ଶନିଙ୍କୁ ଭକ୍ତି ନା ଭୟ ? ଗୋଟିଏ ଦିନରେ ଜଳି ଗଲା କୋଟି କୋଟି ଟଙ୍କାର ରାଶି ତେଲ

ଆଜ୍ଞା ଆମ ଦେଶକୁ ଏବେବି ଗରିବ ବୋଲି ବିଦେଶୀମାନେ କୁହନ୍ତି । ହେଲେ କେତୋଟି ନିମ୍ନବର୍ଗ ଲୋକଙ୍କୁ ଛାଡ଼ି ଦେଲେ ଅନ୍ୟମାନେ ଅନ୍ତତଃ ଚାକିରି ବାକିରି ହେଉ ଅବା ବ୍ୟସାୟ କିମ୍ବା ସରକାରୀ ଯୋଜନାରେ ନିଜ ସ୍ଥିତିକୁ ଭଲରେ ରଖିଛନ୍ତି । ତେବେ ନିଜ କର୍ମ ସହ ଆମ ହିନ୍ଦୁମାନଙ୍କର ଗୋଟିଏ ବଡ଼ ବିଶ୍ବାସ ହେଲା ଈଶ୍ବରଙ୍କ ଉପରେ ଆସ୍ଥା । ଆମ ଭିତରୁ କିଛି ହୁଏତ ସମ୍ପୂର୍ଣ୍ଣ ଈଶ୍ବର ଭକ୍ତି କରି ତାଙ୍କ ଉପରେ ହିଁ ସବୁ ଛାଡ଼ି ଦେଇଛୁ ହେଲେ ଆମ ଭିତରୁ ଆଉ ଗୋଟିଏ ବର୍ଗ ଦୁର୍ନୀତିରେ ଲିପ୍ତ ରହିଲେ ବି ଠାକୁରଙ୍କୁ ଛାଡ଼ିନୁ । ଆବଶ୍ୟକ ପଡ଼ିଲେ ସେହି ଭଗବାନଙ୍କୁ କ୍ଷମା ମାଗି ଭୁଲକୁ ସୁଧାରି ନେଉ ବୋଲି ଆମେ ଭାବିଥାଏ । କାରଣ ଭଗବାନ ତ ସିଧାସଳଖ ଆସି ଆମକୁ ତାଗିଦ କରିବେନି କି ଭୁଲ ପାଇଁ ଶାସ୍ତି ଦେବେନି । ଏକଥା ଆମ ସମସ୍ତଙ୍କୁ ଜଣା । ଆଉ ମରିବା ପରେ କଣ ଘଟିବ ସେକଥା କିଏ ଦେଖିଛି ନା ଜାଣିଛି ?
ତେଣୁ ବିଲେଇ ଭଳି ଆମେ ଆଖି ବୁଜି ବୁଜି କ୍ଷୀର ପିଇ ଚାଲିଛୁ । ଯାହା ହେବ ଦେଖାଯିବ । ଏହି ମର୍ମରେ ଆମେ ଗତକାଲିର କଥାଟି କହୁଛୁ । ଗତକାଲି ଥିଲା ଶନି ଗୋଚର ବା ଶନି ଚଳନ । ଶନିଗ୍ରହ କୁମ୍ଭ ରାଶିରୁ ମୀନ ରାଶିକୁ ଗଲେ । ବେଶ୍ କିଛି ଦିନ ହେବ ଏହାକୁ ନେଇ ବିଭିନ୍ନ ଜ୍ୟୋତିର୍ବିଦ ଅନେକ ଆଲୋଚନା କରିଛନ୍ତି । ଶନିଙ୍କ ଚଳନ ଯୋଗୁଁ କେଉଁ ରାଶିରେ ଭଲ କେଉଁ ରାଶି ପାଇଁ ଖରାପ ସମୟ ଅସୁଛି ତାହା ମଧ୍ୟ କହିଛନ୍ତି । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହି ଖବର ଜୋରସୋରରେ ଛାଇ ଯାଇଥିବା ବେଳେ ଇଲେକଟ୍ରୋନିକ୍ସ ମିଡିଆ ଏବଂ ପ୍ରିଣ୍ଟ ମିଡିଆ. ମଧ୍ୟ ଏହି ଖବରରୁ ପଛରେ ନାହାନ୍ତି। ଆଉ ତାର ପ୍ରଭାବ ବି ଗତକାଲି ଦେଖିବାକୁ ମିଳିଥିଲା ବିଭିନ୍ନ ଶନି ମନ୍ଦିରରେ । ଗତକାଲି ସକାଳ ପହରୁ ବିଳମ୍ବିତ ରାତି ଯାଏ ଶନି ମନ୍ଦିର ସହ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁମାନେ ଧାଡ଼ି ଲଗାଇଥିଲେ । ତେବେ ଶନିଙ୍କ ମନ୍ଦିରରେ ସବୁଠୁ ବେଶି ଭିଡ଼ ଥିଲା । ହାତରେ ରାଶି ତେଲ ଅବା ସୋରିଷ ତେଲ ଆଦି ଦୀପ ଧରି ଲମ୍ବା ଲାଇନରେ ଠିଆ ହୋଇଥିଲେ ଲୋକେ ।
ଅବଶ୍ୟ ଅନୁମାନ ତ କରି ହେବନି କିନ୍ତୁ କାଲି ଗୋଟିଏ ଦିନରେ ଶନିଦେବଙ୍କ ଠାରୁ କୋଟି କୋଟି ଲିଟର ରାଶି ତେଲ ଢଳା ହୋଇଛି । ଗତକାଲି ଅମାବାସ୍ୟା ଥିଲା ତା ସହିତ କିଛି ଅଞ୍ଚଳରେ ସୂର୍ଯ୍ୟୋପରାଗ ମଧ୍ୟ ଥିଲା । ତେଣୁ ଏସବୁକୁ ମିଶାଇ ବିଶ୍ବାସୀ ଭକ୍ତଙ୍କୁ ଶନିଙ୍କ ନାମରେ ଡରାଇବା ପାଇଁ କିଛି ଅସୁବିଧା ନଥିଲା । ଗତକାଲି ଖାଲି ରାଶି ତେଲ ନୁହେଁ, ଦୀପ, ଧୂପ, ଭୋଗ, ରାଶି ଯାହା ସବୁ ଶନିଙ୍କ ପ୍ରିୟ ବୋଲି କୁହାଯାଏ ସେ ସମସ୍ତ ସାମଗ୍ରୀର ପ୍ରବଳ ବିକ୍ରି ହୋଇଛି । କୋଟି କୋଟି ଭକ୍ତ ଶନି ଦେବଙ୍କ ମୂର୍ତ୍ତିରେ ରାଶିତେଲ ଢାଳି ନିଜର ମଙ୍ଗଳ କାମନା ଓ ରିଷ୍ଟ ଖଣ୍ଡନ ପାଇଁ ପ୍ରାର୍ଥନା କରିଥିଲେ । ତେବେ ଏକଥାଟି କେତେଜଣ ମନେ ରଖିଥିଲେ କେଜାଣି କି ଶନି ହେଉଛନ୍ତି ନ୍ୟାୟର ଦେବତା । ଯିଏ ଭୁଲ କର୍ମ କରେ ସେ ତାକୁ ଛାଡ଼ନ୍ତି ନାହିଁ । ପାପକୁ ଦେଖି ଦଣ୍ଡ ଦିଅନ୍ତି । ତେଣୁ ମୂଳ କଥା ହେଉଛି ଉଚିତ କର୍ମ । କର୍ମ ଯଦି ଭଲ ଥାଏ ତେବେ ଶନି କିଛି କରନ୍ତି ନାହିଁ । ଆଉ ଯଦି ବି କିଛି କରନ୍ତି ତାହା ମନୁଷ୍ୟକୁ ଉଚିତ କର୍ମ କରିବା ପାଇଁ ଚେତାଇ ଦିଅନ୍ତି । ଏକଥାକୁ ନବୁଝି ଖାଲି ରାଶି ତେଲ ଢାଳିଲେ କିମ୍ବା ଓସ୍ତ ଗଛ ମୂଳେ ତେଲ ଦୀପ ଜାଳିଲେ କଣ ଶନି ସନ୍ତୁଷ୍ଟ ହୋଇଯିବେ ? ଆମେ କରିଥିବା ଭୁଲକୁ ମାଫ୍ କରି ଦେବେ ?