ମହାରଷ୍ଟ୍ରରୁ ଆସିଲା ଦେଢ ଲକ୍ଷ ଚାରା, ପ୍ରଥମ ଥର ପାଇଁ ଶିମିଳିପାଳରେ ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ

ବାରିପଦା: ଫଳ ଏବଂ ପରିବା ବିଷୟରେ କହିବାକୁ ଗଲେ କିଛି ଫଳ ଏପରି ଅଛି, ଯାହା ପ୍ରତ୍ୟେକ ସମୟରେ ମହଙ୍ଗା ଥାଏ । ଯାହାର ମୂଲ୍ୟ ସେମାନଙ୍କର ସ୍ୱତନ୍ତ୍ରତା ଯୋଗୁଁ ହଜାର ହଜାର ଟଙ୍କାର ବି ଅଧିକ ଦାମ୍ ରେ ବିକ୍ରି ହୋଇଥାଏ । ତେବେ ଏହି ଫଳ ମାନଙ୍କ ଭିତରୁ ଷ୍ଟ୍ରବେରୀ ଅନ୍ୟତମ ।
ତେବେ ସବାଇ ଘାସ ପରେ ଏବେ ମୟୁରଭଞ୍ଜ ଜିଲ୍ଲାର ଚାଷୀଙ୍କୁ ରୋଜଗାରର ନୂଆ ପନ୍ଥା ଦେବ ଷ୍ଟ୍ରବେରୀ । କୋରାପୁଟ ଓ କନ୍ଧମାଳ ପରେ ମୟୁରଭଞ୍ଜ ଜିଲ୍ଲାରେ ଆରମ୍ଭ ହେଲା ଷ୍ଟ୍ରବେରୀ ଚାଷ । ଅଳ୍ପ ଦିନରେ ମିଳିବ ଅଧିକ ଲାଭ । ମହାରଷ୍ଟ୍ରରୁ ଆସିଲା ଦେଢ ଲକ୍ଷ ଚାରା । ପ୍ରଥମ କରି ଶିମିଳିପାଳ ପାଦ ଦେଶରେ ଆରମ୍ଭ ହେଉଛି ଏହି ଷ୍ଟ୍ରବେରୀ ଚାଷ । ବିଶ୍ଵ ଷ୍ଟ୍ରବେରୀ ବଜାରକୁ ପ୍ରବେଶ କରିବ ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଷ୍ଟ୍ରବେରୀ ।
ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା । ଶିଳ୍ପ ବିହୀନ ଏହି ଜିଲ୍ଲାର ଏକମାତ୍ର ବିକଳ୍ପ ହେଉଛି ଚାଷ । ଜିଲ୍ଲାର ଅଧାରୁ ଅଧିକ ଚାଷୀ ସବାଇଘାସ ଚାଷ ଉପରେ କରନ୍ତି ନିର୍ଭର । ସେହି ସବାଇ ଘାସ ଆଜି ମୟୁରଭଞ୍ଜ ଜିଲ୍ଲାକୁ ବିଶ୍ଵ ଦରବାରରେ ପ୍ରତିଷ୍ଠିତ କରିଛି । ମୟୁରଭଞ୍ଜ ଜିଲ୍ଲାର ସବାଇ କ୍ରାଫ୍ଟ ଦେଶ ବିଦେଶରେ ପ୍ରସିଦ୍ଧ । ଏବେ ଜିଲ୍ଲାର ଏହି ଚାଷୀଙ୍କ ପାଇଁ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ । ସବାଇ ପରେ ଏବେ ଷ୍ଟ୍ରବେରୀ ଚାଷ କରି ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା । ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଭାବେ ଶିମିଳିପାଳ ପାଦଦେଶ ଶାମାଖୁଣ୍ଟା ବ୍ଳକର ତାରଜୋଡି ଗ୍ରାମକୁ ନେଇଛି ଜିଲ୍ଲା ପ୍ରଶାସନ ।
ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏହି ତାରାଜୋଡି ଗ୍ରମାର ୨୧ ଜଣ ଚାଷୀଙ୍କ ୩ ହେକ୍ଟର ଜମିରେ ଆରମ୍ଭ ହୋଇଛି ଏହି ଚାଷ । ହେକ୍ଟର ପିଛା ୫୦ ହଜାର ଚାରା ଲଗାଯାଇଛି । ମହାରଷ୍ଟ୍ରରୁ ସ୍ଵତନ୍ତ୍ର ଭାବେ ଆସିଛି ଦେଢ ଲକ୍ଷ ଷ୍ଟ୍ରବେରୀ ଚାରା । ଚାଷ ଉପଯୋଗୀ ନଥିବା ପଡିଆ ପଡିଥିବା ଜମିରେ ଏବେ ସୁନା ଫଳାଇବାକୁ ପ୍ରସ୍ତୁତ ଚାଷୀ । ଚାଷୀଙ୍କ ଶ୍ରମ ବ୍ୟତିତ ସମସ୍ତ ସହଯୋଗ ଜିଲ୍ଲା ପ୍ରଶାସନ କରିବାକୁ ଯାଉଛି ଏହି ଷ୍ଟ୍ରବେରୀ ଚାଷ ପାଇଁ । ଯାହାକୁ ନେଇ ଚାଷୀ ମାନେ ମଧ୍ୟ ବେଶ୍ ଉତ୍ସାହିତ ।
ବିଶ୍ଵ ଷ୍ଟ୍ରବେରୀ ବଜାରରକୁ ମଧ୍ୟ ପ୍ରବେଶ କରିବାକୁ ଯାଉଛି ଏହି ଶିମିଳିପାଳ ଷ୍ଟ୍ରବେରୀ । ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଏବେ ଶିମିଳିପାଳ ଯୋଡି ହେବାକୁ ଯାଉଛି ଲାଭ ଜନକ ଚାଷ । ଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ଏବେ ସମ୍ଭବ ହେବାକୁ ଯାଉଛି ଏହି ଷ୍ଟ୍ରବେରୀ ଚାଷ । ଉଦ୍ୟାନକୃଷି ବିଭାଗ ଓ ସମନ୍ୱିତ ଆଦିବାସୀ ଉଉନ୍ନୟନ ସଂସ୍ଥା ମଳିତ ଉଦ୍ୟମରେ ଏହି ପାଇଲଟ ପ୍ରଜେକ୍ଟକୁ ରୂପରେଖ ଦିଆଯାଉଛି । ଏପରିକି ଉତ୍ପାଦିତ ଷ୍ଟ୍ରବେରୀକୁ ଶିମିଳିପାଳ ପର୍ଯ୍ୟଟକ ମାନଙ୍କ ଉଦ୍ଦେଶ୍ୟରେ ବିକ୍ରି ପାଇଁ ରଖାଯିବା ସହ ଦେଶ ବିଦେଶରେ ବିକ୍ରି କରିବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଆଗକୁ ଜିଲ୍ଲାର ଉଦଳା, ଯଶିପୁର ଆଦି ସ୍ଥାନରେ ଏଭଳି ଷ୍ଟ୍ରବେରୀ ଚାଷ କରାଯିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ ରଖିଥିବା କହିଛନ୍ତି ଜିଲ୍ଲାପାଳ । ଷ୍ଟ୍ରବେରୀ ଚାଷ ନିମନ୍ତେ ଜଳବାୟୁ, ପରିବେଶ ଏବଂ ଅନ୍ୟ ଅନୁସାଙ୍ଗିକ ବ୍ୟବସ୍ଥା ପରଖା ଯାଉଛି ଜିଲ୍ଲାର ବିଭିନ୍ନ ସ୍ଥାନରେ । ଅନ୍ୟ ଚାଷ ତୁଳନାରେ ଷ୍ଟ୍ରବେରୀ ଚାଷ ବେଶ୍ ଲାଭଦାୟକ । ମାତ୍ର ୪୦ ରୁ ୪୫ ଦିନରେ ଫଳ ଆସିବାକୁ ଥିବା ବେଳେ କିଲୋ ପ୍ରତି ଅନ୍ୟୁନ୍ୟ ୫୦୦ ଟଙ୍କାରେ ବିକ୍ରି ହେବ ଏହି ଷ୍ଟ୍ରବେରୀ । ପ୍ରତି ଗଛରେ ୮୦୦ ରୁ ୧୫୦୦ ଗ୍ରାମ ଷ୍ଟ୍ରବେରୀ ଫଳିବ। ଶିମିଳିପାଳ ଷ୍ଟ୍ରବେରୀ ନାମରେ ଏବେ ବଜାରରେ ଉପଲବ୍ଧ ହେବ ଏହି ଷ୍ଟ୍ରବେରୀ ।