ମୁମ୍ବାଇରେ ଅଟୋ ଚଲାଉ ଚଲାଉ ପାଲଟିଗଲେ କମେଡି କିଙ୍ଗ୍‌! ଏମିତି ଥିଲା କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଜୀବନ ଯାତ୍ରା…

ରାଜୁ ଶ୍ରୀବାସ୍ତବ, କେବଳ ନାଁଟି ହିଁ ଯଥେଷ୍ଟ। କିଏ ବା ନ ଜାଣିଛି ରାଜୁଙ୍କୁ। ଷ୍ଟାଣ୍ଡ୍‌-ଅପ୍‌ କମେଡିଆନ ଭାବେ ଲୋକପ୍ରିୟତାର ଶୀର୍ଷରେ ରାଜୁ ଶ୍ରୀବାସ୍ତବ। କିଏ ତାଙ୍କୁ କୁହେ ‘କମେଡିର ବାଦଶାହ’ ତ କିଏ କୁହେ ‘କମେଡି କିଙ୍ଗ୍‌’। ରାଜୁଙ୍କ ପ୍ରତି ରକ୍ତ ବିନ୍ଦୁରେ ଭରି ରହିଛି ପ୍ରତିଭା। ପିଲାଟି ବେଳୁ ସବୁବେଳେ ହାସ୍ୟ କଳାକାର ହେବାକୁ ଚାହିଁ ଆସୁଥିବା ରାଜୁ ଏବେ ବାସ୍ତବରେ ଜଣେ ହାସ୍ୟ କଳାକାର ରୂପେ ଲୋକଙ୍କ ହୃଦୟରେ ରାଜ୍‌ କରୁଛନ୍ତି।

ରାଜୁ ଶ୍ରୀବାସ୍ତବ ଭାରତର ଜଣେ ପ୍ରସିଦ୍ଧ କମେଡିଆନ୍‌। କେବଳ ଭାରତ ନୁହେଁ, ସାରା ବିଶ୍ୱରେ ବି ରହିଛି ତାଙ୍କର ପ୍ରବଳ ଲୋକପ୍ରିୟତା। ତେବେ ରାଜୁଙ୍କ ପ୍ରକୃତ ନାମ କ’ଣ ଜାଣିଛନ୍ତି…ସତ୍ୟପ୍ରକାଶ ଶ୍ରୀବାସ୍ତବ। ହେଲେ ସେ ଏହି ନାମରେ ନୁହେଁ, ବରଂ ରାଜୁ ନାମରେ ଘରେ ଘରେ ପରିଚିତ।

୧୯୬୩ ମସିହା ଡିସେମ୍ବର ୨୫ରେ ରାଜୁଙ୍କ ଜନ୍ମ। ବାପା ରମେଶ ଚନ୍ଦ୍ର ଶ୍ରୀବାସ୍ତବ ଓ ମାଆ ସରସ୍ୱତୀ ଶ୍ରୀବାସ୍ତବଙ୍କ ସୁପୁତ୍ର ଭାବେ ଜନ୍ମ ନେଇଥିଲେ ଏହି ପ୍ରତିଭାବାନ୍‌ କଳାକାର। ୟୁପିର କାନପୁରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ ରାଜୁ ପିଲାବେଳୁ ହିଁ କମେଡି କରୁଥିଲେ ଏବଂ ଏଥିରେ ଭବିଷ୍ୟତ ଗଢ଼ିବାକୁ ଚାହିଁଥିଲେ। ସେ ଛୋଟ ବେଳେ ଅନେକ ଷ୍ଟେଜ୍‌ ଶୋ’ ମଧ୍ୟ କରିଛନ୍ତି। ରାଜୁ ଶ୍ରୀବାସ୍ତବ ଶିଖା ଶ୍ରୀବାସ୍ତବଙ୍କ ହାତ ଧରିଛନ୍ତି। ଦମ୍ପତିଙ୍କର ଦୁଇ ପୁଅଝିଅ ଅଛନ୍ତି ଆୟୁଷ୍ମାନ ଶ୍ରୀବାସ୍ତବ ଓ ଅନ୍ତରା ଶ୍ରୀବାସ୍ତବ।

Raju

୧୯୯୩ ମସିହାରୁ କ୍ୟାରିୟର ଆରମ୍ଭ କରିଥିବା ରାଜୁ ଭାରତ ଏବଂ ଭାରତ ବାହାରେ ଅନେକ ଷ୍ଟେଜ୍‌ ଶୋ’ କରି ଲୋକପ୍ରିୟତା ହାସଲ କରିଛନ୍ତି। ସେ ନିଜର ଅଡିଓ କ୍ୟାସେଟ୍‌ ଏବଂ ଭିଡିଓ ସିଡିର ଏକ ସିରିଜ୍‌ ମଧ୍ୟ ଲଞ୍ଚ୍‌ କରିଛନ୍ତି। ପ୍ରାରମ୍ଭରୁ ତାଙ୍କୁ ଅମିତାଭ ବଚ୍ଚନଙ୍କ ଲୁକ୍‌-ଅଲାଇକ୍‌ ରୂପେ ପରିଚୟ ମିଳିଥିଲା। ହେଲେ ସେ ପ୍ରକୃତ ସଫଳତା ପାଇଥିଲେ ‘ଗ୍ରେଟ୍‌ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ’ରୁ। ଏହି ଶୋ’ରେ ତାଙ୍କ ପ୍ରଦର୍ଶନ ଏତେ ଉଚ୍ଚ କୋଟିର ଥିଲା ଯେ ସମସ୍ତଙ୍କ ହୃଦୟରେ ରାଜ୍‌ କରିଥିଲେ ରାଜୁ ଶ୍ରୀବାସ୍ତବ।

ରାଜୁ ଏମିତି ଜଣେ କଳାକାର, ଯିଏ କୌଣସି ବି ପ୍ରସଙ୍ଗକୁ ସାମ୍ନାକୁ ନେଇ ଆଣି ଥାଆନ୍ତି। ସେ ମିମିକ୍ରୀ ପାଇଁ ବେଶ୍‌ ଜଣାଶୁଣା। ଲୋକଙ୍କ ମଧ୍ୟରେ ‘ଗଜୋଧର ଭୈୟା’ ନାମରେ ରାଜୁ ନିଜର ଏକ ଅଲଗା ପ୍ରକାର ପରିଚୟ ସୃଷ୍ଟି କରିଛନ୍ତି। ଟିଭି ଶୋ’ ଶକ୍ତିମାନ, ବିଗ୍‌ ବସ୍‌, କମେଡି କା ମହାମୁକାବିଲା, କମେଡି ସର୍କସ୍‌, କମେଡି ନାଇଟ୍ସ ଓ୍ଵିଦ୍‌ କପିଲ ଆଦିରେ କାମ କରିଛନ୍ତି ରାଜୁ। ସେହିପରି ତେଜାବ୍‌, ବାଜିଗର, ଆମଦାନୀ ଅଠନ୍ନି ଖର୍ଚ୍ଚା ରୁପୈୟା, ମୈ ପ୍ରେମ୍‌ କି ଦିଓ୍ଵାନୀ ହୁଁ, ବିଗ୍‌ ବ୍ରଦର, ଫିର୍‌ ହେରା ଫେରୀ ଭଳି ଅନେକ ହିଟ୍‌ ଫିଲ୍ମରେ କାମ କରି ପ୍ରଶଂସା ସାଉଁଟିଛନ୍ତି ସତ୍ୟପ୍ରକାଶ ଶ୍ରୀବାସ୍ତବ ଓରଫ୍‌ ରାଜୁ।

ହାସ୍ୟ କଳାକାର ହେବା ପାଇଁ ରାଜୁ ମୁମ୍ବାଇ ଚାଲି ଆସିଥିଲେ। ଏଠି ରହି ସେ ଅନେକ ଷ୍ଟ୍ରଗଲ୍‌ କରିଥିଲେ। ଘରୁ ଆସୁଥିବା ଟଙ୍କା ମୁମ୍ବାଇ ଭଳି ସହରରେ ତାଙ୍କ ପାଇଁ କମ୍‌ ପଡ଼ି ଯାଉଥିଲା। ଏଭଳି ସ୍ଥିତିରେ ନିଜର ଖର୍ଚ୍ଚ ଉଠାଇବା ପାଇଁ ରାଜୁ ଅଟୋ ଚଲାଇବା ଆରମ୍ଭ କରିଥିଲେ। ଯେବେ ତାଙ୍କୁ ଶୋ’ ମିଳିବା ଆରମ୍ଭ ହୋଇଥିଲା, ସେତେବେଳେ ସେ ମାତ୍ର ୫୦ ଟଙ୍କା ପାଉଣା ପାଉଥିଲେ।

Raju srivastab

ହେଲେ ଆଜି ରାଜୁ ନିଜ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛନ୍ତି। ତାଙ୍କ ପାଇଁ ଫ୍ୟାନମାନେ ପ୍ରାର୍ଥନା କରୁଛନ୍ତି। ହଠାତ୍‌ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯିବାରୁ କଳାକାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ହୃଦଘାତର ଶିକାର ହେବା ପରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରାଜୁ ଶ୍ରୀବାସ୍ତବ ହୋଟେଲରେ ଜିମ୍‌ରେ ଓ୍ୱାର୍କଆଉଟ କରୁଥିବା ବେଳେ ଅଚାନକ୍‌ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା। ଏହାପରେ ରାଜୁଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଲାଇଫ୍‌ ସାପୋର୍ଟରେ ରହିଛନ୍ତି। ଫ୍ୟାନମାନେ ରାଜୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ବର୍ତ୍ତମାନ ରାଜୁ ଶ୍ରୀବାସ୍ତବ ଉତ୍ତର ପ୍ରଦେଶ ଫିଲ୍ମ ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.