ଅଜବ! ଜଣେ ନୁହେଁ, ୪ ଯୁବକଙ୍କ ସହିତ ଫେରାର ହୋଇଗଲେ ଯୁବତୀ, ପଞ୍ଚାୟତରେ ଚିରିକୁଟି ପଡ଼ି ହେଲା ବିବାହ ନିଷ୍ପତ୍ତି

ଉତ୍ତର ପ୍ରଦେଶର ଆମ୍ବେଦକର ଜିଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀଙ୍କ ବିବାହ ଲଟେରୀ ଦ୍ୱାରା ସ୍ଥିର ହୋଇଛି। ବରପାତ୍ର ଚୟନ କରିବା ପାଇଁ ପଞ୍ଚାୟତ ବସିଛି। ଆଶ୍ଚର୍ଯ୍ୟର କଥା ହେଉଛି, ପଞ୍ଚାୟତରେ ଚିରିକୁଟି ପକାଯାଇ ବରପାତ୍ର ଚୟନ କରାଯାଇଛି। ତେବେ ବିବାହ କରିବାକୁ ଥିବା ଯୁବତୀ ପୂର୍ବରୁ ଜଣେ ନୁହେଁ, ବରଂ ଚାରି ଚାରି ଜଣ ଯୁବକଙ୍କ ସହିତ ଘରୁ ଫେରାର ହୋଇଯାଇଥିଲେ। ଯୁବତୀ ନିଜେ ମଧ୍ୟ ଦ୍ୱନ୍ଦ୍ୱରେ ଥିଲେ କି, ପ୍ରକୃତରେ ସେ କାହାକୁ ଅଧିକ ପସନ୍ଦ କରୁଛନ୍ତି ଏବଂ କାହା ସହିତ ବିବାହ କରି ଜୀବନ ବିତାଇବାକୁ ଚାହୁଁଛନ୍ତି।

ମାମଲାଟି କୋତବାଲି ଟାଣ୍ଡାର ଅଜିମ୍‌ନଗର ଥାନା ଅଞ୍ଚଳର। ଖବରରୁ ଜଣାପଡ଼ିଛି, ୫ ଦିନ ପୂର୍ବେ ୪ଜଣ ଯୁବକ ଜଣେ ଯୁବତୀଙ୍କୁ ତାଙ୍କ ଘରୁ ଉଠାଇ ନେଇଯାଇଥିଲେ। ସେମାନେ ଯୁବତୀଙ୍କୁ କୌଣସି ଜଣେ ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିଥିଲେ। କିନ୍ତୁ ଛାନଭିନ୍‌ ବେଳେ ସମସ୍ତେ ଧରାପଡ଼ିଥିଲେ। ଧରାପଡ଼ିବା ପରେ ଯୁବତୀଙ୍କ ସମ୍ପର୍କୀୟ ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ଦେବାକୁ ଥାନାକୁ ଯାଉଥିଲେ। ହେଲେ ସେତିକି ବେଳେ ପଞ୍ଚାୟତ ଏହି ମାମଲାରେ ବିବାହ ପ୍ରସ୍ତାବ ରଖିଥିଲା।

ସେପଟେ ମାମଲାରେ ଟ୍ଵିଷ୍ଟ୍‍ ସେତେବେଳେ ଆସିଥିଲା, ଯେତେବେଳେ ଯୁବତୀଙ୍କୁ ବିବାହ କରିବାକୁ କେହି ଜଣେ ବି ଯୁବକ ରାଜି ହୋଇ ନ ଥିଲେ। ତେଣୁ ଏଥିରେ ପଞ୍ଚାୟତକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଶେଷରେ ଉପାୟ ବାହାରଥିଲା। ଏହା ମୁତାବକ, ଯୁବତୀଙ୍କ ପାଇଁ ବରପାତ୍ର ଚୟନ ଚିରିକୁଟି ଜରିଆରେ ହୋଇଥିଲା। ଅର୍ଥାତ୍‌ ଯେଉଁ ଯୁବକଙ୍କ ନାଁ ଲଟେରୀରୁ ବାହାରିଥିଲା, ଯୁବତୀ ତାଙ୍କୁ ବିବାହ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.