କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ବାରମାସରେ ପାଳିତ ହୁଏ ତେରପରବ। ସେଥିମଧ୍ୟରୁ ଚୈତ୍ର ମାସ ମଙ୍ଗଳବାର ଓଷା ବା ଝାମୁ ଯାତ୍ରା ହେଉଛି ମା ମଙ୍ଗଳାଙ୍କ ମୁଖ୍ଯ ପର୍ବ। ଏହି ଝାମୁ ଯାତ୍ରା ବା ଚୈତ୍ର ମଙ୍ଗଳବାର ଓଷାକୁ ଓଡିଶାର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ଯନ୍ତ ସବୁ ବର୍ଗର ମହିଳାମାନେ ପାଳନ କରିଥାନ୍ତି। ଝାମୁ ସମୟରେ ମା ମଙ୍ଗଳାଙ୍କ ଘଣ୍ଟପାଟୁଆ ସେବକମାନଙ୍କୁ ଦେଖିବାକୁ ମିଳିଥାଏ। ଏହି ଘଣ୍ଟପାଟୁଆ ସେବକମାନେ ମା ମଙ୍ଗଳାଙ୍କ ସ୍ୱରୂପ ଭାବରେ ଏକ ଘଟକୁ ମୁଣ୍ଡରେ ଧରି ବିଭିନ୍ନ ଗ୍ରାମାଞ୍ଚଳରେ ବୁଲୁଥିବାର ଦେଖାଯାଇଥାଏ। ଘଣ୍ଟପାଟୁଆ ସେବକ ମାନେ ମୁଖ୍ୟତଃ ମା ମଙ୍ଗଳାଙ୍କ ମହିମା ପ୍ରଚାର କରିବାପାଇଁ ପାଦରେ ଚାଲିଚାଲି ବିଭିନ୍ନ ଗାଁ ଗଣ୍ଡାକୁ ଯାଇ ସେଠାରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ଏହି ଘଣ୍ଟପାଟୁଆ ସେବକ ମାନଙ୍କୁ ମା ମଙ୍ଗଳାଙ୍କ କାଳେସୀ ସେବକ ବୋଲି ମଧ୍ୟ କୁହାଯାଏ।
ଘଣ୍ଟପାଟୁଆ ସେବକମାନେ ବିଭିନ୍ନ ଗ୍ରାମରେ ମାଙ୍କ ମହିମା ପ୍ରଚାର କରିବା ସହିତ ମା ମଙ୍ଗଳା ମନ୍ଦିରରେ ସେମାନଙ୍କର ଏକ ବିଶେଷ ସେବା ମଧ୍ୟ ରହିଛି। ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଦିନ ଏହି ଘଣ୍ଟପାଟୁଆ ସେବକ ମାନେ ନିଜକୁ ନାରୀ ବେଶରେ ସଜାଇ ମଧ୍ୟାହ୍ନ ଏକ ଘଟିକା ସମୟରେ ମା ମଙ୍ଗଳାଙ୍କଠାରୁ ଆଜ୍ଞାମାଳ ପାଇବା ପରେ ମନ୍ଦିର ନିକଟରୁ ଏକ ପଟୁଆରରେ ପ୍ରାଚୀ ନଦୀର ଘଣ୍ଟତୋଳା ତୁଠକୁ ଯାଇଥାନ୍ତି। ଏହି ସମୟରେ ଘଣ୍ଟ ମହୁରି ଢୋଲ ମାଦଳ ଆଦି ବାଦ୍ୟଯନ୍ତ୍ରକୁ ବଜାଇ ଏହି ପଟୁଆର ବାହାରିଥାଏ। ଘଣ୍ଟତୋଳା ତୁଠରେ ପହଞ୍ଚି ପାଟୁଆମାନେ ପ୍ରାଚୀ ନଦୀରେ ଘଟକୁ ବୁଡାଇ ସେଠାରୁ ପାଣିଉଠାଇଥାନ୍ତି। ଏହା ପରେ ସେଠାରେ ମାଟିର ଘଟକଳସକୁ ଘଟ ଦଣ୍ଡରେ ବସାଇଦିଆଯାଏ ଏବଂ ବିଭିନ୍ନ ଫୁଲରେ ସଜାଇ ଦିଆଯାଏ। ଘଟ ସଜାଇ ହେବା ପରେ ଘଟ କଳସକୁ ଧରି ପାଟୁଆମାନେ ମା ମଙ୍ଗଳାଙ୍କୁ ସୁମରଣା କରିଥାନ୍ତି। ଏହା ପରେ ବିଭିନ୍ନ ବାଦ୍ୟଯନ୍ତ୍ରର ତାଳେ ତାଳେ ପାଟୁଆମାନେ ନୃତ୍ୟ ପ୍ରଦର୍ଶନ କରି ମଙ୍ଗଳା ମନ୍ଦିରକୁ ଆସିଥାନ୍ତି। ମଙ୍ଗଳା ମନ୍ଦିରକୁ ଆସିବା ପରେ ମନ୍ଦିର ପ୍ରାଙ୍ଗଣରେ ମା’ଙ୍କ ଉଦ୍ଦେଶ୍ୟରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ଏହି ଘଣ୍ଟପାଟୁଆ ନୃତ୍ୟ ପରମ୍ପରା ମା’ ମଙ୍ଗଳାଙ୍କ ଆର୍ବିଭାବ କାଳରୁ ଚାଲିଆସୁଛି।
ଏହା ପଛରେ ଏକ କିମ୍ବଦନ୍ତୀ ରହିଛି। ମା’ ମଙ୍ଗଳା ପ୍ରାଚୀ ନଦୀରୁ ଉଦ୍ଧାର ହୋଇଥିବା କିମ୍ବଦନ୍ତୀରୁ ଜାଣିବାକୁ ମିଳେ। ମା ମଙ୍ଗଳାଙ୍କ ଆର୍ବିଭାବ ପୂର୍ବରୁ ମା’ଙ୍କ ଦୁଇଜଣ ସେବକ ବଟ ଦୀକ୍ଷିତ ଓ ହଟ ଦୀକ୍ଷିତ ମା’ଙ୍କୁ ଉଦ୍ଧାର କରିବା ପାଇଁ ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଠାରୁ ଅଧିଆ ପଡିଥିଲେ। ବୈଶାଖ ମାସର ପ୍ରଥମ ମଙ୍ଗଳବାର ଦିନ ମା’ଙ୍କୁ ନପାଇ ଆତ୍ମାହୂତି ଦେବା ପାଇଁ ଅଗ୍ନି ପ୍ରଜ୍ବଳନ କରି ସେଥିରେ ଝାସ ଦେବାକୁ ଯାଉଥିଲା ବେଳେ ଶୂନ୍ଯବାଣୀ ହୋଇଥିଲା- ହେ ଭକ୍ତ ମୁଁ ମା ମଙ୍ଗଳା କହୁଛି। ମୁଁ ପ୍ରାଚୀ ନଦୀର ଚକ୍ରଗଣ୍ଡଠାରେ ରହିଛି, ମୋତେ ସେଠାରୁ ଉଦ୍ଧାର କର। ପରବର୍ତ୍ତୀ ସମୟରେ ମା ମଙ୍ଗଳାଙ୍କୁ ପ୍ରାଚୀନଦୀର ଚକ୍ରଗଣ୍ଡରୁ ଉଦ୍ଧାର କରାଯାଇଥିଲା। ମା’ଙ୍କୁ ଉଦ୍ଧାର କରାଯିବା ପରେ ଦୁଇ ସେବକ ହଟ ଦୀକ୍ଷିତ ଓ ବଟ ଦୀକ୍ଷିତ ଖୁସିରେ ଆତ୍ମହରା ହୋଇ ନୃତ୍ୟ ପ୍ରଦର୍ଶନ କରିଥିଲେ। ପରବର୍ତ୍ତୀ ସମୟରେ ତାହା ପାଟୁଆ ନୃତ୍ୟ ଭାବରେ ଆଜି ପର୍ଯ୍ଯନ୍ତ ମଙ୍ଗଳା ମନ୍ଦିରରେ ପାଳିତ ହୋଇଆସୁଛି।