । ପୁଅର ମୃତ୍ୟୁ ବେକାର ଯାଇନି । ପୁଅ ସିନା ଏ ଦୁନିଆରୁ ବିଦାୟ ନେଇ ଆରପାରିକୁ ଚାଲିଗଲା କିନ୍ତୁ ପୁଅର ଅଙ୍ଗ ଦାନ କରି ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରିଛନ୍ତି ବାପା ମା’ । ଯାହା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

ପୁଅ ପାଇଁ କେତେ କଣ ସ୍ୱପ୍ନ ଦେଖିଥିଲେ ବାପା ମା’ । ଏଇ ମାସେ ହେବ ନୂଆ କରି ଚାକିରି କରିଥିଲା ପୁଅ । କିନ୍ତୁ ଅବେଳରେ ସେ ଦୁନିଆ ଛାଡ଼ି ଚାଲିଯିବ ସେକଥା ସ୍ୱପ୍ନରେ ସୁଦ୍ଧା ସେମାନେ ଭାବି ନଥିଲେ । ଏବେ ପୁଅର ଶରୀର ଦାହ ହୋଇ ନଷ୍ଟ ହେବନି । ତାର ବିଭିନ୍ନ ଅଙ୍ଗ ଅନ୍ୟମାନଙ୍କୁ ଜୀବନ ଦେବ ।…. ମୃତ ପୁଅର ଅଙ୍ଗ ଦାନ କରି ଚର୍ଚ୍ଚାରେ ବାପା ମା’। ଦୁର୍ଘଟଣାର ଶିକାର ହୋଇଥିବା ଚନ୍ଦ୍ର ଶେଖର ନାୟକଙ୍କ ଅଙ୍ଗ ପାଞ୍ଚ ଜଣଙ୍କୁ ନୂଆ ଜୀବନ ଦେବ । ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଡୁକୁମ୍ ଗ୍ରାମପଞ୍ଚାୟତ ସଦର ଅଞ୍ଚଳର ଘଟଣା । ଯୁବକ ଚନ୍ଦ୍ର ଶେଖର ନାୟକ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଠିକା ସଂସ୍ଥା ପକ୍ଷରୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରି ଆସୁଥିଲେ । ଗତ ୧୫ ତାରିଖ ହୋଲି ଦିନ ମୁନିଗୁଡା ମେଡିକାଲରୁ କାର୍ଯ୍ୟ ସାରି ବାଇକରେ ଲିଫ୍ଟ ମାଗି ତାଙ୍କ ଘରକୁ ଫେରିବା ବେଳେ ଘଟିଲା ଦୁର୍ଘଟଣା । ରାସ୍ତାରେ ଥିବା ଗଛରେ ବାଇକ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇଥିଲେ ଚନ୍ଦ୍ର ଶେଖର ।

ତାଙ୍କୁ ସ୍ଥାନୀୟ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଆନ୍ଧ୍ର ଶ୍ରୀକାକୁଲମ୍ ର ଏକ ମେଡିକାଲକୁ ନିଆଯାଇଥିଲା । ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ବ୍ରେନ୍ ଡେଡ୍ ଘୋଷଣା କଲେ ସେଠାକାର ଡାକ୍ତର । ତାଙ୍କୁ ଭେଣ୍ଟିଲେଟର ମଧ୍ୟରେ ରଖି ଚିକିତ୍ସା କରାଯାଉଥିଲା। ଚନ୍ଦ୍ର ଶେଖର ବଞ୍ଚିବା କଷ୍ଟକର ବୋଲି ଡାକ୍ତର ପରିବାର ଲୋକଙ୍କୁ ଜଣାଇ ଦେଇଥିଲେ। ଗୁରୁତର ଚନ୍ଦ୍ର ଶେଖରଙ୍କ ବାପା କୃଷ୍ଣ ଚନ୍ଦ୍ର ନାୟକ ତାଙ୍କ ପୁଅର ବିଭିନ୍ନ ଅଙ୍ଗଦାନ କରିବା ପାଇଁ ଡାକ୍ତରଙ୍କୁ କହିଥିଲେ । ନିଜ ପୁଅର ଜୀବନ ଅନ୍ୟମାନଙ୍କ ଦେହରେ ବଞ୍ଚାଇ ରଖିବା ପାଇଁ ନିବେଦନ କରିଥିଲେ । କୃଷ୍ଣଙ୍କ ନିବେଦନକୁ ମେଡିକାଲ କର୍ତ୍ତୃପକ୍ଷ ଗ୍ରହଣ କରିଥିଲେ । ଚନ୍ଦ୍ର ଶେଖରଙ୍କ କିଡନୀ, ଲଙ୍ଗସ, ଲିଭର ଆଦି ଦାନ କରାଯାଇଛି ।

ଚେନ୍ନାଇ ତଥା ହାଇଦ୍ରାବାଦ ମେଡିକାଲ୍ ର ବରିଷ୍ଠ ଡାକ୍ତରୀ ଦଳ ଅଙ୍ଗ କାଢ଼ିବା କାର୍ଯ୍ୟରେ ନିୟୋଜିତ ହୋଇଲେ । ଅଙ୍ଗ ବାହାର କରିବା ପରେ ସେସବୁକୁ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ୍ ଠାରେ ଗ୍ରୀନ୍ କରିଡର ଦ୍ବାରା ଏୟାରଲିଫଟ୍ କରାଯାଇଥିଲା । ମୃତ ଚନ୍ଦ୍ରଶେଖରଙ୍କ ଅଙ୍ଗ ପାଞ୍ଚ ଜଣ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯିବ ବୋଲି ମେଡିକାଲର ଟ୍ରାନ୍ସପ୍ଲାଣ୍ଟ କୋଅଡିନେଟର କେଶବ କହିଛନ୍ତି। ପାଞ୍ଚଜଣ ଯୁବକଙ୍କ ଜୀବନ ବଞ୍ଚିବା ପାଇଁ ପୁଅର ଶେଷ ଅବସ୍ଥାରେ ଅଙ୍ଗଦାନ କରିବା ବାପାର ମହତ ଚିନ୍ତାଧାରାକୁ ନେଇ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛନ୍ତି । ଅଙ୍ଗଦାନ କରିବା ପରେ ମେଡିକାଲ୍ କର୍ତ୍ତୃପକ୍ଷ ଚନ୍ଦ୍ରଶେଖରଙ୍କୁ ମେଡିକାଲ ପରିସରରେ ଶେଷ ସମ୍ନାନ ଜଣାଇଥିଲେ । ଏପଟେ ଚନ୍ଦ୍ରଶେଖରର ପାର୍ଥିବ ଶରୀର ବିଷମ କଟକରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ଚନ୍ଦ୍ରଶେଖରଙ୍କ ପାର୍ଥିବ ଶରୀର ନିଜ ଗାଁ ମାଟିରେ ପହଞ୍ଚିଥିଲା । ସାଙ୍ଗ ସାଥି ପରିବାର ବନ୍ଧୁ ପରିଜନ ତାଙ୍କର ଶେଷ ଦର୍ଶନ କରିଥିଲେ । ଶୋକାକୁଳ ପରିବେଶ ଭିତରେ ଗାଁ ଶଶ୍ମାନରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଯାଇଛି ।

Also Read:ଆମେରିକାରେ ଭାରତୀୟ ଯୁବକ ଗିରଫ, ହମାସ ସହିତ ସଂପର୍କ ରଖିଥିବା ସନ୍ଦେହ