କମ ଖର୍ଚ୍ଚ ସହିତ ଅଳ୍ପ ପରିଶ୍ରମରେ ହେଉଛି ଫୁଲ ଚାଷ, ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି ଚାଷୀ
ପନିପରିବା ଚାଷ ନଷ୍ଟ ହେଲେ ଫୁଲ ଚାଷ କ୍ଷତି ଭରୁଛି । ଏଣୁ ଫୁଲ ଚାଷର ଆଦର ବଢୁଛି । ବିଭିନ୍ନ ପ୍ରକାର ଫୁଲ ଚାଷ କରି ସ୍ବାବଲମ୍ବୀ ହୋଇ ପାରୁଛନ୍ତି ଚାଷୀ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମାଳିପେଟା ଗାଁରେ ହୋଇଛି ଏହି ଫୁଲ ଚାଷ । ଗାଁରେ ପ୍ରାୟ ମାଳି ସମ୍ପ୍ରଦାୟର ୮୦ ପରିବାର ବସବାସ କରନ୍ତି । ଏହି ଗାଁରେ ସମସ୍ତେ ପ୍ରାୟ ପନିପରିବା ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇବା ସହ ଜୀବିକା ନିର୍ବାହ କରନ୍ତି । ଦୀର୍ଘ ବର୍ଷ ହେଲାଣି ବିଭିନ୍ନ ପ୍ରକାର ପନି ପରିବା ଚାଷ କରି ଆସୁଛନ୍ତି ଗାଁ ଲୋକେ ।
ଦିନ ଥିଲା ପନିପରିବା ଚାଷ କରି ବେଶ୍ ଅର୍ଥ ରୋଜଗାର କରି ପାରୁଥିଲେ ଅଞ୍ଚଳର ଚାଷୀ । ଏବେ କିନ୍ତୁ ଜଳବାୟୁ ପରିବର୍ତ୍ତନ ସହ ଅଦିନିଆ ବର୍ଷା ଯୋଗୁଁ ପନିପରିବା ଚାଷରେ ରୋଗ ପୋକ ଲାଗି ଚାଷ ନଷ୍ଟ ହେଉଛି । ଏଥିପାଇଁ ଚାଷୀ ଅନେକ ସମୟରେ କ୍ଷତି ସହୁଛି । ତେଣୁ ଏବେ ଗାଁର କିଛି ଚାଷୀ ପନିପରିବା ଚାଷ ସହିତ ବିଭିନ୍ନ ପ୍ରକାରର ଫୁଲ ଚାଷ କରୁଛନ୍ତି । ବିଭିନ୍ନ ରଙ୍ଗର ଡାଲିଆ, ଗେଣ୍ଡୁ, ବିଭିନ୍ନ ରଙ୍ଗର ସେବତୀ, ବାଟି ଫୁଲ ଭଳି ଅନେକ କିସମର ଫୁଲ ଚାଷ କରୁଛନ୍ତି ଚାଷୀ ।
ଚାଷ ପାଇଁ କମ୍ ଖର୍ଚ୍ଚ ସହିତ ଅଳ୍ପ ପରିଶ୍ରମ କରିବାକୁ ପଡ଼ିଥାଏ । ରୋଗ ପୋକର ଭୟ ନଥାଏ ତେଣୁ ଏବେ ନିର୍ଭୟରେ ସମସ୍ତେ ଏହି ଚାଷକୁ ଆପଣାଇ ନେଇଛନ୍ତି । ବିଶେଷ କରି ଏହି ଫୁଲ ଚାଷ ପାର୍ବଣ ଋତୁରେ ହେଉଥିବାରୁ ବେଶ୍ ଦୁଇ ପଇସା ରୋଜଗାର କରନ୍ତି ଚାଷୀ । ସ୍ଥାନୀୟ ବଡ଼ ସହର ଜୟପୁର ଗାଁ ଠାରୁ ମାତ୍ର ୨୫ କିଲୋମିଟର ହୋଇ ଥିବାରୁ ବିକ୍ରି ପାଇଁ କୌଣସି ଅସୁବିଧା ହେଉ ନାହିଁ ।
କିନ୍ତୁ ଚାଷୀଙ୍କ ଅଭିଯୋଗ କି ଆଜି ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସରକାରୀ ସୁବିଧା ମିଳି ନାହିଁ। ସେମାନଙ୍କୁ କିଛି ନୂତନ ଜ୍ଞାନ କୌଶଳ, ଉନ୍ନତ ମାନର ଚାରା ସହ ପ୍ରୋତ୍ସାହନ ରାଶି ସରକାରଙ୍କ ତରଫରୁ ଯୋଗାଇ ଦିଆଗଲେ ଅଧିକ ଫୁଲ ଚାଷ କରିପାରନ୍ତେ ।
ତେବେ ଫୁଲ ଚାଷକୁ ନେଇ ବ୍ଲକ ଉଦ୍ୟାନ ବିଭାଗ ଅଧିକାରୀ କହିଛନ୍ତି ପୂର୍ବରୁ ଅଢେଇ ହେକ୍ଟର ଚାଷୀ ପାଇଁ ପ୍ରୋତ୍ସାହନ ରହିଥିଲା କିନ୍ତୁ ଏବେ କେବଳ ଅଧା ଏକର ଗେଣ୍ଡୁ ଫୁଲ ଚାଷ ପାଇଁ ମହିଳା ଚାଷୀ ମାନଙ୍କୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଅଛି । ଚାଷୀମାନେ ନିଜେ ଭଲ ଚାରା ଲଗାଇ ଫୋଟ ସହିତ ସମସ୍ତ କାଗଜ ପତ୍ର ଦେଲେ ଆମେ ସହାୟତା କରି ପାରିବୁ କହିଛନ୍ତି ବ୍ଲକ ଉଦ୍ୟାନ ବିଭାଗ ଅଧିକାରୀ । ଯଦି ଜିଲ୍ଲା ପ୍ରଶାସନ ଚାଷୀ ମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦେବା ସହ ଉନ୍ନତମାନର ଚାରା ଯୋଗାଇ ଦିଅନ୍ତେ ତେବେ ଚାଷୀ ମାନେ ବେଶ୍ ଲାଭବାନ ହୋଇ ପାରନ୍ତେ ।