ପୁଣି ଖୋଲିଲା ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ଘଟଣାର ଫାଇଲ୍, ପୁରୁଷ ବନ୍ଧୁ ପ୍ରୀତିମାନଙ୍କୁ ଧରିଲା ପୋଲିସ୍

ଭିସୁଟ ଛାତ୍ରୀ ମୃତ୍ୟୁ ଘଟଣାରେ ହାଇକୋର୍ଟ ଦେଇଥିଲେ ନିର୍ଦ୍ଦେଶ । ଦୁଇ ସପ୍ତାହ ମଧ୍ଯରେ ସମ୍ବଲପୁର ଏସପିଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଗତ ୨ ଫେବୃଆରୀ ୨୦୨୩ ମସିହାର ଘଟଣା । ସେଦିନ ରାତି ପ୍ରାୟ ୮ଟା ରୁ ୯ ଟା ମଧ୍ଯରେ ଭିସୁଟର ବିଟେକ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କର ମୃତ୍ୟୁ ଖବର ଆସିଲା । ହୀରାକୁଦ ପାଖ ଚ୍ୟାନାଲରେ ବୁଡ଼ି ସେ ମୃତ୍ୟୁ ବରଣ କରିଥିଲେ । ତେବେ ରହସ୍ୟଜନକ ଭାବରେ ସେ ପ୍ରାଣ ହରାଇଥିଲେ । ଯାହାକୁ ନେଇ ଉଠିଥିଲା ଅନେକ ପ୍ରଶ୍ନ । ସେହି ମୃତ୍ୟୁ ଘଟଣାର ପୁନଃ ତଦନ୍ତ ଆରମ୍ଭ ହୋଇଛି । ….ଦୁଇବର୍ଷ ପରେ ଏହି ମାମଲାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେଙ୍କୁ ଗିରଫ କରାଯାଇଛି। ଚିନ୍ମୟୀଙ୍କୁ ଜୀବନ ହାରିବା ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗ ଥିଲା ପ୍ରତୀମାନଙ୍କ ବିରୁଦ୍ଧରେ । ତାଙ୍କୁ ଗିରଫ କରାଯାଇଥିବା ବୁର୍ଲା ଥାନାକାରୀ ସୌମ୍ୟକାନ୍ତ ବଳିଆରସିଂ ସୂଚନା ଦେଇଛନ୍ତି ।
ତେବେ ପାଣିରେ ବୁଡ଼ିଯାଇ ଚିନ୍ମୟୀଙ୍କ ମୃତ୍ୟୁ ଘଟିଥିବା ତତତ୍କାଳୀନ ଏସ୍ପି ବି. ଗଙ୍ଗାଧର କହିଥିଲେ । ଖାଲି ସେତିକି ନୁହେଁ ଏହି ଅଘଟଣକୁ ଅନ୍ୟ କେହି ଦେଖି ନାହାନ୍ତି, କେବଳ ବିଭିନ୍ନ ବୈଷୟିକ ପ୍ରମାଣକୁ ଆଧାର କରି ଏହା ହତ୍ୟା ନୁହେଁ, ଜୀବନ ହାରିବା ବୋଲି ଏସ୍ପି ଗଙ୍ଗାଧର ତାଙ୍କ ଚୂଡ଼ାନ୍ତ ରିପୋର୍ଟରେ ଉଲ୍ଲେଖ କରିଥିଲେ । କିନ୍ତୁ ପରିବାର ଲୋକେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ଅଭିଯୋଗ ଆଧାରରେ ପୁନଃ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି ।
ଚିନ୍ମୟୀ ନିଜ ସାର୍ଟିଫିକେଟ୍ ନେବା ପାଇଁ ସମାବର୍ତ୍ତନ ଉତ୍ସବକୁ ଆସିଥିଲେ । ସେହିଦିନ ହୀରାକୁଦ ଷ୍ଟେସନ ସମ୍ମୁଖ ଏକ ଢ଼ାବାରେ ଦୁଇ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଏବଂ ମାନସ ଟୁଡ଼ୁଙ୍କ ସହ ଖିଆପିଆ କରିଥିଲେ । ପରେ ସେମାନେ ସେଠାରେ ନିଶାପାନ ମଧ୍ୟ କରିଥିବା ତଦନ୍ତରୁ ଜଣା ପଡିଥିଲା। ମାନସ ସେଠାରୁ ଚାଲିଯିବା ପରେ ପ୍ରୀତିମାନ ଓ ଚିନ୍ମୟୀ ହୀରାକୁଦ ପାୱାର ଚେନାଲକୁ ଯାଇ କଥାବାର୍ତ୍ତା କରୁଥିବା ବେଳେ ପାଣିକୁ ଖସି ପଡି ଚିନ୍ମୟୀଙ୍କ ମୃତ୍ୟୁ ଘଟିଥିଲା । ପରଦିନ ତାଙ୍କର ମୃତଦେହ ପାଣିରୁ ଉଦ୍ଧାର ହୋଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ, ସୋସିଆଲ ମିଡିଆରେ ଚାଟିଂ, ଲାପଟପ୍, ମୋବାଇଲ ଆଦି ବିଭିନ୍ନ ପ୍ରମାଣ ଆଧାରରେ ହୋଇଥିଲା ତଦନ୍ତ । ସେଥିରୁ ପାଣିରେ ବୁଡ଼ି ମରିଥିବା ତତ୍କାଳୀନ ଏସପି କହିଥିଲେ । ଚିନ୍ମୟୀଙ୍କ ବେକରେ ଦାଗ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ଉଠିଥିବା ବେଳେ ଏହା କୌଣସି ଦାଗ ନୁହେଁ, ବୋଲି ମଧ୍ୟ ସେ କହିଥିଲେ । ତେଣୁ ୧୬୦ ବଣ୍ଡରେ ଦୁଇ ପୁରୁଷ ବନ୍ଧୁ ପ୍ରୀତିମାନ ଓ ମାନସଙ୍କୁ ପୋଲିସ ଛାଡ଼ି ଦେଇଥିଲା ।
Also read:ସାପ କାମୁଡ଼ାରେ ନାବାଳିକା ମୃତ, ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ