ଦେହାତୀତ ଅନୁଭୂତି : ବିଶ୍ୱାସ କରନ୍ତୁ ବା ନକରନ୍ତୁ, ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସହ ପରଲୋକର ଅନୁଭୂତିର କଥା ଇଏ

କିଛି କଥା ଅଛି ଯାହାକୁ ଅନେକ ଲୋକ ବିଶ୍ୱାସ କରନ୍ତି ତ ଆହୁରି ଅନେକ ଅବିଶ୍ୱାସ କରନ୍ତି । ତେବେ ମୃତ୍ୟୁ ପରର କଥାକୁ ନେଇ ଭିନ୍ନ ଲୋକଙ୍କର ଥାଏ ଭିନ୍ନ ପ୍ରକାରର ମତାମତ । ଆମକୁ ଲାଗେ ହୁଏତ ଯେଉଁମାନେ ଈଶ୍ୱର ବିଶ୍ୱାସୀ ସେମାନଙ୍କ ଭିତରୁ ଅଧିକାଂଶ ଏଇ ଜନ୍ମ ମୃତ୍ୟୁ, ପୁନର୍ଜନ୍ମ ଆଉ ମୃତ୍ୟୁ ପରର କଥାକୁ ବିଶ୍ୱାସ କରନ୍ତି । ଆଉ ଯଦି ଟିକେ ଥଟ୍ଟା ମଜାରେ କହିବା ତେବେ ‘ମଲେ ଯାଇ ସ୍ୱର୍ଗ ଦେଖିବ’ ବୋଲି କହି ପାରିବା ।
ଏମିତି ବିଶ୍ୱାସ ଅବିଶ୍ୱାସ ଭିତରେ ଆମେ ଭେଟିଥିଲୁ ଜଣେ ବୟୋବୃଦ୍ଧ ବ୍ୟକ୍ତିଙ୍କୁ । ଯାହାଙ୍କର ବୟସ ୯୦ରୁ ଅଧିକ । ବାର୍ଦ୍ଧକ୍ୟ ଯୋଗୁଁ ଆଉ ଭଲ ଭାବେ ଚଳପ୍ରଚଳ କରି ପାରୁ ନାହାନ୍ତି । କିନ୍ତୁ ମସ୍ତିଷ୍କ ଏବେବି ସବୁ କଥା ଉପରେ ନଜର ରଖିଛନ୍ତି । ବେଶ୍‌ କିଛି ଦିନ ହେଲା ସେ ଅସୁସ୍ଥ ଥିବା ବେଳେ ନିଜ ପରିବାର ଲୋକଙ୍କ ଯତ୍ନ ଏବଂ ଚିକିତ୍ସା ଯୋଗୁଁ କହିବାକୁ ଗଲେ ଭଲ ଅଛନ୍ତି । ଅନେକ ସମୟରେ କିଛି ଅତୀତର କଥା ଏବଂ ପୁଣି କେବେ ବହିର୍ଜଗତର କଥା କହୁଛନ୍ତି । ଏଇ କିଛି ଦିନ ତଳେ ଆମେ ଯେତେବେଳେ ତାଙ୍କୁ ଭେଟି କଥା ହୋଇଥିଲୁ ସେ ଆମକୁ ଭଲ ଭାବେ ଚିହ୍ନି ପାରିଲେ । ତାଙ୍କ ଭଲ ମନ୍ଦ ପଚାରିବା ବେଳକୁ ସେ ଆରମ୍ଭ କରିଦେଲେ ଯେଉଁସବୁ କଥା ସେଥିରେ ଆମର ଉତ୍କଣ୍ଠା ବଢ଼ିଲା । ଆମେ ତାଙ୍କୁ ନ ରୋକି ତାଙ୍କ ଠାରୁ ଶୁଣିଲୁ । ମଝିରେ ମଝିରେ ପ୍ରଶ୍ନ କରୁଥାଉ ଆଉ ସେ ତାର ଉତ୍ତର ବି ଦେଉଥାନ୍ତି ।
ସେ କହୁଥିଲେ, ମୁଁ ଆଠ ଦିନ ପାଇଁ ସ୍ୱର୍ଗକୁ ଯାଇଥିଲି । ମୋତେ ଦେବଯାନ ଆସି ସେଠାକୁ ନେଇ ଯାଇଥିଲା । ସେଠାରେ ମୋତେ ବହୁତ ଶାନ୍ତି ଲାଗିଲା । ଭାରି ନିରବ ଜଗା । ସମସ୍ତେ ସେଠି ନିଜ ନିଜ କାମରେ ବ୍ୟସ୍ତ ରୁହନ୍ତି । ମୁଁ ବି ଦାୟିତ୍ୱ ପାଇଥିଲି । ଲୋକଙ୍କୁ ଶୁଆଇବା ଓ ଖୁଆଇବା ଥିଲା ମୋର ଦାୟିତ୍ୱ । ସେଠଇ କମ୍‌ ଭୋକ ଲାଗେ । ଅତି ବେଶିରେ ଚାମୁଚେ କି ଦୁଇ ଚାମୁଚ ଆମେ ଖାଉ । ଶୌଚ ଯିବା ଦରକାର ପଡ଼େ ନାହିଁ । ସମସ୍ତେ ଅତି ସଫାସୁତୁରା ଥାନ୍ତି । ସେହିପରି ଜାଗା ମଧ୍ୟ ଭାରି ସ୍ୱଚ୍ଛ ।
ଆମେ ପଚାରିଥିଲୁ, ଯଦି ସ୍ୱର୍ଗରେ ଥିଲେ ତେବେ କେଉଁ ଦେବତାଙ୍କୁ ଦେଖିଛନ୍ତି କି ? ତାଙ୍କ ଉତ୍ତର ଥିଲା ମୋ ଗୁରୁଙ୍କ ସହାୟତାରେ କେତେ ଜଣ ଦେବତାଙ୍କୁ ମୁଁ ଦେଖି ପାରିଛି । ତେବେ ପୃଥିବୀକୁ ପୁଣି ଫେରିବା ପରେ ମୋର ମଣିଷମାନଙ୍କୁ ଛୁଇଁବା ଉଚିତ ନଥିଲା ।
ଏମିତି ଅନେକ କଥା ସେ କହିଲେ । ଏହା ହୁଏତ ଆମମାନଙ୍କୁ ମିଛ ଲାଗି ପାରେ । ହେଲେ ଆମେ ଆଗରୁ ଏଭଳି ଅନୁଭୂତି ନେଇ ଅନେକ ପୁସ୍ତକ ପଢ଼ିଛୁ ଓ କାହାଣୀ ବି ଶୁଣିଛୁ । ଯାହା ଏଇ ବୟସ୍କ ବ୍ୟକ୍ତିଙ୍କ ଅନୁଭବ ସହ ମେଳ ଖାଉଥିଲା । ତେଣୁ ବିଶ୍ୱାସ ଓ ଅବିଶ୍ୱାସ ଭିତରେ ଥିବା ବ୍ୟବଧାନ କେତେ ସେକଥା କେବଳ ସେହି ଭୁକ୍ତଭୋଗୀ ହିଁ କହି ପାରିବେ । ଆମେ ଏଠି ସେହି ବ୍ୟକ୍ତିଙ୍କ ପରିଚୟ ଜଣାଉ ନାହୁଁ । …. ଆପଣମାନଙ୍କର ଯଦି ଏଭଳି କିଛି ଅନୁଭୂତି ରହିଥାଏ ତେବେ ଆମକୁ ଲେଖି ଜଣାନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.