ଆରପାରିକୁ ଚାଲିଗଲେ ବାପା ମାଆ, ଏକୁଟିଆ ରହି ପାଞ୍ଚ ଜଣ ଭାଇ ଭଉଣୀ ଏବେ ବେସାହାରା

କଣ୍ଟାବାଞ୍ଜି (କେନ୍ୟୁଜ) : ଆରପାରିକୁ ଚାଲିଗଲେ ବାପା ମାଆ । ଏକୁଟିଆ ରହିଗଲେ ପାଞ୍ଚ ଜଣ ଭାଇ ଭଉଣୀ । ପାଠ ପଢ଼ିବା ବାପା ମାଆଙ୍କ ଛତ୍ରଛାୟା ତଳେ ରହିବା ବୟସରେ ଏମାନେ ଏବେ ବେସାହାରା । ଦାଦନ ଗଡରେ ଜନ୍ମ । ତଥାପି ଭଲ ପାଠ ପଢି ବଡ ମଣିଷ ହୋଇ ନିଜ ଗାଁ’ର ନାଁ ରଖିବାକୁ ସ୍ୱପ୍ନ ଦେଖିଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଚାହୁଁଥିଲା ବୋଧେ । ସେଥିଲଗି ଆରପାରିକୁ ପଠାଇ ଦେଲା ଏକାଥରେ ବାପା ମା’ଙ୍କୁ । ସ୍କୁଲ ଯିବା ବୟସରେ ବେସାହାରା ହୋଇଗଲେ ୫ ଭାଇ ଭଉଣୀ । ଆଜି ସେମାନେ ନିଜ ପେଟ ପାଇଁ ଅନ୍ୟଠାରେ ମୂଲ ଲାଗୁଛନ୍ତି ।

ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଗଡଗଡବାହାଲ ଗାଁରେ । ଉପାନ୍ତ ତୁରେକେଲା ବ୍ଲକ ହିଆଲ ପଞ୍ଚାୟତରେ ରହିଛି ଏହି ଗାଁ । ଗାଁର ବାସିନ୍ଦା ଦଶରଥ ପହରିଆ ଓ ତାଙ୍କ ସ୍ତ୍ରୀ ଦ୍ରୌପଦୀ ପହରିଆ । ସେମାନଙ୍କର ୪ ପୁଅ ଓ ଗୋଟିଏ ଝିଅକୁ ନେଇ ପରିବାର । ସବୁ ଠିକରେ ଚଲୁଥିଲା ହେଲେ ଦଇବ ସାଧିଲା ଦାଉ । ୪ ବର୍ଷ ପୂର୍ବେ ବାପା ମାଆଙ୍କର ମୃତ୍ୟୁ ହେଲା । ବାପା ରୋଗରେ ପଡ଼ି ଆରପାରିକୁ ଚାଲିଗଲେ । ଆଉ ମାଆ ଦାଦନ ଖଟିବାକୁ ଆନ୍ଦ୍ୟକୁ ଯାଇଥିଲା ଯେ ସେଇଠି ଜୀବନ ଚାଲିଗଲା । ପୂରା ପରିବାର ସେଠାରେ ରହୁଥିଲେ । କେବଳ ବଡ଼ପୁଅ ଗଣେଶ ଦାଦନ ଖଟି ଯାହା ରୋଜଗାର କରୁଥିଲା ସେଥିରେ ଚଳୁଥିଲେ ସମସ୍ତେ । ଏବେ ଗଣେଶ ବି ଗାଁକୁ ଫେରି ଆସିଛି । ସମସ୍ତେ ଗାଁକୁ ଫେରି ସିନା ଆସିଲେ ହେଲେ ରହିବାକୁ ଆଉ ଘର ନାହିଁ । ଜେଜେମା ନାଁରେ ସରକାରୀ ଘର ତିଆରି ଆରମ୍ଭ ହୋଇଥିଲା ଯେ ଠିକାଦାର ଅଧପନ୍ତରିଆ କରି ଛୁ ମାରିଛି । ଏବେ ୫ ଭାଇ ଭଉଣୀ ଖାଇବେ କଣ ରହିବେ କେଉଁଠି ସେହି ଚିନ୍ତାରେ । ଅନ୍ୟଲୋକଙ୍କ କୁଡିଆ ଘରେ ଜାକିଜୁକି ହୋଉ ରହୁଛନ୍ତି ୫ ଭାଇ ଭଉଣୀ ।

ଗାଆଁରେ ବଡ଼ ଭଉଣୀ ଯଶୋବନ୍ତି ଲୋକଙ୍କ ଘରେ କାମ କରି ନିଜର ଛୋଟ ୩ ଭାଇଙ୍କ ପାଇଁ ଦାନା ଯୋଗାଡ଼ କରୁଛି । ସେତିକି ଯଥେଷ୍ଟ ହେଉ ନାହିଁ । ଅନେକ ସମୟରେ ଗାଁ ଲୋକେ ସେମାନଙ୍କୁ ଖାଇବା ପାଇଁ ଦେଉଛନ୍ତି । ବହୁ କଷ୍ଟରେ ୩ ଭାଇଙ୍କ ସହିତ ବଞ୍ଚିବା ପାଇଁ ସଂଘର୍ଷ କରୁଛି ଯଶୋବନ୍ତି ।

ବୟସ ମାତ୍ର ୧୬ ବର୍ଷ । ସେଥିରେ ସାନ ତିନି ଭାଇଙ୍କ ବୋଝ ତା ଉପରେ । ଗୋଟିଏ ଭାଇକୁ ୧୨ ଓ ଆଉ ଦୁଇ ଜଣଙ୍କୁ ୮ଓ ୬ ବର୍ଷ ବୟସ । ଏମାନଙ୍କ ସମସଞା ବିଷୟରେ ଅନେକ ଥର ୱାର୍ଡ ମେମ୍ବରରୁ ସରପଞ୍ଚଙ୍କ ସହ ବିଭିନ୍ନ ସରକାରୀ କାର୍ଯ୍ଯାଳୟକୁ ଅନେକ ଥର ଯାଇ ଦୁଃଖ ଜଣାଛନ୍ତି । ହେଲେ କେହି ବି ଦୟା କରି ନାହାନ୍ତି ଏମାନଙ୍କୁ । ଏ ପରିବାରର ସମସ୍ଯା ନେଇ ଆମେ ତୁରେକେଲା ବିଡିଓଙ୍କ ପ୍ରତିକ୍ରିୟା ନେବାକୁ ଯାଇଥିଲୁ । ସେ କ୍ୟାମେରାରେ କିଛି କହିବା ପାଇଁ ମନା କରିଥିଲେ । ତେବେ ନିଜେ ଗାଁକୁ ଯାଇ ତଦନ୍ତ କରିବା ସହ ସରକାରୀ ଯୋଜନାରେ କିଭଳି ଏହି ଅସହାୟ ପରିବାରକୁ ସାମିଲ କରାଯିବ ସେ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

ସରକାର କଣ ଦେବେ ନଦେବେ ତାହା ତ ଭିନ୍ନ କଥା । ହେଲେ ଏହି ନାବାଳକମାନଙ୍କୁ ନେଇ ଯଶୋବନ୍ତୀ କିମ୍ବା ତାଙ୍କ ବଡ଼ ଭାଇ ସବୁଦିନେ ଚଳିବେ କେମିତି ? ତେଣୁ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଅନୁରୋଧ ଏଭଳି ଅସହାୟ ପରିବାରକୁ ସହାୟ ହୁଅନ୍ତୁ । ଏମାନଙ୍କ ଭବିଷ୍ୟତ ପାଇଁ ଆପଣମାନଙ୍କ ସହାୟତା, ସହଯୋଗ ହିଁ କାମରେ ଆସିବ ।

You might also like