ଦିନକ ପରେ ବିଘ୍ନରାଜ ଗଣେଷଙ୍କ ପୂଜା, ଏନେଇ ଚଳଚଞ୍ଚଳ ଗାଁ ଠୁ ସହର

ଦିନକ ପରେ ବିଘ୍ନରାଜ ଗଣେଷଙ୍କ ପୂଜା । ଏନେଇ ଚଳଚଞ୍ଚଳ ହୋଇ ଉଠିଲାଣି ଗାଁ ଠୁ ସହର । ମୂର୍ତ୍ତି କାରିଗରମାନେ ମୂର୍ତ୍ତିରେ ଶେଷ ସ୍ପର୍ଷ ଦେଉଥିବା ବେଳେ, ଦିନ ରାତି ଏକ କରିଦେଇଛନ୍ତି ତୋରଣ କାରିଗରମାନେ । କାରିଗର ହାତ ସ୍ପର୍ଶରେ ଜୀବନ୍ତ ହେଉଛି ମୂର୍ତ୍ତି । ଆଉ ଦିନକ ପରେ ଗଜାନନ ଗଣେଷଙ୍କ ପୂଜା । ବିଭିନ୍ନ କ୍ଲବ ପାଖରୁ ଆରମ୍ଭ କରି ଶିକ୍ଷ୍ୟାନୁଷ୍ଠାନ ମାନଙ୍କରେ ଗଣେଷଙ୍କ ପୂଜାକୁ ସରସ, ସୁନ୍ଦର କରିବା ପାଇଁ ଲାଗିପଡିଛନ୍ତି ଲୋକେ । ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଜୋରଦାର ପ୍ରସ୍ତୁତି ।
ପାରାଦୀପରେ ପାଖା ପାଖି ୨୦ ରୁ ୩୦ ଟି ପୂଜାମଣ୍ଡପରେ ପୂଜା ପାଇବେ ବିଘ୍ନରାଜ ଗଣେଷ । ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ବିଭିନ୍ନ କ୍ଲବର କର୍ମକର୍ତାମାନେ । ତୋରଣ କାରିଗରମାନେ କେଉଁଠି ବାଉଁଶ ପାଚିଆରେ ସଜ୍ଜିତ କରୁଛନ୍ତି ତ ଆଉ କିଏ କପଡା, ଥର୍ମକୋଲରେ ତୋରଣକୁ ଚିତାକର୍ଷକ କରିବା ପାଇଁ ଲାଗିପଡିଛନ୍ତି । ତେବେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାରୁ ପୂଜାକୁ କେବଳ ଅପେକ୍ଷା କରିଛନ୍ତି କ୍ଲବର କର୍ମକର୍ତାମାନେ । ସେହିଭଳି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭାଲୁଖାଇ ଅଞ୍ଚଳରେ ମୂର୍ତ୍ତି ଗଢିବାରେ ବ୍ୟସ୍ତ କାରିଗର ।
ଅଗ୍ରପୂଜ୍ୟ ଶ୍ରୀ ଗଣେଷଙ୍କ ସହ ବିଭିନ୍ନ ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର । ଗତ ୪ ମାସ ଅର୍ଥାତ ଜୁନ ମାସରୁ ଆରମ୍ଭ ହୋଇଥିବା ଏହି ମୂର୍ତ୍ତି ତିଆରି କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚାହିଦା ଅନୁଯାୟୀ ଲଡୁ ଗଣେଷ, ବାଲକ୍ରୀଷ୍ଣ ଗଣେଷ, ବୁଢା ଗଣେଷ ଭଳି ଆକର୍ଷଣୀୟ ମୂର୍ତ୍ତି ଗଢିଛନ୍ତି କାରିଗର । ସେହିଭଳି ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା ତାଳଚେରରେ ଗଣପର୍ବ ହୋଇଥିବାରୁ ସବୁଠି ଉତ୍ସାହର ମାହୋଲ । ଏଥର ୧୦୦ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଜାନନ ।
ଏଥିପାଇଁ ମୂର୍ତ୍ତି କାରିଗର ଠାରୁ ଆରମ୍ଭ କରି ମଣ୍ଡପ କର୍ମକର୍ତ୍ତାମାନେ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ଗଣେଶ ପୂଜାରେ ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଲାଗିରହିଥାଏ । ଏଥିପାଇଁ ପୂଜା କମିଟିର ତୋରଣ ଓ ମୂର୍ତ୍ତି ଗୁଡିକୁ ସୁସଜ୍ଜିତ କରିବା ପାଇଁ ବାହାର ରାଜ୍ୟରୁ କାରିଗର ଆସିଥାନ୍ତି । ଯାହାକୁ ଦେଖିବାକୁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ଗହଳିକୁ ଆଖି ଆଗରେ ରଖି ପୋଲିସ, ପ୍ରଶାସନ ଓ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଗ୍ରହଣ ହୋଇଛି ।
ଆଉ ଦିନକ ପରେ ବିଘ୍ନରାଜ ଗଣେଷଙ୍କ ପୂଜା ଥିବାବେଳେ ପୂଜାକୁ ଶାନ୍ତି, ଶୃଙ୍ଖଳାର ସହିତ କରିବା ପାଇଁ କ୍ଲବର ସଦସ୍ୟମାନେ ଦିନ ରାତି ଏକ କରିଦେଇଛନ୍ତି । କେବଳ ଅପେକ୍ଷା ପୂଜା ଦିନକୁ ।