ସ୍ୱାର୍ଥପର ଦୁନିଆରେ ନିସ୍ୱାର୍ଥପର ସେବା କରୁଛନ୍ତି ସଂଗୀତା, ସ୍ୱାମୀଙ୍କ ସଞ୍ଚୟକୁ ଲଗାଇଛନ୍ତି ଉତ୍ତମ କାର୍ଯ୍ୟରେ

ରାଜକୋଟ: କ୍ଷମତା ପାଇଁ ଆଜିକାଲି ଦୁନିଆରେ ସବୁଠି ଚାଲିଛି ନିଜ ନିଜ ଭିତରେ ଲଢେଇ। ଏଠି ସତରେ କଣ କାହାର ସେବା କରିବାର ମନବ୍ରୁତି ରହିଛି? ଏ ପ୍ରଶ୍ନର ଉତ୍ତର ତ ଆପଣଙ୍କ ପାଖରେ ନୀହାତି ଥିବ । ହେଲେ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ବିନା କିଛି ସ୍ୱାର୍ଥରେ ଅନ୍ୟକୁ ସାହାଯ୍ୟ କରିଥାନ୍ତି।

ଗୁଜରାଟର ରାଜକୋଟର ସଂଗୀତା ହରେଶ ଶାହା ଆର୍ଥିକ ଦୁର୍ବଳ ରୋଗୀମାନଙ୍କୁ ମାଗଣାରେ ଆମ୍ବୁଲାନ୍ସ ସେବା ପ୍ରଦାନ କରୁଛନ୍ତି। ଏହି ମାଗଣା ଆମ୍ବୁଲାନ୍ସ ପଛର କାହାଣୀ ଶୁଣିଲେ ଆପଣ ମଧ୍ୟ ଧର୍ଯ୍ଯ ଧରିପାରିବେନି। ଖବର ମୁତାବକ, ୨୦୨୧ ମସିହାରେ କରୋନା ମହାମାରୀରେ ସ୍ୱାମୀଙ୍କୁ ହରାଇବା ପରେ ସଂଗୀତାଙ୍କ ଜୀବନ ପୁରା ବଦଳିଯାଇଥିଲା । କଣ କରିବେ କିଛି ବି ଭାବିପାରୁନଥିଲେ।

ତେବେ ସେ ଚିନ୍ତା କଲେ କିଛି କରିବେ। ଆଉ ପଚକୁ ନଫେରି ଆରମ୍ଭ କଲେ ଗରିବ ଓ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା। ଏହି ନିଷ୍ପତ୍ତି ନେବାପରେ ସେ ଘରେ ବସିନରହି ଏଦିଗରେ କାମ କରିବାକୁ ଅଣ୍ଟା ଭିଡିଲେ । ସେ ଦେଖିଲେ କରୋନା କାଳରେ ଠିକ୍ ସମୟରେ ଆମ୍ବୁଲାନ୍ସ ପାଇବା କେତେ କଷ୍ଟକର ହେଇଥିଲା ଏବଂ ଏମିତି ଅନେକ ପରିବାରଙ୍କ ନିକଟରେ ଆମ୍ବୁଲାନ୍ସ ପାଇଁ ଅର୍ଥ ଦେବାକୁ ବି ନଥିଲା । ଏସବୁ ଦେଖି ସଂଗୀତା ଅସହାୟ ଲୋକଙ୍କ ପାଇଁ ଏକ ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରିବାକୁ ଚିନ୍ତା କଲେ।

ସେ ନିଜ ଖର୍ଚ୍ଚରେ ଏକ କାର କିଣି ଏହାକୁ ଆମ୍ବୁଲାନ୍ସରେ ପରିଣତ କରିଥିଲେ ଏବଂ ଗତ ଏକ ବର୍ଷରୁ ସେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କୁ ମାଗଣା ଆମ୍ବୁଲାନ୍ସ ସୁବିଧା ଯୋଗାଉଛନ୍ତି। ଏଥି ସହିତ, ଯେଉଁ ବ୍ୟକ୍ତିମାନେ ଚାହିଁବେ ସେମାନେ କେବଳ ଡିଜେଲ ଓ ଡ୍ରାଇଭର ଫି ଦେଇ ଏହାକୁ ବ୍ୟବହାର କରିପାରିବେ । ତାଙ୍କର ଆମ୍ବୁଲାନ୍ସ ରାଜକୋଟରେ ଥିବା ସିଭିଲ ହସ୍ପିଟାଲ ନିକଟରେ ପାର୍କିଂ ହୋଇଛି, ଯେଉଁଠାରେ ନିକଟସ୍ଥ ଗାଁର ଲୋକମାନେ ସାଧାରଣତଃ ଚିକିତ୍ସା ପାଇଁ ଆସିଥାନ୍ତି । ସଂଗୀତାଙ୍କ ସ୍ୱାମୀ ହରେଶ ଶାହା ରାଜକୋଟରେ ଚାକିରି କରୁଥିଲେ। କୋଭିଡରେ ମୃତ୍ୟୁ ପରେ ତାଙ୍କର ସଂଚୟ ହିଁ ସଂଗୀତା ପାଇଁ ଏକମାତ୍ର ସାହାରା ଥିଲା। କିନ୍ତୁ ସଂଗୀତା ନିଜର ସମସ୍ତ ସଞ୍ଚୟକୁ ବ୍ୟବହାର କରିବା ପରିବର୍ତ୍ତେ ଅର୍ଥର ଏକ ଅଂଶ ସେବା କାର୍ଯ୍ୟ ପାଇଁ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ।

ସଂଗୀତା କହିବା କଥା, ସେ ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ନେଇ ନେପାଳ ମଧ୍ୟ ଯାଇଥିଲା। ଏହି ଆମ୍ବୁଲାନ୍ସରେ ତାଙ୍କ ସ୍ୱାମୀଙ୍କ ଫଟୋ ମଧ୍ୟ ରହିଛି । ସଂଗୀତା ଖୁସି ଯେ ସେ ସ୍ୱାମୀଙ୍କ ସଞ୍ଚୟକୁ ଏକ ଉତ୍ତମ କାର୍ଯ୍ୟରେ ବ୍ୟବହାର କରିବାରେ ସକ୍ଷମ ହୋଇଛନ୍ତି।

Leave A Reply

Your email address will not be published.