ପୂର୍ବତନ ବ୍ଲକ ଅଧକ୍ଷା ଏବେ ଦିନ ମଜୁରିଆ

ଗୁଣୁପୁର: କ୍ଷମତା ଥିଲେ ସମସ୍ତେ ଆଦର କରନ୍ତି । କ୍ଷମତା ଚାଲିଗଲେ ସେ ହୋଇଯାନ୍ତି ଅଲୋଡ଼ା । ଦିନେ ସେ ଥିଲେ ବ୍ଲକର ଭାଗ୍ୟ ବିଧାତା । ସରକାରୀ ଯୋଜନାକୁ ନିଜ ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟକାରୀ କରି ସମସ୍ତଙ୍କ ସୁଖ ଦୁଃଖର ସାଥି ଥିଲେ । ସେ ସମୟରେ କ୍ଷମତା ଉପଭୋଗ କରିଥିଲେ ମଧ୍ୟ ସମୟ ଚକ୍ରରେ ଆଜି ସେ ଜଣେ ଦିନ ମଜୁରିଆ ।

ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍ ର ଏକ ନିପଟ ମଫସଲ ଗାଁ ଚିନ୍ତାଲଗୁଡା । ୧୯୯୭ ମସିହାରୁ ୨୦୦୨ ପର୍ଯ୍ୟନ୍ତ ଜିଲ୍ଲା ରାଜନୀତି କ୍ଷେତ୍ରରେ ବେଶ୍ ଚର୍ଚ୍ଚିତ ଗାଁ । ଏହି ଗାଁରେ ଫୁଲ ଶବର ଥିଲେ ଦିନେ ବ୍ଲକ ଅଧ୍ୟକ୍ଷା  କିନ୍ତୁ ସମୟ ଚକ୍ରରେ ଆଜି ସେ ସମସ୍ତଙ୍କୁ ଅଲୋଡା । ଦୁଃଖ ଏତେ ଯେ କହିଲା ବେଳକୁ ଧାର ଧାର ହୋଇ ବୋହି ଯାଉଛି ଲୁହ । ଆଉ କହୁଛନ୍ତି ଆମକୁ ଟିକେ ସାହାଯ୍ୟ କର ।

ତେବେ ବ୍ଲକ ଅଧକ୍ଷା ପରି ପଦବୀରେ ଥାଇ ମଧ୍ୟ ନିଜ ପାଇଁ କିଛି କରି ପାରିନଥିଲେ । ଯାହାଫଳରେ ଆଜି ବି ଭଙ୍ଗା ଦଦରା ଘରେ କଟୁଛି ଦିନ । ଦିନେ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଉଥିଲେ ଆଉ ଏବେ ନିଜେ ସରକାରୀ ଯୋଜନାକୁ କରିଛନ୍ତି ଅପେକ୍ଷା ।

ହେଲେ ଏଇ ବୃଦ୍ଧା ଅବସ୍ଥାରେ କିନ୍ତୁ  କାହା ଉପରେ ବୋଝ ନହୋଇ ପ୍ରତିଦିନ ସକାଳୁ ସକଳୁ ନିଜ ନିତ୍ୟକ୍ରମ ସାରି ଚାଲିଯାନ୍ତି ମୁଲ ଲାଗିବାକୁ । ଯାହା କିଛି ରୋଜଗାର ହୁଏ ସେଇଥିରେ ଗୁଜୁରାଣ ମେଣ୍ଟେ । ଆଖିରେ ଲୁହ ଗଡାଉଛନ୍ତି, ଅଭିମାନ କରୁଛନ୍ତି ଆଉ ଅବଶୋଷ ବି କରୁଛନ୍ତି, ନିଜ ପାଇଁ କ୍ଷମତା ସମୟରେ କିଛି କରିପାରିନାହାନ୍ତି ବୋଲି । ସେଥିପାଇଁ ତ ଯେଉଁ ସମାଜକୁ ନିଃସ୍ଵାର୍ଥପର ଭାବେ ସେବା ଦେଇଥିଲେ ସମସ୍ତେ ତାଙ୍କୁ ଆଜି ଭୁଲି ଯାଇଛନ୍ତି।

ଫୁଲ ଶବର ୧୯୯୭ ମସିହା ରେ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ରେ ପ୍ରଥମ ମହିଳା ଅଧକ୍ଷା ଭାବରେ ନିର୍ବାଚିତ ହୋଇଥିଲେ । ସେତେବେଳେ ଅନେକ ନେତା ମନ୍ତ୍ରୀଙ୍କ ସହ ମିଟିଙ୍ଗ କରିଛନ୍ତି। କ୍ଷମତା ସମୟରେ ତାଙ୍କ ଘର ସାମ୍ନାରେ ସମିତି ମେମ୍ବର ଠାରୁ ଆରମ୍ଭ କରି ବହୁତ ଲୋକଙ୍କ ଭିଡ ଜମେ । ହେଲେ ଏବେ ସେ ସବୁ ସ୍ଵପ୍ନ । ଏବେ କେହି ତାଙ୍କୁ ଜାଣନ୍ତିନି । ବେଳେ ବେଳେ ତାଙ୍କୁ ସଂକୋଚ ବି ଲାଗେ, ନିଜ ସମସ୍ୟା ପାଇଁ ଆଖିରୁ ଲୁହ ଝରାନ୍ତି ହେଲେ ମୁହଁ ଖୋଲି କିଛି କହି ପାରନ୍ତିନି ।  କିଏବା ବିଶ୍ୱାସ କରିବ ଅନ୍ୟ ମାନଙ୍କ ପାଇଁ ବହୁତ କିଛି କରିଥିବା ଲୋକ ଆଜି ନିଜ ପାଇଁ ହାତ ପତାଉଛି । କ୍ଷମତାର ଆଗ ଧାଡିର ଲୋକ ଟି ଆଜି ନିସ୍ଵ ହୋଇପଡିଛି । ତଥାପି ସାହାଯ୍ୟ ପାଇଁ ସରକାରଙ୍କୁ କରୁଛନ୍ତି ନିବେଦନ।

ଦିନେ ବ୍ଲକର ସର୍ବେ ସର୍ବା କୁହାଯାଉଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ସମ୍ପର୍କରେ ରାଜନୈତିକ ସମୀକ୍ଷକ ଓ ବୁଦ୍ଧିଜୀବୀ କୁହନ୍ତି ଗଣତନ୍ତ୍ରକୁ ଉପହାସ କରିବା ସଦୃଶ୍ୟ । ସ୍ୱାର୍ଥପର ଦୁନିଆରେ ନିଜର ସ୍ୱାର୍ଥ ହାସଲ ହୋଇଗଲ ପରେ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରିବା ନିଶ୍ଚିତ ଭାବେ ସମାଜକୁ ଖରାପ ବାର୍ତ୍ତା ଯୋଗାଉଛି । ଯାହାକି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ଦୁଃଖ କଷ୍ଟରେ ଚଳୁଥିବା ଫୁଲ ଶବରଙ୍କ ପାଇଁ ସରକାରୀ ସାହାଯ୍ୟ ଆବଶ୍ୟକ ହୋଇ ପଡିଛି । ତେଣୁ ଏଥି ପ୍ରତି ସ୍ଥାନୀୟ ପ୍ରଶାସନ ନିହାତୀ ଦୃଷ୍ଟି ଦେବା ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like