ପୁରୀ: ମାତୃତ୍ବର ଅନାବିଳ ପ୍ରେମ । ସେ ମଣିଷ ହେଉ କି ପଶୁ ପକ୍ଷୀ । ମା’ର ମମତା ଆଉ ସ୍ନେହ ସବୁବେଳେ ନିଆରା ଥାଏ । ବିଲେଇ ଛୁଆ ବୋରୱେଲରେ ଖସି ପଡ଼ିବାରୁ ମା’ ଭାଙ୍ଗି ପଡ଼ିଛି । ତା ଛୁଆକୁ ସେ ଉଦ୍ଧାର କରିବା ପାଇଁ ଅସମର୍ଥ । ତେଣୁ ଲୋକଙ୍କ ସାହାଯ୍ୟକୁ ଅପେକ୍ଷା କରି ବସିଛି ।
ପୁରୀ ଏସସିଏସ କଲେଜ ନିକଟରେ ଥିବା ଏକ ବିରିୟାନି ସେଣ୍ଟର ନିକଟରେ ମା’ ବିଲେଇ ସହ ଖେଳୁଥିବା ତା ଛୁଆ ଏକ ବୋର୍ ୱେଲ ଭିତରେ ଖସି ପଡ଼ିଥିଲା । ମା’ ବିଲେଇ ଖାଲି ଏପଟେ ସେପଟ ହୋଇ ଲୋକଙ୍କୁ ଯେମିତି ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଥିଲା । ଦୀର୍ଘ ଘଣ୍ଟା ଯାଏଁ ବିଲେଇର ଏପରି ଆଚରଣ ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଫୋନ କରିଥିଲେ । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ନିଜ ଛୁଆକୁ ଉଦ୍ଧାର କରା ହେଉଥିବା ଜାଣିବା ପରେ ମା’ ବିଲେଇ ଉଦ୍ଧାରକାରୀ କର୍ମଚାରୀଙ୍କ ଚାରି ପଟେ ଘୁରି ବୁଲୁଥିଲା ।
ପିଲାଟି ବିପଦରେ ପଡ଼ିଛି । ମା’ ମନ କେମିତି ବା ସମ୍ଭାଳିବ । ତା ପାଖରେ ଆଉ ଉପାୟ ବା କଣ । ସେ ନିଜେ ତ ଉଦ୍ଧାର କରିପାରିବ ନାହିଁ । ମଣିଷ ଉପରେ ସେ ନିର୍ଭରଶୀଳ । ମା’ର ଏମିତି ଅନାବିଳ ପ୍ରେମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ ମିଳିଲା । ଦୀର୍ଘ ୩ ଘଣ୍ଟା ପରିଶ୍ରମ କରିବା ପରେ ବିଲେଇ ଛୁଆକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଏହି କର୍ମଚାରୀ । ସତରେ ଉଦ୍ଧାରକାରୀ ଦଳଙ୍କ ଏଭଳି ପ୍ରୟାସ ସତରେ ପ୍ରଶଂସନୀୟ ।
Also Read: ଦେବୀ ନଦୀରୁ ଉଦ୍ଧାର ହୋଇଥିବା କାତ୍ୟାୟନୀ ମୂର୍ତ୍ତିକୁ ନେଇ ଗ୍ରାମବାସୀ ଏବଂ ଉଦ୍ଧାରକାରୀ ମାତାଜୀଙ୍କ ମଧ୍ୟରେ ବିବାଦ