ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଆଜି ଜଗନ୍ନାଥଙ୍କୁ କରାଯାଉଛି ଘୋଡ଼ ଲାଗି ବେଶ

ଶ୍ରୀ ମନ୍ଦିରରେ ଆଜି ପାଳନ ହେଉଛି ଓଢଣୀ ଷଷ୍ଠୀ ନୀତି । ସକାଳ ଧୂପ ପରେ ଆରମ୍ଭ ହୋଇସାରିଛି ମହାପ୍ରଭୁଙ୍କ ଘୋଡ଼ଲାଗି ନୀତି । ଏହା ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ । ଆଜି ସକାଳ ଧୂପ ପରେ ସିଂହାସନରେ ଶ୍ରୀଜିଉଙ୍କ ପାଗ ଓ ଘୋଡ଼ ଲାଗି ପରେ ଅଳଙ୍କାର ଲାଗି କରାଯିବ । ମହାପ୍ରଭୁ ଶ୍ରୀଜଗନ୍ନାଥ ବିଧିବଦ୍ଧ ଭାବରେ ଶୀତ ବସ୍ତ୍ର ପରିଧାନ କରିଥାନ୍ତି। ମାର୍ଗଶିର ଷଷ୍ଠୀଠାରୁ ଘୋଡ଼ଲାଗି ଆରମ୍ଭ ହୋଇ ମାଘ ବସନ୍ତ ପଞ୍ଚମୀ ଯାଏଁ ଏମିତି ୬୦ ଦିନ ପର୍ଯ୍ୟନ୍ତ ଚାଲୁ ରହେ । ଏହାକୁ ଘୋଡ଼ ଲାଗି ବେଶ କୁହାଯାଇଥାଏ। ବସନ୍ତ ଷଷ୍ଠୀଠାରୁ ଫଗୁ ଦଶମୀ ପର୍ଯ୍ୟନ୍ତ ୩୫ ଦିନ ଲାଗି ମହାପ୍ରଭୁ ଜାମାଲାଗି ବା ଠିଆଘୋଡ଼ ବେଶରେ ଭୂଷିତ ହୁଅନ୍ତି ।
ଜଗତର ନାଥ ଜଗନ୍ନାଥଙ୍କର ବାର ମାସରେ ତେର ପର୍ବ । ବିଭିନ୍ନଯାନିଯାତ୍ରା, ଉତ୍ସବ, ପାର୍ବଣ ଶ୍ରୀମନ୍ଦିରରେ ପାଳନ ହୁଏ । ଗ୍ରୀଷ୍ମ ଦିନରେ ଗରମରୁ ରକ୍ଷା ପାଇବା ପାଇଁ ଯେଭଳି ମହାପ୍ରଭୁ ଚନ୍ଦନ ଲାଗି ନୀତି ଅନୁଷ୍ଠିତ ହୁଏ, ସେହିଭଳି ମାର୍ଗଶୀର ମାସ ପ୍ରବଳ ଶୀତ ଦାଉରୁ ରକ୍ଷା ପାଇଁ ଚତୁର୍ଦ୍ଧା ମୂର୍ତ୍ତି ଶୀତ ବସ୍ତ୍ର ତଥା ଘୋଡ଼ ଧାରଣ କରିଥାନ୍ତି।ଘୋଡ଼ଲାଗି ବେଶରେ ଗଡ଼ା (ମୋଟା ସୂତା ବସ୍ତ୍ର), ଖଣ୍ଡୁଆପାଟ, ମଖମଲର ଘୋଡ଼ବସ୍ତ୍ର, ଫୁଟା, ଟୋପର ଆଦିରେ ଶ୍ରୀଜୀଉମାନଙ୍କୁ ଭୂଷିତ କରାଯାଏ । ଘୋଡ଼ବସ୍ତ୍ରମାନ ସାଧାରଣତଃ ମଖମଲ ଓ ସୂତା କପଡାରେ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀସେବକଙ୍କଦ୍ୱାରା ଏକ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥାଏ । ପରମ୍ପରା ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ବସ୍ତ୍ର ଲାଗି ହୋଇଥାନ୍ତି ଯେମିତିକି
ରବିବାର – ନାଲି ରଙ୍ଗର ଘୋଡ଼ବସ୍ତ୍ର
ସୋମବାର – କଳାଛିଟା ମିଶା ଧଳା ଧଳା ଘୋଡ଼ବସ୍ତ୍ର
ମଙ୍ଗଳବାର – ବାର ପଟିଆ (ପଞ୍ଚ ରଙ୍ଗ ମିଶା) ଘୋଡ଼ବସ୍ତ୍ର
ବୁଧବାର – ନୀଳ ରଙ୍ଗର ଘୋଡ଼ବସ୍ତ୍ର
ଗୁରୁବାର – ହଳଦିଆ ଘୋଡ଼ବସ୍ତ୍ର
ଶୁକ୍ରବାର – ଧଳା ଘୋଡ଼ବସ୍ତ୍ର
ଶନିବାର – କଳା ଘୋଡ଼ବସ୍ତ୍ର
ସାତ ଦିନରେ ଘୋଡ଼ ରଙ୍ଗକୁ ଜ୍ୟୋତିଷ ଶାସ୍ତ୍ରଜ୍ଞମାନେ ସାତ ଗ୍ରହର ପ୍ରତୀକ ବୋଲି କହିଥାନ୍ତି ।ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ଆବଶ୍ୟକ ଘୋଡ଼ ବସ୍ତ୍ରମାନଙ୍କୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକମାନେ ଏକ ସ୍ବତନ୍ତ୍ର ‘ ଶୈଳୀରେ ପ୍ରସ୍ତୁତ କରିଥାନ୍ତି । ଅର୍ଚନା-ମାର୍ଗା ଅନୁଯାୟୀ, ମହାପ୍ରଭୁଙ୍କୁ ବସ୍ତ୍ର ପିନ୍ଧାଇବା ପାଇଁ ପ୍ରଥମେ କପଡ଼ାକୁ ଧୁଆହୋଇ ଶୁଖାଯାଇଥାଏ । ଏହାପରେ ମହାପ୍ରଭୁଙ୍କୁ ଘୋଡ଼ାଇବା ପାଇଁ ବ୍ୟବହାର କରାଯାଇଥାଏ । ଏହି ଅବସରରେ ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ଅନୁଯାୟୀ, ତାଙ୍କର ସେବକମାନେ ନୂତନ ବସ୍ତ୍ର ପିନ୍ଧାଇବେ ।
ଓଢଣୀ ଷଷ୍ଠୀ ନୀତି ଅନୁସାରେ, ଶୀତ ଆରମ୍ଭରୁ ମହାପ୍ରଭୁଙ୍କ ଏହି ପରମ୍ପରା ଚାଲିଥାଏ । ସେବାୟତମାନେ ୩ ଠାକୁରଙ୍କୁ ଶୀତ ବସ୍ତ୍ର ପିନ୍ଧାଇଥାନ୍ତି । ଏହାପରେ ଘଣ୍ଟ, ଛତା,କାହାଳୀ ସହ ପଟିଆରରେ ପ୍ରଦିକ୍ଷଭ କରାଯାଇଥାଏ । ବଡଦେଉଳ ପ୍ରଦିକ୍ଷଣ ପରେ ରତ୍ନ ସିଂହାସନକୁ ବିଜେ କରାଯିବ ମହାପ୍ରଭୁଙ୍କୁ ।
ଘୋଡ଼ଲାଗି ବେଶରେ ଠାକୁରମାନଙ୍କୁ ନବାଙ୍କ ଚୂଳ ଓ ମକର ଚୂଳ ଲାଗି କରାଯାଇଥାଏ । ଏହି ବେଶରେ ଠାକୁରମାନେ ୨ଟି ତ୍ରିଶାଖା, ୪ଟି କୁଣ୍ଡଳ ଓ ୨ଟି ତଡ଼ଗି ଏପରି ମୋଟ ୮ମୂର୍ତ୍ତି ସୁନା ଅଳଙ୍କାର ଲାଗି ହେଉଥିବା ବେଳେ ଜାମାଲାଗି ବେଶରେ ଠାକୁରମାନେ ୪ଟି ଲେଖାଏଁ ନଳିଭୁଜ, କୁଣ୍ଡଳ, ତିଳକ, ଆଡ଼କାନି, ୬ଟି ଚନ୍ଦ୍ରସୂର୍ଯ୍ୟ, ୩ଟି ଲେଖାଏଁ ଓଡ଼ିଆଣି ଓ ମାଳି ସମେତ ୨ଟି ଲେଖାଏଁ ଚନ୍ଦ୍ରିକା ଓ ତଡ଼ଗି ଏପରି ମୋଟ ୩୦ମୂର୍ତ୍ତି ସୁନା ଅଳଙ୍କାର ପରିଧାନ କରିଥାନ୍ତି । ଜାମାଲାଗି ବେଶରେ ଶ୍ରୀଜୀଉମାନେ ଜାମା ବା ଫତେଇ ପିନ୍ଧନ୍ତି ଯାହା ଫଳରେ ଶ୍ରୀବିଗ୍ରହମାନଙ୍କର ଶୀଅଙ୍ଗ ସମ୍ପୂର୍ଣ୍ଣ ଘୋଡାଇ ହୁଏ ନାହିଁ । ଏହି ଜାମା ଉପରପଟୁ ପିନ୍ଧାଇ ଦିଆଯାଏ । ଏହା କଟି ପାଖକୁ କୁଞ୍ଚ ହୋଇ ଘାଗରା ଭଳି ଦେଖାଯାଏ ।