ଶଗଡ ଗାଡିରେ ବିଦାୟ ନେଲେ ଗଜାନନ, କେବେ ଦେଖିନଥିବେ ଏମିତି ଭସାଣି
ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମର ସ୍ଵପ୍ନେଶ୍ବର କ୍ଲବର ଯୁବକ ମାନେ ନିଆରା ଢଙ୍ଗରେ ପାଳନ କରିଛନ୍ତି ଗଜାନନଙ୍କ ଭସାଣି । ଏହି ଅନୁଷ୍ଠାନଟି ଆଜିକୁ ୭୬ ବର୍ଷ ହେବ ପାଳନ କରିଆସୁଛି ଗଣେଶ ପୂଜା। ଚଳିତବର୍ଷ କ୍ଲବର ଯୁବକ ମାନେ ଡେଙ୍ଗୁ ସଚେତନତାର ବାର୍ତା ସହ ଡିଜେ ନ ଆଣି ପାରମ୍ପରିକ ବାଜା ଏବଂ ଶଗଡ ଗାଡି ବ୍ୟବହାର କରି ଗଣେଶଙ୍କୁ ବିଦାୟ ଦେଇଛନ୍ତି ।
କାକଟପୁର(କେନ୍ୟୁଜ୍): ଓଡିଆ ପରମ୍ପରାରେ ଗଣେଶ ପୂଜା ଠାରୁ ଆରମ୍ଭ ହୋଇଥାଏ ପାର୍ବଣ ଋତୁ। ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପରେ ଅନ୍ୟ ଦେବାଦେବୀଙ୍କ ପୂଜା ହୋଇଥାଏ । ସେଥିପାଇଁ ତ ଗଣେଶଙ୍କୁ ଅଗ୍ରପୂଜ୍ୟ ବୋଲି ଶାସ୍ତ୍ରରେ କୁହାଯାଇଛି । ଏହି ଗଣେଶ ପୂଜା ସହରଠୁ ନେଇ ପ୍ରତି ଗ୍ରାମରେ,ସାହିରେ ଓ ଘରେ ଘରେ ମହା ଆଡମ୍ବର ସହକାରେ ପାଳନ କରାଯାଇଥାଏ । ତେବେ ଆଜିକାଲି ଦିନରେ ପୂଜା ପଛେ ଯେମିତି ହେଉଛି ହେଉ କିନ୍ତୁ ଭସାଣିଟା ପୁରା ଜାକଜକମରେ ହେବା ଦରକାର। ଯୁବଗୋଷ୍ଠି ମାନଙ୍କୁ ଏହି ଭସାଣିରେ ଆଧୁନିକତାର ଚାକଚକ୍ୟ ସହିତ ଡିଜେ ସାଉଣ୍ଡ ଏବଂ ଆଧୁନିକ ଗୀତ, ବାଜା ରୋଷଣୀ ନ ହେଲେ ଭସାଣିର ମଜା ଆସିନଥାଏ । ଗାଁ ଠାରୁ ସହର ଯାଏ ସବୁଠି ପ୍ରତିଯୋଗିତା ମୂଳକ ଭସାଣି ହେଉଥିବାର ଦେଖିବାକୁ ମିଳିଥାଏ ।
କିନ୍ତୁ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମର ସ୍ଵପ୍ନେଶ୍ବର କ୍ଲବର ଯୁବକ ମାନେ ନିଆରା ଢଙ୍ଗରେ ପାଳନ କରିଛନ୍ତି ଗଜାନନଙ୍କ ଭସାଣି । ଏହି ଅନୁଷ୍ଠାନଟି ଆଜିକୁ ୭୬ ବର୍ଷ ହେବ ପାଳନ କରିଆସୁଛି ଗଣେଶ ପୂଜା । ଚଳିତବର୍ଷ କ୍ଲବର ଯୁବକ ମାନେ ଡେଙ୍ଗୁ ସଚେତନତାର ବାର୍ତା ସହ ଡିଜେ ନ ଆଣି ପାରମ୍ପରିକ ବାଜା ଏବଂ ଶଗଡ ଗାଡି ବ୍ୟବହାର କରି ଗଣେଶଙ୍କୁ ବିଦାୟ ଦେଇଛନ୍ତି । ଯାହା ଆଖ ପାଖ ଅଞ୍ଚଳ ବାସୀଙ୍କ ପାଇଁ ଏକ ଉଦାହରଣ ପାଲଟିଛି ।
ବର୍ତ୍ତମାନ ଗାଁ ଠାରୁ ସହର ସବୁଠି ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ବର୍ଷା ସମୟ ହୋଇଥିବାରୁ ଗାଁ ଗହଳି ଅଞ୍ଚଳରେ ମଶା ମାନଙ୍କ ପ୍ରାଦୁର୍ଭାବ ବେଶ ଅଧିକ ରହିଛି। ତେଣୁ ଲୋକମାନଙ୍କ ସଚେତନ ଅଭାବରୁ ମଶା କାମୁଡାରେ ଅନେକ ଲୋକଙ୍କୁ ଡେଙ୍ଗୁ ହେଉଥିବା ଦେଖିବାକୁ ମିଳିଛି। ଓସ୍ତପୁର ଗ୍ରାମର ଯୁବକମାନେ ଗଣେଶ ଭସାଣି ସମୟରେ ଡେଙ୍ଗୁ ଦାଉରୁ ରକ୍ଷାପାଇବା ପାଇଁ ଲୋକମାନଙ୍କୁ ସଚେତନ କରିବା ସହ ହାତରେ ଡେଙ୍ଗୁ ସଚେତନ ଧର୍ମୀ ପ୍ଲାକାର୍ଡ ଧରି ଲୋକମାନଙ୍କୁ ବୁଝାଇଥିଲେ । ଝୁଣା ହାଣ୍ଡି ଧରି ଗ୍ରାମର ଘରେ ଘରେ ନେଇ ଝୁଣା ଧୂଆଁ ଦେବା ସହିତ ଗାଁ ଦାଣ୍ଡରେ ସେସବୁକୁ ବୁଲାଇ ମଶା ଘଉଡାଇବା ପାଇଁ ଚେଷ୍ଟା କରିଥିଲେ ।
ସେହିପରି ଅଣସର ସମୟରେ ଦେଉଳି ମଠରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାଉଥିବା ଅଣସର ଭାର ଶଗଡକୁ ଏହି ଭସାଣିରେ ବ୍ୟବହାର କରିଥିଲେ । ସେହି ଶଗଡ ଗାଡିରେ ଗଣେଶଙ୍କୁ ବରାଜମାନ କରାଯାଇଥିଲା । ଏହି ଭସାଣି ସମୟରେ ଓସ୍ତପୁର ଗ୍ରାମର ମହିଳା ମାନେ ଗଜାନନଙ୍କ ନିକଟରେ ବିଭିନ୍ନ ଭୋଗ ଲଗାଉଥିବା ଦେଖିବାକୁ ମିଳିଥିଲା ।
ଆଜିକାଲି ର ଯୁବପିଢି ମାନେ ଦିନକୁ ଦିନ ଆଧୁନିକ ତାକୁ ଗ୍ରହଣ କରି ଆମ ପରମ୍ପରାକୁ ଭୁଲି ଯାଉଥିବା ବେଳେ ଓସ୍ତପୁର ଗ୍ରାମର ଯୁବକ ମାନେ ପରମ୍ପରାକୁ ବଜାଇ ରଖି ଡେଙ୍ଗୁ ବିରୋଧରେ ସମାଜକୁ .ଦେଇଥିବା ସଚେତନର ବାର୍ତାକୁ ସ୍ତାନୀୟ ସଭିଏଁ ପ୍ରସଂଶା କରିଛନ୍ତି ।