ଭୂତ ଛଡ଼ାଇବା ପାଇଁ ମେଳାକୁ ଆସନ୍ତି ଶହ ଶହ ଲୋକେ, ନକାରାତ୍ମକ ଶକ୍ତି ଦୂର କରିବା ପାଇଁ କରନ୍ତି ଏମିତି

ଅମାବାସ୍ୟା ରାତିରେ ଦୁଷ୍ଟ ଶକ୍ତିର ପ୍ରଭାବ ବଢ଼େ । କିଛି ଲୋକ ନକରାତ୍ମକତା ଶକ୍ତିର ବଶବର୍ତ୍ତୀ ହେଉଥିବା କଥା ବି ଆପଣମାନେ ଜାଣିଥିବେ । ଅର୍ଥାତ ମଣିଷ ଦେହରେ ଭୂତ ଲାଗିବା କଥା ଆପଣମାନେ ନିଶ୍ଚିତ ଶୁଣିଥିବେ । ତେବେ ଏହି ଭୂତମାନଙ୍କୁ ମଣିଷ ଶରୀରରୁ ବାହାର କରିବା ପାଇଁ ମଣିଷ ଦୈବୀ ଶକ୍ତିର ସାହାଯ୍ୟ ନିଏ । ବର୍ତ୍ତମାନ ଭାରତର ବିଭିନ୍ନ ରାଜ୍ୟରେ ନବରାତ୍ର ସମୟରେ ମେଳା ଲାଗୁଛି । ମେଳାରେ ଦୋଳି ଠାରୁ ଆରମ୍ଭ କରି ସୁଆଦିଆ ଖାଦ୍ୟ ବିକ୍ରି ହେଉଛି । କିନ୍ତୁ ଏପରି ଏକ ରାଜ୍ୟ ଅଛି ଯେଉଁଠାରେ ଭୂତଙ୍କ ମେଳା ଲାଗେ । ଏକଥା ଶୁଣିଲେ ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏଭଳି କିଛି ସତରେ ହେଉଛି ।
ବିହାରରେ ଲାଗିଛି ଏଭଳି ଭିନ୍ନ ମେଳା । ଛୋଟ- ବଡ଼ ସବୁ ପର୍ବରେ ବିହାରରେ ମେଳା ଲାଗେ । କିନ୍ତୁ ଏଠାରେ ଲାଗୁଥିବା ଭୂତ ମେଳା ସବୁଠୁ ଭିନ୍ନ । ନବରାତ୍ର ସମୟରେ ଭୋଜପୁର ଜିଲ୍ଲାର ବାଦରା ବ୍ଲକର ଇଟହନା ଗାଁରେ ତଥା ଅନ୍ୟ ଦିନ ମାନଙ୍କରେ ଏହି ‘ଭୂତ ମେଳା’ ଲାଗିଥାଏ । ବିଶ୍ବାସ କରାଯାଏ ଯେ ଏଠାକାର ବ୍ରହ୍ମା ବାବା ଏବଂ ଶିବଲିଙ୍ଗଙ୍କୁ ଲାଗି କରାଯାଇଥିବା ଜଳ ପିଇବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।
ବିହାରର ଅନେକ ସ୍ଥାନରେ ଏଭଳି ମେଳା ଲାଗେ । ଭୋଜପୁର ଜିଲ୍ଲାଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ଇଟହାନା ଗାଁରେ ପ୍ରତ୍ୟେକ ଅମାବାସ୍ୟାରେ ମେଳା ଲାଗେ, କିନ୍ତୁ ନବରାତ୍ର ସମୟରେ ବିହାରର କୋଣ ଅନୁକୋଣରୁ ପ୍ରତିଦିନ ୧୦ ହଜାରରୁ ଅଧିକ ଲୋକ ଏଠାକୁ ଆସନ୍ତି । ଏଠାକୁ ଆସିବା ପରେ ଲୋକମାନେ ବିଚିତ୍ର ଆଚରଣ କରିବା ଆରମ୍ଭ କରନ୍ତି । ତେବେ ଶହ ଶହ ଲୋକ ନକାରାତ୍ମକ ଶକ୍ତିରୁ ମୁକ୍ତି ପାଇବା ପାଇଁ ଏଠାକୁ ଆସନ୍ତି । କୁହାଯାଏ ଯେ ବର୍ଷ ବର୍ଷ ଧରି ଏଠାରେ ଭୂତ ମେଳା ଲାଗି ଆସୁଛି । ବିହାରର ବିଭିନ୍ନ ଜିଲ୍ଲାରୁ ଯେପରିକି ଗୟା, ସୀତାମଢ଼ି, ନୱାଡା, ରୋହତାସ ସମେତ ଅନେକ ଜିଲ୍ଳାର ଲୋକମାନେ ଏହି ମେଳାକୁ ଆସନ୍ତି । କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଏଠାରେ ମାସ ମାସ ଧରି ରୁହନ୍ତି ଏବଂ ପୂଜା ମଧ୍ୟ କରନ୍ତି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଠାରେ ଏକ ବିରାଟ ଗଛ ଅଛି, ଯେଉଁଠାରେ ପୁରୁଷ ଓ ମହିଳା ଜୋରରେ ଚିଲ୍ଲାନ୍ତି, ନାଚନ୍ତି ଏବଂ କାନ୍ଦନ୍ତି । କୁହାଯାଏ ଯେ ଏହି ମେଳାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଶରୀରରେ ଲାଗିଥିବା ଭୂତକୁ ଛଡ଼ାଇବା । ଏହି ମେଳା ପ୍ରତ୍ୟେକ ଅମାବାସ୍ୟାରେ ଅନୁଷ୍ଠିତ ହୋଇଥାଏ । କିଛି ଲୋକ ଏହାକୁ ଅନ୍ଧବିଶ୍ୱାସ ବୋଲି ଭାବନ୍ତି, କିନ୍ତୁ ଏଠାରେ ଥିବା ବିଶ୍ୱାସ ଅନୁଯାୟୀ, ଇଟହନାର ବାବା ଏଠାରେ ସମାଧି ନେଇଥିଲେ ଏବଂ ତାଙ୍କ ଶକ୍ତି ପ୍ରଭାବରୁ ମଣିଷ ଭୂତ ଠାରୁ ମୁକ୍ତି ପାଆନ୍ତି । ଲୋକେ କୁହନ୍ତି ଶିବଲିଙ୍ଗ ଉପରେ ଲାଗି କରାଯାଇଥିବା ଜଳ ପିଇବା ଦ୍ବାରା ଏବଂ ବ୍ରହ୍ମା ବାବାଙ୍କୁ ପୂଜା କରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।
ଏଭଳି ଅନ୍ଧବିଶ୍ୱାସକୁ ଆମେ ପ୍ରଶୟ ଦେଉ ନାହିଁ । କେବଳ ଖବର ପରିବେଶଣ କରିବା ହିଁ ଆମର ଉଦ୍ଦେଶ୍ୟ ।