ସଇତାନ୍ ବାପାର ନାରକୀୟ କାଣ୍ଡ: ସ୍ତ୍ରୀକୁ ଫୋନ୍ କରି କହିଲା ‘ର୍ମୁଁ ଆମ ପୁଅକୁ ବାନ୍ଧି ଫିଙ୍ଗି ଦେଇଛି ରେଳ ଧାରଣାରେ’

ବଲାଙ୍ଗିର : ମୁଁ ଆମ ପୁଅକୁ ମାରି ଦଉଛି । କାହିଁକି ସେ ବଞ୍ଚିବ । ତୋର ମୋର ତ ଝଗଡା । ବିଚରା ସେ କାହିଁକି ହନ୍ତସନ୍ତ ହବ । ତେଣୁ ସବୁଦିନ ପାଇଁ ତାକୁ ମୁଁ ଆରପାରିକୁ ପଠେଇ ଦଉଛି… ଥରେ ଭାବିଲେ ଗୋଟେ ଜନ୍ମକଲା ମାଆ ପାଖକୁ ଯଦି ତା ଛୁଆକୁ ଜୀବନରୁ ମାରିଦବାକୁ ନେଇ  କିଏ ଫୋନ୍ କରି କହିବ, ସେଇ ମାଆର ଅବସ୍ଥା କଣ ହବ? ଦଶ ମାସ ଗର୍ଭ ଯନ୍ତ୍ରଣା ସହି, କେତେ କଷ୍ଟରେ ସେ ନିଜ ଛୁଆଟାକୁ ବଢେଇଥିବ । ଆଉ ଯଦି କିଏ ତା ଜାଣତରେ ତା ଛୁଆକୁ ମାରିଦବାକୁ କହିବ ସେ କେମିତିବା ଚୁପ୍ ଧରି ବସିବ । ଠିକ୍ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

ମହିଳାଙ୍କ ପାଖକୁ ହଠାତ୍ ଆସିଲା ଏକ ଫୋନ୍ କଲ୍ । ଆଉ ଫୋନ୍ କରିଥିଲେ ଖୋଦ୍ ମହିଳାଙ୍କର ସ୍ୱାମୀ । ନିଜ ସ୍ତ୍ରୀକୁ ଫୋନ୍ କରି କହିଲେ ସବୁ ସାରିଦେବି । ମୁଁ ଆମ ପୁଅକୁ ମାରି ଦେବାକୁ ନେଇ ଆସିଛି । ତା ହାତ ଗୋଡ ବାନ୍ଧି ତାକୁ ରେଳ ଧାରଣା ଉପରେ ଫିଙ୍ଗି ଦେଇଛି । ଆଉ ଅଳ୍ପ ସମୟ ପରେ ଟ୍ରେନ୍ ଆସିବ । ଆଉ ତାପରେ ଯାହା ହବ ତୁ ଭଲକି ଜାଣିଛୁ । ବାସ୍ ସ୍ୱାମୀଙ୍କ ମୁହଁରୁ ଏମିତି କଥା ଶୁଣିବା ମାତ୍ରରେ କେମିତି ବା ଧର୍ଯ୍ୟ ଧରି ବସିଥାନ୍ତା ମାଆଟି । ତୁରନ୍ତ କାଳ ବିଳମ୍ବ ନକରି ଉପସ୍ଥିତ ବୁନ୍ଧି ଖଟାଇଥିଲେ ନିଜ ଛୁଆଟିକୁ ବଞ୍ଚାଇବା ପାଇଁ । ସଙ୍ଗେ ସଙ୍ଗେ ନିଜ ଦିଅରଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ ପୋଲିସ୍ ନିକଟରେ ଯଥାଶୀଘ୍ର ଅଭିଯୋଗ ନେଇ ପହଁଚିଥିଲେ । ତେବେ ପୋଲିସ୍ ମହିଳାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପହଁଚିଥିଲା ରେଲ ଷ୍ଟେସନରେ । ଆଉ ଶେଷରେ ୮ ବର୍ଷର ପୁଅକୁ ଉଦ୍ଧାର କରିଥିଲା ବଲାଙ୍ଗିର ଟାଉନ୍ ଥାନା ପୋଲିସ୍ ।

arest

ତେବେ ପାରିବାରିକ ବିବାଦକୁ ନେଇ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।  ପୁଅକୁ ରେଲ ଧାରଣାରେ ମାରିବାକୁ ନିଜ ଜନ୍ମ କଲା ବାପା କରିଛି ଏହି ଉଦ୍ୟମ । ତେବେ ସ୍ୱାମୀ ସ୍ତ୍ରୀ ବିବାଦରେ ପୁଅକୁ ମାରିବାକୁ ଉଦ୍ୟମ କରିଛି ବାପା । ଯାହା ସୂଚନା ମିଳିଛିକି, କୁଆଡେ ମହିଳା ନିଜ ୮ବର୍ଷର ପୁଅକୁ ନେଇ ଦଶହରାକୁ ନିଜ ବାପଘରକୁ ବୁଲିବାକୁ ଯାଇଥିଲେ । ବୁଲାବୁଲି ସାରି ଘରକୁ ଫେରିବାକୁ ଡେରି ହୋଇଥିଲା । ଯାହାକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡା ଲାଗିରହିଥିଲା । ଗତକାଲି ବି ଏହି ଘଟଣାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ଲାଗିଥିଲା ।

ଯାହାପରେ ନିଶା ଶକ୍ତ ଅବସ୍ଥାରେ ଥିବା ସ୍ୱାମୀ ଅତିଷ୍ଠ  ହୋଇ ନିଜ ୮ ବର୍ଷର ପୁଅକୁ ଧରି ଘରୁ କୁଆଡେ ଚାଲିଯାଇଥିଲେ । ତେବେ ମହିଳା ଜଣକ ବି ବେଶ୍ କିଛି ସମୟ ସ୍ୱାମୀଙ୍କ ପିଛା କରିଥିଲେ କିନ୍ତୁ ଅଧାରାସ୍ତାରୁ ଆଉ ସ୍ୱାମୀକୁ ପାଇନଥିଲେ । ଯାହାଫଳରେ ଘରକୁ ଫେରିଆସିଥିଲେ । କିନ୍ତୁ କିଛି ସମୟ ଭିତରେ ନିଜେ ସ୍ୱାମୀ ଫୋନ୍ କରି କହିଥିଲେ ଏଭଳି କଥା ।  ସ୍ୱାମୀ ସ୍ତ୍ରୀ କଂସାରି ପଡା ଘରେ ବିବାଦ ହେବା ପରେ ପ୍ରାୟ ୨କିମି ଦୁରରେ ଥିବା ରେଲ ଷ୍ଟେସନରେ ଏପରି କାଣ୍ଡ ଭିଆଇଥିଲେ ଅଭିଯୁକ୍ତ ବାପା । ତେବେ ସେ ଯାହାବି ହେଉ ଭଗବାନଙ୍କ ଆର୍ଶୀବାଦରୁ ବଞ୍ଚିଯାଇଛି ଏକ ନୀରିହ ଜୀବନ । ଏପଟେ ନିଜ ସ୍ୱାମୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସ୍ତ୍ରୀ । ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ବଲାଙ୍ଗିର ଟାଉନ୍ ପୋଲିସ୍ । ତେବେ ଅଭିଯୁକ୍ତ ବାପା ସଚିନ ଦାସକୁ ଥାନରେ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।