ଦ୍ଵିତୀୟ ବିବାହ ପାଇଁ ନିଜ ଜନ୍ମକଲା ପୁଅକୁ ମାରିବାକୁ ବି ପଛାଇଲାନି ବାପା

ଯାଜପୁର: ପ୍ରଥମେ ଅପହରଣ ଓ ପରେ ହତ୍ୟା । ଖାଦାନ ଭିତରୁ ନିଖୋଜ ୫ବର୍ଷ ନାବାଳକର ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ଜେନାପୁର ଥାନା ସାହାଣୀଡ଼ିହ ପଞ୍ଚାୟତ ଚାରଗୋଠ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ବୁଧବାର ଦିନ ସନ୍ଧ୍ୟାରେ ଗାଁର ବାଉରୀବନ୍ଧୁ ରାଉତଙ୍କ ୫ ବର୍ଷର ନାବାଳକ ପୁଅ ଟ୍ୟୁସନରୁ ଫେରି ହଠାତ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ପୁଅର କୌଣସି ସନ୍ଧାନ ମିଳିନଥିଲା । ତେବେ ଗତକାଲି ସକାଳୁ ଗାଁ ନିକଟ ମଉଳାଭଞ୍ଜ ପଥର ଖାଦାନ ଭିତରୁ ହୋଇଛି ନାବାଳକର ମୃତଦେହ ଉଦ୍ଧାର ।

ଘଟଣା ପଛରେ ଅପହରଣ ଓ ହତ୍ୟା ଅଭିଯୋଗ । ଏହି ହତ୍ୟା ପଛରେ ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଫଳରେ ଗ୍ରାମରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ତେଜନା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଯାଜପୁର ରୋଡ଼ ଏସଡିପିଓ, ଜେନାପୁର ଥାନା ଅଧିକାରୀଙ୍କ ସମେତ ୧ ସେକ୍ସନ ପୋଲିସ ଫୋର୍ସ । ଅଭିଯୋଗ ମୁତାବକ ବାଉରୀବନ୍ଧୁ ସେହି ଗାଁର ଜଣେ ଝିଅ ସହ ଖରାପ ସମ୍ପର୍କ ରଖିଥିଲେ । ପରେ ଗ୍ରାମବାସୀ ଉଭୟଙ୍କୁ ବିବାହ କରାଇଥିଲେ । ବିବାହ ପରେ ତାଙ୍କର ଗୋଟିଏ ପୁଅ ହୋଇଥିଲା ।

କିନ୍ତୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ଓ ମନୋମାଳିନ୍ୟ ରହିବାରୁ ମାଆ ଓ ପୁଅ ଅଲଗା ହୋଇ ସେହି ଗାଁର ବାପ ଘରେ ରହୁଥିଲେ । ତେବେ ବାଉରୀବନ୍ଧୁ ପୁଅକୁ ରାସ୍ତାରୁ ହଟାଇ ଦ୍ଵିତୀୟ ବିବାହ କରିବା ପାଇଁ ଏଭଳି କାଣ୍ଡ ଭିଆଇଥିବା ବାପଘର ଲୋକେ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିରେ ବାଉରୀବନ୍ଧୁର ପରିବାର ମଧ୍ୟ ସମୃକ୍ତ ଥିବା ଅଭିଯୋଗ ହୋଇଛି । ଘଟଣା ଜଣାପଡିବା ପରେ ଆଜି ଉତ୍ୟକ୍ତ ଗ୍ରାମବାସୀମାନେ ବାଉରୀବନ୍ଧୁର ଘରକୁ ଭଙ୍ଗାରୁଜା କରିବା ପାଇଁ ଉଦ୍ୟମ କରିଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାକୁ ପ୍ରଶମିତ କରିବା ସହ ଘର ଭିତରେ ଲୁଚି ରହିଥିବା ବାଉରୀବନ୍ଧୁ ଓ ପରିବାର ଲୋକଙ୍କୁ ନିଜ ହେପାଜତକୁ ନେଇଛି । ଘଟଣାରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯାଜପୁରରୋଡ଼ ଏସଡିପିଓ ପ୍ରତିକ୍ରିୟାରେ କହିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ ଓ ସନ୍ଧନୀ କୁକୁରର ସହାୟତା ନେଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଗାଁରେ ମଧ୍ୟ ପୋଲିସ ମୁତୟନ କରାଯାଇଛି ।

Also read: ଢ଼ାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ପୋଲିସର ଏନ୍ କାଉଣ୍ଟର, ୨ ଅପରାଧୀ ଆହତ